ଖରିଫ ଧାନ ବିକିନଥିବା ଚାଷୀଙ୍କଠୁ ଧାନ କିଣନ୍ତୁ ସରକାର: ବିଜେପି

ରାଜ୍ୟରେ ଆଜିଠୁ ରବି ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ଖରିଫ ଧାନ ବିକିନଥିବା ଚାଷୀଙ୍କଠୁ ତୁରନ୍ତ ରାଜ୍ୟ ସରକାର ଧାନ କିଣନ୍ତୁ ବୋଲି ବିଜେପି ଦାବି କରିଛି। କରୋନା ଭଳି ମହାବିପତ୍ତି ସମୟରେ ଚାଷୀଙ୍କ ପ୍ରତି ରାଜ୍ୟ ସରକାର ସମ୍ବେଦନଶୀଳ ହୁଅନ୍ତୁ ବୋଲି ବିଜେପି କହିଛି।ବିଜେପି ପକ୍ଷରୁ ଜାରି ଏକ ପ୍ରେସ୍ ରିଲିଜରେ ଦଳର ରାଜ୍ୟ କୃଷକ ମୋର୍ଚ୍ଚାର ସାଧାରଣ ସମ୍ପାଦକ ସୁରଥ ବିଶ୍ୱାଳ କହିଛନ୍ତି ଯେ, ଚଳିତବର୍ଷ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଖରିଫ ଧାନ ମଣ୍ଡିରେ ବିକ୍ରି ହେବା ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଘୋଷଣା କରିଥିଲେ। ତେବେ ନିର୍ଦ୍ଧାରିତ ସମୟ ପୂର୍ବରୁ କରୋନା ଭୂତାଣୁ ସଂକଟ ସମସ୍ୟା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଲକ୍‌ଡାଉନ୍ ଘୋଷଣା ହେବା କାରଣରୁ ରାଜ୍ୟର ଲକ୍ଷାଧିକ ଚାଷୀ ଖରିଫ ଧାନ ବିକ୍ରି କରିପାରିନାହାନ୍ତି। ମଣ୍ଡି ସମସ୍ୟା ଓ ଟୋକନ ବ୍ୟବସ୍ଥା ମଧ୍ୟ ଖରିଫ ଧାନ ସଂଗ୍ରହରେ ବାଧା ହୋଇଛି। ରାଜ୍ୟର ପ୍ରାୟ ସମସ୍ତ ଚାଷୀ ଖରିଫ୍ ଧାନ ବିକ୍ରୟ ଉପରେ ନିର୍ଭର କରନ୍ତି ଓ ଏହା ସେମାନଙ୍କର ରୋଜଗାରର ମୂଳ ପନ୍ଥା। ଏହି ସମୟରେ ସେମାନେ ଧାନ ବିକ୍ରି କରି ବର୍ଷଯାକର ଗୁଜୁରାଣ ମେଂଟାନ୍ତି। ମାତ୍ର ଚଳିତବର୍ଷ କରୋନା ତଥା ଲକ୍‌ଡାଉନ୍ ସମୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଧାନ ବିକ୍ରୟ ପାଇଁ କୌଣସି ସ୍ପଷ୍ଟୀକରଣ ଦିଆଯାଇନାହିଁ। ଫଳରେ ଚାଷୀମାନଙ୍କର ଧାନ ମଣ୍ଡି ବା ନିଜ ଘରେ ପଡି ରହିଥିବା ବେଳେ ସେମାନେ ବାହାର ବ୍ୟବସାୟଙ୍କୁ ବିକ୍ରି କରିପାରିନାହାନ୍ତି। ଏହା ଚାଷୀଙ୍କ ବୋଝ ଉପରେ ନଳିତା ବିଡା ସଦୃଶ ହୋଇଛି। ଲକ୍‌ଡାଉନ କାରଣରୁ ଚାଷୀମାନେ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା କାରଣରୁ ଚାଷୀମାନେ ଘର ଚଳାଇବାକୁ ଅସମର୍ଥ ହୋଇଛନ୍ତି। ସେମାନଙ୍କ ଆର୍ଥିକ ସ୍ଥିତି ସମ୍ପୂର୍ଣ୍ଣ ରୂପେ ଭୁଷୁଡି ପଡିଛି। ଚାଷୀମାନେ ସ୍ୱଳ୍ପମିଆଦି ଋଣ ଶୁଝିବାରେ ମଧ୍ୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।ତେଣୁ ରାଜ୍ୟ ସରକାର ଚାଷୀଙ୍କ ପ୍ରତି ସମ୍ବେଦନଶୀଳ ମନୋଭାବ ପୋଷାଣ କରି ତୁରନ୍ତ ସେମାନଙ୍କ ଠାରୁ ଖରିଫ ଧାନ କିଣିବାର ବ୍ୟବସ୍ଥା କରିବାକୁ ବିଜେପି କୃଷକ ମୋର୍ଚ୍ଚା ତରଫରୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯାଇଛି।

Spread the love