ଗୁଜରାଟରେ ସମୂହ ଛୁଟିରେ ଗଲେ କର୍ମଚାରୀ ଓ ଶିକ୍ଷକ

ଅହମ୍ମଦାବାଦ ୧୭।୯: ପୁରୁଣା ପେନସନ ସ୍କିମ (ଓପିଏସ୍) ଦାବିରେ ସରକାରୀ କର୍ମଚାରୀ ଓ ଶିକ୍ଷକମାନେ ଶନିବାର ଗୁଜରାଟ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି। କର୍ମଚାରୀ ଓ ଶିକ୍ଷକ ଦିନିକିଆ ସିଏଲ ନେଇ ଆନ୍ଦୋଳନ କରିଥିବା ବେଳେ ଆବଶ୍ୟକ ହେଲେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନରେ ଯିବା ଲାଗି ଚେତାବନୀ ଦେଇଛନ୍ତି। କର୍ମଚାରୀମାନେ ସାମୂହିକ ଛୁଟିରେ ଚାଲିଯିବା ଯୋଗୁ ସରକାରୀ କାମ ବନ୍ଦ ହୋଇଯାଇଛି।

ଉଲ୍ଲେଖଯୋଗ୍ୟ ଯେ ଦିନକ ପୂର୍ବରୁ କର୍ମଚାରୀ ମିଳିତ ମଞ୍ଚ ଆନ୍ଦୋଳନ ପ୍ରତ୍ୟାହାର ଘୋଷଣା କରିଥିଲେ। ତେବେ ଜିଲ୍ଲାସ୍ତରରେ ୟୁନିୟନମାନେ କେନ୍ଦ୍ରୀୟ ନେତୃତ୍ୱ ନିଷ୍ପତ୍ତିକୁ ଅଗ୍ରାହ୍ୟ କରି ମୁଖ୍ୟ ଦାବି ଓପିଏସ୍ ସମ୍ପର୍କରେ ସରକାର ଏପର୍ଯ୍ୟନ୍ତ ବିଚାର କରିନଥିବାରୁ ଆନ୍ଦୋଳନ ପ୍ରତ୍ୟାହାରର ପ୍ରଶ୍ନ ହିଁ ଉଠୁନଥିବା କହିଥିଲେ। ଏଣୁ ସଙ୍ଗଠନଙ୍କ ଆହ୍ୱାନରେ ମିଳିତ କର୍ମଚାରୀ ଶିକ୍ଷକ ମଞ୍ଚ ଦିନିକିଆ ସିଏଲ ନେଇ ଆନ୍ଦୋଳନ ଓହ୍ଲାଇଥିଲେ।

ଆନ୍ଦୋଳନ କରୁଥିବା ରାଷ୍ଟ୍ରୀୟ ମିଳିତ ମୋର୍ଚ୍ଚା ସୌରାଷ୍ଟ୍ର କ୍ଷେତ୍ର ସଂଯୋଜକ ମହେଶ ମୋରି କହିଛନ୍ତି ଯେ ରାଜ୍ୟରେ କର୍ମଚାରୀ ଓ ଶିକ୍ଷକଙ୍କ ଗୋଟିଏ ଦାବି ତାହା ହେଉଛି ପୁରୁଣା ପେନସନ ଯୋଜନା (ଓପିଏସ୍) ପୁଣି ଲାଗୁ ହେବା। ଏଥିପାଇଁ ଆମେ ଲଗାତାର ଆମର ଦାବି ଦୋହରାଉଛୁ। ତେବେ ଏ ବାବଦେ ଚେତବାନୀ ସତ୍ତ୍ୱେ ଶୁକ୍ରବାର ସରକାର କର୍ମଚାରୀଙ୍କ ଦାବି ପ୍ରତି କର୍ଣ୍ଣପାତ ମଧ୍ୟ କରି ନାହାନ୍ତି। ସେ କହିଛନ୍ତି ଯେ ଓପିଏସ ରାଜ୍ୟର ପ୍ରତ୍ୟେକ କର୍ମଚାରୀର ହକ୍ । ସରକାର ଆମ ସମସ୍ତଙ୍କ ହକ୍ ଛଡେଇ ନେଇଛନ୍ତି ଏଣୁ ଆମେ ଆମର ହକ ଲାଗି ଲଢେଇ ଜାରି ରଖିବୁ ବୋଲି ସେ କହିଛନ୍ତି।

Spread the love