ଓଡିଆ ଗୀତ ଗାଇଲେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ

ଗୀତ ଗାଇଲେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ। ସେ ପୁଣି ଜଣେ ପେଶାଦାର ସିଙ୍ଗରଙ୍କ ପରି। ଷ୍ଟୁଡିଓରେ ମ୍ୟୁଜିକ୍ ତାଳେ ତାଳେ ଓଡିଆ ଗୀତ ଗାଇଛନ୍ତି ରାଜ୍ୟପାଳ। ଏ ଜାତି ଓଡ଼ିଆ, ଏ ମାଟି ଓଡିଶା.. ଓଡିଶାର ମାଟି ପାଣି ପବନ ସହ କଳା ସଂସ୍କୃତି ଓ ଐତିହ୍ୟକୁ ଯୋଡି ପ୍ରସ୍ତୁତ ହେଉଛି ସ୍ୱତନ୍ତ୍ର ଦେଶତ୍ମବୋଧକ ସଂଗୀତ। ୧୪ ଜଣ ଆଗଧାଡିର କଣ୍ଠ ଶିଳ୍ପୀଙ୍କ ସ୍ୱରରେ ସ୍ୱର ମିଳାଇଛନ୍ତି ଓଡିଶା ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ।

ଆଜି ଭୁବନେଶ୍ୱର ଏକ ଷ୍ଟୁଡିଓରେ ଗୀତ ରେକର୍ଡ କରାଯାଇଥିବା ବେଳେ ଏପ୍ରିଲ ୧ ତାରିଖ ଉତ୍କଳ ଦିବସ ଉପଲକ୍ଷେ ଗୀତଟି ରିଲିଜ ହେବ।  ହଜି ଯାଉଥିବା ଲୋକ କଥାକୁ ଏହି ଗୀତରେ ସ୍ଥାନ ଦିଆଯାଇଛି। ଅନ୍ୟପଟେ ପ୍ରଥମ ଥର ମହାମହିମ ରାଜ୍ୟପାଳ ଓଡ଼ିଆ ଗୀତରେ କଣ୍ଠ ଦାନ କାରି ଓଡିଆ ଭାଷା ସଂସ୍କୃତି ଓ ଅସ୍ମିତାକୁ ମନେ ପକାଇଛନ୍ତି।

ଗୀତଟିକୁ ବସନ୍ତ ରାଜ ସାମଲ ରଚନା କରିଥିବା ବେଳେ ଏହାକୁ ସ୍ୱରରେ ସଜାଇଛନ୍ତି ଆଗ ଧାଡ଼ିର ସଂଗୀତ ନିର୍ଦେଶକ ପ୍ରେମାନନ୍ଦ। ହଜି ଯାଉଥିବା ଓଡ଼ିଆ ପରମ୍ପରାକୁ ଲୋକ ଲୋଚନକୁ ଆଣିବା ପାଇଁ ଏଭଳି ଗୀତ ବେଶ ସହାୟକ ହେବ।

ଷ୍ଟୁଡିଓରୁ ବାହାରିବା ପରେ ରାଜ୍ୟପାଳ କହିଛନ୍ତି ଯେ, ଏହି ଗୀତ ସାରା ବିଶ୍ଵର ହୃଦୟକୁ ଝଙ୍କୁରିତ କରିବ। ଏହି ଗୀତରେ ଯେଉଁ ମାଧୁର୍ଯ୍ୟ ରହିଛି, ସମସ୍ତେ ଆତ୍ମହରା ହୋଇଯିବେ। ଏହି ଗୀତରେ ବହୁତ ମିଠା ରହିଛି। ସଙ୍ଗୀତ ବିଷକୁ ବି ମିଠା କରିଦିଏ। ଏହା କେବଳ ଏକ ଗୀତ ନୁହେଁ  ବୋଲି ରାଜ୍ୟପାଳ କହିଛନ୍ତି।

Spread the love