ପୁରୀରେ ବଲିଉଡ୍ ଅଭିନେତା ଗୋବିନ୍ଦା, ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ କଲେ ଦର୍ଶନ

ପୁରୀ ୩୧।୮: ବଲିଉଡ୍ ଅଭିନେତା ଗୋବିନ୍ଦା ପୁନର୍ବାର ମଙ୍ଗଳବାର ଶ୍ରୀମନ୍ଦିର ଆସି ରତ୍ନସିଂହାସନ ସ୍ଥିତ ଚତୁର୍ଦ୍ଧାବିଗ୍ରହଙ୍କ ଦର୍ଶନ ଓ ପୂଜାର୍ଚ୍ଚନା କରିଛନ୍ତି । ମହାପ୍ରଭୁଙ୍କର ସେ ଜଣେ ପରମ ଭକ୍ତ । ପ୍ରଭୁଙ୍କ ଡାକରାରେ ହିଁ ସେ ପୁରୀ ଆସିବାର ସୌଭାଗ୍ୟ ପାଇଛନ୍ତି । କୋଭିଡ୍ ଦ୍ବିତୀୟ ଲହରରେ କଟକଣା ଭିତରେ ଶ୍ରୀମନ୍ଦିରରେ ଭକ୍ତଙ୍କ ପାଇଁ ଦର୍ଶନ ବ୍ୟବସ୍ଥା ଅତ୍ୟନ୍ତ ଶୃଙ୍ଖଳିତ ହୋଇଥିବା ସେ କହିଛନ୍ତି ।

ଗୋଟିଏ ସମୟରେ ଜୀବନରେ ଜଟିଳ ପରିସ୍ଥିତି ଦେଇ ଗତି କରୁଥିବା ଗୋବିନ୍ଦା ମହାପ୍ରଭୁଙ୍କ ଦର୍ଶନ କରିବା ପରେ ସେସବୁ ଅନେକାଂଶରେ ଦୂର ହୋଇଥିବା ସେ କହିଛନ୍ତି । ପୁଣିଥରେ ସ୍ବାଭାବିକ ଅବସ୍ଥା ଫେରିଆସି ତାଙ୍କ ଜୀବନ ଶାନ୍ତି ଓ ଖୁସିମୟ ହେବ ବୋଲି ଦର୍ଶନ ପରେ ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇ ଗୋବିନ୍ଦା ଏହା କହିଛନ୍ତି ।

ଚତୁର୍ଦ୍ଧାବିଗ୍ରହଙ୍କ ସହ ମା’ ବିମଳା, ମା’ ମହାଲକ୍ଷ୍ମୀ ଓ ପାର୍ଶ୍ବଦେବାଦେବୀଙ୍କୁ ଦର୍ଶନ କରିଛନ୍ତି। ତାଙ୍କ ସହ ଭିତରଚ୍ଛ ମଧୁସୂଦନ ମହାପାତ୍ର, ବରିଷ୍ଠ ସେବାୟତ ମହାବୀର ପ୍ରତିହାରୀ ଓ ଶ୍ୟାମସୁନ୍ଦର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ଶ୍ରୀମନ୍ଦିରରେ ଗୋବିନ୍ଦା ୩୦ ମିନିଟରୁ ଅଧିକ ସମୟ ରହିଥିବା ବେଳେ ସିଂହଦ୍ଵାର ଦେଇ ପ୍ରବେଶ ଓ ଉତ୍ତରଦ୍ବାର ଦେଇ ପ୍ରସ୍ଥାନ କରିଥିଲେ ।

Spread the love