ସେପ୍ଟେମ୍ବର ୧୮ରୁ ୨୨ ପର୍ଯ୍ୟନ୍ତ ହେବ ସଂସଦର ସ୍ବତନ୍ତ୍ର ଅଧିବେଶନ

ନୂଆଦିଲ୍ଲୀ : କେନ୍ଦ୍ର ସରକାର ଏକ ଆଶ୍ଚର୍ଯ୍ୟଜନକ ନିଷ୍ପତ୍ତି ନେଇ ସଂସଦର ଏକ ସ୍ୱତନ୍ତ୍ର ଅଧିବେଶନ ଡାକିଛନ୍ତି। ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଗୁରୁବାର (ଅଗଷ୍ଟ ୩୧) ଏକ ପୋଷ୍ଟରେ କହିଛନ୍ତି ଯେ ସଂସଦର ସ୍ୱତନ୍ତ୍ର ଅଧିବେଶନ ସେପ୍ଟେମ୍ବର ୧୮ରୁ ୨୨ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏଥିରେ ୫ଟି ବୈଠକ ଅନୁଷ୍ଠିତ ହେବ। ନୂଆ ସଂସଦରେ ଏହି ସ୍ୱତନ୍ତ୍ର ଅଧିବେଶନ ଅନୁଷ୍ଠିତ ହେବ । ମିଳିଥିବା ସୂଚନା ଅନୁଯାୟୀ, ଚଳିତ ଅଧିବେଶନରେ ୧୦ରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ବିଲ୍ ଆଗତ ହେବ। ଏହି ବିଲ୍ ଯୋଗୁଁ ସ୍ୱତନ୍ତ୍ର ଅଧିବେଶନ ଡକାଯାଇଛି। ପ୍ରହ୍ଲାଦ ଯୋଶୀ ଲେଖିଛନ୍ତି ଯେ ମୁଁ ଅମୃତ କାଳ ମଧ୍ୟରେ ସଂସଦରେ ଅର୍ଥପୂର୍ଣ୍ଣ ଆଲୋଚନା ଏବଂ ବିତର୍କକୁ ଅପେକ୍ଷା କରିଛି ।

ସଂସଦର ସ୍ବତନ୍ତ୍ର ଅଧିବେଶନ ଡାକିବାକୁ ନେଇ  ସରକାରଙ୍କୁ ସମାଲୋଚନା କରିଛି କଂଗ୍ରେସ୍ । ଲୋକସଭାରେ କଂଗ୍ରେସ ନେତା ଅଧୀର ରଂଜନ ଚୌଧୁରୀ କହିଛନ୍ତି ଯେ ଆଗକୁ ଶୀତକାଳୀନ ଅଧିବେଶନ ହେବାକୁ ଥିବାବେଳେ ହଠାତ୍ ଏପରି କଣ  ଏମର୍ଜେନ୍ସି ପଡ଼ିଲା ଯେ ସରକାର ସ୍ବତନ୍ତ୍ର ଅଧିବେଶନ ଡକାଇଲେ ? ଜଣାନାହିଁ, ସରକାରଙ୍କ କଣ ଅଭିପ୍ରାୟ, ବୋଧହୁଏ ପ୍ରଧାନମନ୍ତ୍ରୀ ମୋଦୀଙ୍କ କୌଣସି ନୂଆ ଯୋଜନା ଥିବ । ପୁରୁଣା କୋଠାରୁ ନୂଆ କୋଠାକୁ ଯିବା, ପୂଜା ପାଠ କରିବା ଇତ୍ୟାଦି… କିଛି ଅଜବ କରିବା ପାଇଁ ମୋଦୀଙ୍କ ଯୋଜନା ଥବ । ଆପଣଙ୍କର ଭିନ୍ନ ଧାରଣା ଥାଇପାରେ, କିନ୍ତୁ ଏହା ଅଜବ ଲାଗୁଛି । ସଂସଦର ମୌସୁମୀ ଅଧିବେଶନ ଜୁଲାଇ ୨୦ରୁ ଅଗଷ୍ଟ ୧୧ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। ଏହି ସମୟରେ ମଣିପୁର ହିଂସାକୁ ନେଇ ଉଭୟ ଗୃହରେ ତୀବ୍ର ହଙ୍ଗାମା ହୋଇଥିଲା।

 
Spread the love