ରାଜ୍ୟ ସବୁଜ ପତ୍ରିକାଧାରୀ ଉନ୍ନୟନ ପରିଷଦର ମନ୍ତ୍ରୀସ୍ତରୀୟ କମିଟି ସହ ଆଲୋଚନା

 

ଭୁବନେଶ୍ୱର, ଅଣ କର୍ମଚାରୀ ସବୁଜ ପତ୍ରିକାଧାରୀମାନଙ୍କୁ ମାସିକ 750 ଟଙ୍କା ପ୍ରୋତ୍ସାହନ ଭତ୍ତା, ସହରାଞ୍ଚଳର ଘରଡ଼ିହହୀନ ସବୁଜ ପତ୍ରିକାଧାରୀ ପରିବାରକୁ 40 ଡ଼ିସିମିଲ ଓ ଗ୍ରାମାଞ୍ଚଳର ଘରଡ଼ିହହୀନ
ସବୁଜ ପତ୍ରିକାଧାରୀ ପରିବାରଙ୍କୁ 80 ଡ଼ିସିମିଲ୍ ପଟ୍ଟା ଦେବା ଦାବିରେ ଗତକାଲି ଠାରୁ ଲୋୟର ପିଏମ୍ଜିଠାରେ ଅହୋରାତ୍ର  ଗଣଧାରଣା ଚାଲୁ ରହିଥିଲା ।

ହଜାର ହଜାର ସବୁଜ ପତ୍ରିକାଧାରୀଙ୍କ ଦାବିକୁ ସରକାରଙ୍କ ମନ୍ତ୍ରୀସ୍ତରୀୟ କମିଟି ବି·ରକୁ ନେଇ ଗତକାଲି ଅପରାହ୍ନରେ ପରିଷଦର ସାଧାରଣ ସମ୍ପାଦକ ଦେବରାଜ ନାୟକ, ସଂଗଠନ ସମ୍ପାଦକ ଅରୁଣ କୁମାର ସ୍ୱାଇଁ, କଟକ ଜିଲ୍ଲା ସଭାନେତ୍ରୀ ମଞ୍ଜୁଲତା ସ୍ୱାଇଁ ଓ ଖୋର୍ଦ୍ଧା ଜିଲ୍ଲା ସଭାନେତ୍ରୀ ରଞ୍ଜୁ ମହାପାତ୍ର ପ୍ରମୁଖଙ୍କୁ ଡ଼କାଇ ଆଲୋଚନା କରିଥିଲେ । କମିଟିର ଅଧ୍ୟକ୍ଷ ତଥା ମାନ୍ୟବର ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ଓ କମିଟିର ଅନ୍ୟତମ ସଦସ୍ୟ ମାନ୍ୟବର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଅନେକ ଆଲୋଚନା ପରେ ଫଳାଫଳ ଘୋଷଣା ପାଇଁ 7 ଦିନ ସମୟ ନେଇଥିଲେ ।

ପ୍ରତିନିଧି ମଣ୍ଡଳୀ କମିଟିକୁ ସମ୍ମାନ ଦେଇ ରାଜରାସ୍ତାରୁ ଧାରଣାକୁ ସ୍ଥାନାନ୍ତର କରି ନିର୍ଦ୍ଧାରିତ ଧାରଣାସ୍ଥଳୀରେ ପ୍ରତୀକ ଧାରଣା ଚାଲୁ ରଖିବେ ବୋଲି ପରିଷଦ ତରଫରୁ ସିଦ୍ଧାନ୍ତ ନିଆଯାଇଥିଲା । ଉକ୍ତ ଧାରଣା କମିଟିର ନିର୍ଦ୍ଧାରିତ ଅବଧି ପର୍ଯ୍ୟନ୍ତ ଚାଲୁ ରହିବ । ଉକ୍ତ ସମୟର ଅବଧି ମଧ୍ୟରେ ଯଦି ଦାବି ପୂରଣ ନହୁଏ, ତାହେଲେ ଉକ୍ତ ଗଣଧାରଣାକୁ ଜୋରଦାର କରାଯିବ ବୋଲି ପରିଷଦ ତରଫରୁ ନିଷ୍ପତ୍ତି ନିଆଯାଇଛି ।

ପରିଷଦର ଦୃଢ ଆଶା ଓ ବିଶ୍ୱାସ ଅଛି ଯେ, ମାନ୍ୟବର ମନ୍ତ୍ରୀସ୍ତରୀୟ କମିିଟି ନିଶ୍ଚୟ ଉଚିତ୍ ପଦକ୍ଷେପ ଗ୍ରହଣ କରିବେ ଓ ଏହାଦ୍ୱାରା ଓଡ଼ିଶାର ପ୍ରାୟ ସାଢେ ସାତଲକ୍ଷ ସବୁଜ ପତ୍ରିକାଧାରୀ ପରିବାର ଉପଯୁକ୍ତ ନ୍ୟାୟ ପାଇପାରିବେ । ଏହା ନିର୍ଦ୍ଧାରିତ ସମୟ ମଧ୍ୟରେ ସମ୍ପାଦିତ ହେଲେ ପରିଷଦ କମିଟି ଓ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇବେ ବୋଲି ପରିଷଦ ତରଫରୁ ଏକ ପ୍ରେସ୍ ବିବୃତ୍ତିରେ କୁହାଯାଇଛି ।

 

Spread the love