ମନ୍ତ୍ରାଳୟଙ୍କୁ ମୋଦିଙ୍କ ନିର୍ଦ୍ଦେଶ, ଇନ୍ଧନ ଭାବେ ଗ୍ରୀନ ହାଇଡ୍ରୋଜନର ଉପଯୋଗ

ନୂଆଦିଲ୍ଲୀ : ଦେଶକୁ ଇନ୍ଧନ ଆମଦାନୀରୁ ମୁକ୍ତ କରିବାକୁ ହେଲେ ଆମକୁ  ଗ୍ରିନ ହାଇଡ୍ରୋଜନ ଇନ୍ଧନର ସାହାରା ନେବାକୁ ହେବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ କ୍ୟାବିନେଟ୍ ସହଯୋଗୀଙ୍କୁ ଏହି ମନ୍ତ୍ର ଦେଇଛନ୍ତି। ଗତ ଦିନରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ପ୍ରତି ମନ୍ତ୍ରାଳୟଙ୍କୁ ଗ୍ରୀନ ହାଇଡ୍ରୋଜନ କ୍ଷେତ୍ରରେ ନିଜର ମହତ୍ୱାକାଙକ୍ଷୀ ନୀତି ପ୍ରସ୍ତୁତ କରିବାକୁ ମୋଦି ନିର୍ଦ୍ଦେଶ ଦେଇଛନ୍ତି।ଅଗଷ୍ଟ ୨୦୨୧ରେ ଗ୍ରୀନ ହାଇଡ୍ରୋଜନ ମିସନ ଆରମ୍ଭ କରାଯିବା ପରେ ଏ କ୍ଷେତ୍ରରେ ପ୍ରଧାନମନ୍ତ୍ରୀଙ୍କର ଏହା ପ୍ରଥମ ବୈଠକ ଥିଲା। ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଏବେ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରାଳୟ, ବିଦ୍ୟୁତ ମନ୍ତ୍ରାଳୟ, ରିନିୱେବଲ ଏନେର୍ଜୀ ମନ୍ତ୍ରାଳୟ ଭାବି ଉପାୟର ରୋଡମ୍ୟାପ ପ୍ରସ୍ତୁତି ଆରମ୍ଭ କରିଛନ୍ତି।ଦେଶରେ ଏବେ ହାଇଡ୍ରୋଜନ ଇନ୍ଧନ ପ୍ରତି କେଜି ୫ ଡଲାର ରହିଛି। ତେବେ ୨୦୩୦ ବେଳକୁ ଏହାକୁ ହ୍ରାସ କରି ୧ ଡଲାରକୁ ଆଣିବାକୁ ଦେଶର ପ୍ରମୁଖ ଉଦ୍ୟୋଗ ସମୂହ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଘୋଷଣା କରିଛନ୍ତି। ଏଥିଲାଗି କମ୍ପାନୀ ଗ୍ରୀନ ହାଇଡ୍ରୋଜନ ସେକ୍ଟରରେ ୭୫ ବିଲିନୟ ଡଲାରର ନୂଆ ନିବେଶ ଘୋଷଣା ମଧ୍ୟ କରିଛି। ଏଥିରେ ସରକାରୀ କ୍ଷେତ୍ରର ଗ୍ୟାସ କମ୍ପାନୀ ଗେଲ ହାଇଡ୍ରୋଜନ ପରିବହନ ଲାଗି ଭିତ୍ତିଭୂମି ସୁବିଧା ନିମନ୍ତେ ସବୁଠୁ ବଡ ପ୍ରକଳ୍ପ ଉପରେ କାମ ଆରମ୍ଭ କରିଦେଇଛନ୍ତି।କେବଳ ଏତିକି ନୁହେଁ ଗେଲ ମଧ୍ୟପ୍ରଦେଶର ଗୁଣାରେ ଗ୍ରୀନ ହାଇଡ୍ରୋଜନର ସବୁଠୁ ବଡ଼ ପ୍ଲାଣ୍ଟ ସ୍ଥାପନା କାର୍ଯ୍ୟ ଆରମ୍ଭ କରିସାରିଲେଣି। ସେହିପରି ଅଡାଣୀ ସମୂହ ୨୦୩୦ସୁଦ୍ଧା ଗ୍ରୀନ ହାଇଡ୍ରୋଜନ କ୍ଷେତ୍ରରେ ୭୦ ବିଲିୟନ ଡଲାର ନିବେଶ ଘୋଷଣା କରିଛନ୍ତି। କେବଳ ଉଦ୍ୟୋଗ ହାଉସ୍ ନୁହନ୍ତି ସରକାରୀ ଉପକ୍ରମ ଇଣ୍ଡିଆନ ଅଏଲ ଗ୍ରୀନ ହାଇଡ୍ରୋଜନ ସମ୍ପର୍କିତ ସମ୍ପୂର୍ଣ୍ଣ ଇକୋ ସିଷ୍ଟମକୁ ଓହ୍ଲାଇବା ଲାଗି ପୂର୍ଣ୍ଣ ପ୍ରସ୍ତୁତି କରିଛି।  ଗ୍ରୀନ ହ୍ରାଇଡ୍ରୋନଜର ଏହି ସମ୍ଭାବନାକୁ ଦେଖି ପ୍ରଧାନମନ୍ତ୍ରୀ ସ୍ୱାଧୀନତାର ୧୦୦ତମ ବାର୍ଷିକରେ ଦେଶକୁ ଇନ୍ଧନ ଆମଦାନୀ ମୁକ୍ତ କରିବା କଥା କହିଛନ୍ତି।

Spread the love