ତେଜରାତି ଦୋକାନୀଙ୍କ ଝିଅ ଓଏଏସ୍ ଟପର୍, ୬ ନମ୍ୱର ରାଙ୍କ୍ ହାସଲ କଲେ ଅଭିସ୍ମିତା
କେନ୍ଦୁଝର, ୦୮/୧୦: ତେଜରାତି ଦୋକାନୀଙ୍କ ଝିଅ ଏବେ ଓଡିଶା ପ୍ରଶାସନିକ ସେବାରେ ଟପର୍ । କେନ୍ଦୁଝର ସହରର ଝିଅ ଓଏଏସ୍ ପରୀକ୍ଷାରେ ୬ ନମ୍ବର ରାଙ୍କ୍ରେ କୃତକାର୍ଯ୍ୟ । ଯାହାକୁ ନେଇ ସାଙ୍ଗସାଥିଙ୍କ ସହ କଲୋନୀବାସୀଙ୍କ ମଧ୍ୟରେ ଖୁସିର ଲହରି । ମନୋରଞ୍ଜନ ତିୱାରୀ ଜଣେ ତେଜରାତି ଦୋକାନୀ ଓ ତାଙ୍କ ସ୍ତ୍ରୀ ଜଣେ ଗୃହିଣୀ । ସେ ନିଉକଲୋନୀ ସ୍ଥିତ ନିଜ ଘରେ ଏକ ଛୋଟ ତେଜରାତି ଦୋକାନଟିଏ ଦେଇଛନ୍ତି । ସେଥିରୁ ଯାହା ରୋଜଗାର କରନ୍ତି ସେଥିରେ ପରିବାର ଚଳେ । ତାଙ୍କର ସଂସାର କହିଲେ ସେ ତାଙ୍କ ସ୍ତ୍ରୀ ଓ ଦୁଇ ଝିଅ ।
ହେଲେ ଆଜି ଓଡିଶା ପ୍ରଶାସନିକ ସେବା ବା ଓଏଏସ ପରିକ୍ଷାରେ ଷଷ୍ଠ ସ୍ଥାନ ଅଧିଗ୍ରହଣ କରି ଚମକିଛନ୍ତି ତାଙ୍କ ବଡ଼ ଝିଅ ଅଭିସ୍ମିତା ତିୱାରି । ସେ ନିର୍ମଳା ସ୍କୁଲରୁ ଦଶମ ପାସ ପରେ ଡିଡି କଲେଜରୁ +୨ ଓ ପରେ ଓୟୁଏଟିରୁ ଏଗ୍ରିକଲଚର ଏଣ୍ଡ୍ ଫରେଷ୍ଟ ଆପ୍ସନାଲ ରଖି ପାସ କରିଛନ୍ତି । ପରେ କଲିକତା ସ୍ଥିତ ବିସିକେୟୁରୁ ଏମ୍ଏସି ପାସ୍ କରିଥିଲେ । ଏବେ ସେ ପ୍ରଥମ ଥରରେ ଓଏଏସ ପାଇଛନ୍ତି । ଏହି ସଫଳତାର ଶ୍ରେୟ ନିଜର ପରିବାର, ଭଗବାନ ଓ ସଙ୍ଗସାଥିଙ୍କୁ ଦେଇଛନ୍ତି । ଆଗାମୀଦିନରେ ସେ ଆଦିବାସୀ ଓ କୃଷିକ୍ଷେତ୍ରର ଉନ୍ନତି କରିବାକୁ ଚେଷ୍ଟା କରିବେ ବୋଲି କହିଛନ୍ତି । ସେ ଦୀର୍ଘ ଘଣ୍ଟା ଧରି ପଢନ୍ତି ନାହିଁ । ଟାର୍ଗେଟ ନେଇ ଯେତେ ସମୟ ଲାଗୁ ପଢ଼ି ସାରନ୍ତି ।