ଉପଗ୍ରହ ଜିସାଟ୍‍-30 ସଫଳ ଉତକ୍ଷେପଣ

ଶକ୍ତିଶାଳୀ ଯୋଗାଯୋଗ ଉପଗ୍ରହ ଜିସାଟ୍‍ 30 ରାତି 2ଟା 35 ମିନିଟରେ ସଫଳତାର ଉତକ୍ଷେପଣ ହୋଇଛି।  ଦକ୍ଷିଣ ଆମେରିକାର ଉତ୍ତର-ପୂର୍ବ ଉପକୂଳ କାଇରୋର ଆରିୟନ ପରିସରରୁ ଏରିଏନ୍‍-5 ସ୍ପେସ ରକେଟ୍‍ ଦ୍ୱାରା ଏହାକୁ ପ୍ରେରଣ କରାଯାଇଛି ବୋଲି ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ – ଇସ୍ରୋ ପକ୍ଷରୁ କୁହାଯାଇଛି। ମାତ୍ର 38 ମିନିଟ 25 ସେକେଣ୍ଡ ପରେ ‘ଜିସାଟ୍‍-30’ ଉପଗ୍ରହ ଏରିଏନ୍‍-5 ସ୍ପେସ ରକେଟ୍‍ ଠାରୁ ସଫଳ ଭାବରେ ଅଲଗା ହୋଇଛି।

ଉଚ୍ଚମାନର ଟେଲିଭିଜନ୍‍, ଟେଲି ଯୋଗାଯୋଗ ଏବଂ ପ୍ରସାରଣ ସେବା ଯୋଗାଇବା ପାଇଁ ଏହି ଉପଗ୍ରହ ଉଦ୍ଦିଷ୍ଟ। ଏହାର ଓଜନ 3 ହଜାର 357 କିଲୋଗ୍ରାମ୍‍ ଏବଂ ଏହା ଇନ୍‍ସାଟ୍‍/ଜିସାଟ୍‍ ଶ୍ରେଣୀର ଅତ୍ୟାଧୁନିକ ଉପଗ୍ରହ। 2005 ମସିହାରେ ଉତକ୍ଷେପଣ କରାଯାଇଥିବା ଇନ୍‍ସାଟ୍‍-ଫୋର୍‍ ଏ’ ଉପଗ୍ରହର କାର୍ଯ୍ୟକାଳ ସରି ଆସୁଥିବାରୁ ତା’ ବଦଳରେ ଜିସାଟ୍‍-30 କାର୍ଯ୍ୟ କରିବ। ଭାରତର ଭୌଗୋଳିକ ଅଞ୍ଚଳଗୁଡ଼ିକୁ ଏହି ଉପଗ୍ରହ କୁ-ବ୍ୟାଣ୍ଡ୍‍ ଏବଂ ଉପସାଗରୀୟ ରାଷ୍ଟ୍ରଗୁଡ଼ିକୁ ସି-ବ୍ୟାଣ୍ଡ୍‍ କଭରେଜ୍‍ ଯୋଗାଇବ।

Spread the love