ଓଡ଼ିଶାରେ ଜିଏସଟି ଆଦାୟ ୨୩% ବୃଦ୍ଧି

ନୂଆଦିଲ୍ଲୀ : ଗତ ଫେବ୍ରୁଆରି ମାସରେ ଦେଶର ଜିଏସଟି ରାଜସ୍ବ ୧ ଲକ୍ଷ ୩୩ ହଜାର କୋଟି ରହିଛି । ଏହା ଫେବ୍ରୁଆରୀ ୨୦୨୧ ତୁଳନାରେ ୧୮ ପ୍ରତିଶତ ଅଧିକ, ମାତ୍ର ଜାନୁଆରୀ ୨୦୨୨ ତୁଳନାରେ ପ୍ରାୟ ୫.୬ ପ୍ରତିଶତ କମ । ଜାନୁଆରୀ ୨୦୨୨ରେ ଦେଶର ଜିଏସଟି ରାଜସ୍ବ ୧ ଲକ୍ଷ ୪୦ ହଜାର କୋଟି ଟପିଯାଇଥିଲା ।

ଫେବ୍ରୁଆରୀ ମାସରେ ସଂଗ୍ରହ ହୋଇଥିବା ୧.୩୩ ଲକ୍ଷ କୋଟିରୁ କେନ୍ଦ୍ରୀୟ ଜିଏସଟି ଟ. ୨୪୪୩୫ କୋଟି, ରାଜ୍ୟ ଜିଏସଟି ଟ.୩୦,୭୭୯ କୋଟି, ଇଣ୍ଟିଗ୍ରେଟେଡ୍ ଜିଏସଟି ୬୭,୪୭୧ କୋଟି ଟଙ୍କା ଓ ସେସ ୧୦,୩୪୦ କୋଟି ଟଙ୍କା ଅନ୍ତର୍ଭୁକ୍ତ ବୋଲି କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ପକ୍ଷରୁ ସୂଚନା  ଦିଆଯାଇଛି।

ଅର୍ଥମନ୍ତ୍ରାଳୟ ତଥ୍ୟ ଅନୁସାରେ ଫେବ୍ରୁଆରୀରେ ଓଡ଼ିଶାରେ ଜିଏସଟି ଆଦାୟ ୨୩ ପ୍ରତିଶତ ବୃଦ୍ଧି ପାଇ ୪୧୦୧ କୋଟିକୁ ବୃଦ୍ଧି ପାଇଛି ।

ଚଳିତ ଆର୍ଥିକ ବର୍ଷର ପ୍ରଥମ ତିନିମାସରେ କରୋନା ମହାମାରୀର ୨ୟ ଲହରର ପ୍ରକୋପ ଅଧିକ ଥିବାରୁ ବିଭିନ୍ନ ରାଜ୍ୟ ପୁଣି ଥରେ ଲକଡାଉନ ଲାଗୁ କରିଥିଲେ । ଏହା ଫଳରେ ଅର୍ଥନୀତି ପ୍ରଭାବିତ ହେବା ସହ ଜିଏସଟି ରାଜସ୍ବ ହ୍ରାସ ପାଇଥିଲା । ତେବେ କରୋନାର ପ୍ରକୋପ କମିବା ସହ ଲକଡାଉନ କଟକଣା କୋହଳ ହେବା ସହ ଅର୍ଥନୈତିକ କାର୍ଯ୍ୟକଳାପ  ସ୍ବାଭାବିକ ହୋଇଥିଲା । ଏହା ଜିଏସଟି ରାଜସ୍ବ ବୃଦ୍ଧିର କାରଣ ବୋଲି କୁହାଯାଉଛି । ଚଳିତ ଆର୍ଥିକ ବର୍ଷରେ ୫ମ ଥର ପାଇଁ ମାସିକ ଜିଏସଟି ରାଜସ୍ବ ୧ ଲକ୍ଷ ୩୦ ହଜାର କୋଟି ଉପରେ ରହିଛି । ତେବେ ଫେବ୍ରୁଆରୀ ମାସ ୨୮ ଦିନିଆ ହୋଇଥିବାରୁ ଜିଏସଟି ସଂଗ୍ରହ ଜାନୁଆରରୀ ତୁଳନାରେ କମିଥିବା ଅର୍ଥମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।

Spread the love