ଜୁନ ୨୮ରେ ଜିଏସ୍‍ଟି ପରିଷଦ ବୈଠକ

ନୂଆଦିଲ୍ଲୀ : ଦ୍ରବ୍ୟ ଓ ସେବା ଟିକସ (ଜିଏସ୍‍ଟି) ପରିଷଦ ବୈଠକ ଚଳିତ ମାସ ୨୮ ଓ ୨୯ତାରିଖ ଦୁଇଦିନ ଧରି ଶ୍ରୀନଗରରେ ଅନୁଷ୍ଠିତ ହେବାକୁ ଯାଉଛି। ଏଥିରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅଧ୍ୟକ୍ଷତା କରିବେ। ରାଜ୍ୟ ଅର୍ଥମନ୍ତ୍ରୀମାନଙ୍କ ପକ୍ଷରୁ ଟିକସ ହାରରେ ସଂଗତି ଆଣିବା ଏବଂ ଜୁଆ, ରେସ କୋର୍ସ ତଥା ଅନ୍‍ଲାଇନ ଗେମିଂ ଉପରେ ଟିକସ ହାର ନିର୍ଦ୍ଧାରଣ ପ୍ରସଙ୍ଗରେ ଆଲୋଚନା ହେବାକୁ ଥିବାରୁ ଏହି ବୈଠକ ବେଶ୍‍ ଗୁରୁତ୍ୱପୂର୍ଣ୍ଣ ମନେକରାଯାଉଛି।ଅର୍ଥମନ୍ତ୍ରୀଙ୍କ ଦପ୍ତର ପକ୍ଷରୁ ପ୍ରକାଶିତ ବିବୃତିରେ କୁହାଯାଇଛି ଯେ ୪୭ତମ ଜିଏସ୍‍ଟି ପରିଷଦ ବୈଠକ ଏହାକୁ ମିଶାଇ ଦ୍ୱିତୀୟ ଥର ପାଇଁ ଶ୍ରୀନଗରରେ ଅନୁଷ୍ଠିତ ହେବାକୁ ଯାଉଛି। ୨୦୧୭ ଜୁଲାଇ ୧ରେ ଏହି ଟିକସ ବ୍ୟବସ୍ଥା ପ୍ରଚଳନ କରାଯିବା ପୂର୍ବରୁ ପରିଷଦର ଚତୁର୍ଦ୍ଦଶ ବୈଠକ ଶ୍ରୀନଗରରେ ମେ ୧୮ ଓ ୧୯ ତାରିଖ ଦୁଇଦିନ ଧରି ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ୧୨୧୧ଟି ସାମଗ୍ରୀ ଉପରେ ଜିଏସ୍‍ଟି ହାର ନିର୍ଦ୍ଧାରଣ କରାଯାଇଥିଲା। ଆଗାମୀ ବୈଠକ ପୂର୍ବରୁ ଆଜି ଜିଏସଟି ହାରରେ ସଂଗତି ଆଣିବା ନିମନ୍ତେ ଗଠିତ ରାଜ୍ୟ ମନ୍ତ୍ରିସ୍ତରୀୟ ମଣ୍ଡଳୀ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ଏହି ବୈଠକରେ ଟିକସ ସ୍ଳାବ୍‍ରେ ସମ୍ଭାବ୍ୟ ପରିବର୍ତ୍ତନ ସମ୍ପର୍କରେ ଆଲୋଚନା କରାଯିବ। ତେବେ ମନ୍ତ୍ରିସ୍ତରୀୟ ମଣ୍ଡଳୀ ସମ୍ପର୍କରେ ଚୂଡାନ୍ତ ରିପୋର୍ଟ ପ୍ରସ୍ତୁତ କରିବାକୁ କିଛି ସମୟ ଲାଗିବ ବୋଲି ସରକାରୀ ସୂତ୍ରରୁ କୁହାଯାଇଛି।

Spread the love