ଜାନୁଆରୀରେ ୧ ଲକ୍ଷ ୩୮ ହଜାର କୋଟିର ଜିଏସଟି ସଂଗ୍ରହ

ନୂଆଦିଲ୍ଲୀ ୦୧/୦୨ : ଜାନୁଆରୀ ମାସରେ ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ଆଦାୟ ୧.୩୮ ଲକ୍ଷ କୋଟି ଟଙ୍କା ଛୁଇଁଛି । ଗତ ବର୍ଷ ସମାନ ସମୟ ତୁଳନାରେ ପରୋକ୍ଷ ଟିକସ ଆଦାୟ ୧୫% ବୃଦ୍ଧି ଘଟିଛି । ଜାନୁଆରୀ ୩୦ ସୁଦ୍ଧା ୧.୦୫ କୋଟି ଜିଏସ୍‌ଟିଆର୍‌-୩ବି ଫାଇଲ କରାଯାଇଛି । ଏହା ମଧ୍ୟରେ ୩୬ ଲକ୍ଷ ତ୍ରୈମାସିକ ରିଟର୍ନ ସାମିଲ ଥିବା ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଲଗାତାର ୪ ମାସ ହେବ ଜିଏସ୍‌ଟି ଆଦାୟ ୧.୩୦ ଲକ୍ଷ କୋଟି ଟଙ୍କା ଟପୁଛି । ଜାନୁଆରୀରେ ଆଦାୟ ହୋଇଥିବା ମୋଟ ଜିଏସ୍‌ଟି ମଧ୍ୟରେ କେନ୍ଦ୍ର ଜିଏସ୍‌ଟି (ସିଜିଏସ୍‌ ଟି) ବାବଦ ୨୪,୬୭୪ କୋଟି, ୭୨,୦୩୦ କୋଟି ଟଙ୍କାର ସମନ୍ୱିତ ଜିଏସ୍‌ଟି (ଆଇଜିଏସ୍‌ଟି), ୩୨,୦୧୬ କୋଟି ଟଙ୍କାର ରାଜ୍ୟ ଜିଏସ୍‌ଟି (ଏସ୍‌ଜିଏସ୍‌ଟି) ଏବଂ ୯, ୬୭୪ କୋଟି ଟଙ୍କାର ସେସ୍‌ ସାମିଲ ରହିଛି ।

୨୦୨୧ ଏପ୍ରିଲରେ କେନ୍ଦ୍ର ସରକାର ସର୍ବାଧିକ ୧.୩୯ ଲକ୍ଷ କୋଟି ଟଙ୍କାର ଜିଏସ୍‌ଟି ଆଦାୟ କରିବାକୁ ସକ୍ଷମ ହୋଇଥିଲେ । ସେହିଭଳି ୨୦୨୦ ତୁଳନାରେ ଜିଏସ୍‌ଟି ଆଦାୟ ୨୫% ଉଦ୍ଧ୍ୱର୍ରେ ରହିଛି । ଅର୍ଥନୈତିକ ସୁଧାର, ଟିକସ ଚୋରି ଉପରେ କାର୍ଯ୍ୟାନୁଷ୍ଠାନ ଭଳି ବିଭିନ୍ନ ପଦକ୍ଷେପ ଯୋଗୁ ଟିକସ ଆଦାୟରେ ଉନ୍ନତି ପରିଲକ୍ଷିତ ହୋଇଛି ବୋଲି ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ରହିଛି ।

Spread the love