ପୁଞ୍ଚ ଆକ୍ରମଣର ଗୋଳାବାରୁଦ ଆଫଗାନିସ୍ତାନରୁ ଆସିଥିଲା : ଗୁଇନ୍ଦା ରିପୋର୍ଟ

ନୂଆଦିଲ୍ଲୀ : ନିକଟରେ ହୋଇଥିବା ପୁଞ୍ଚ ଆକ୍ରମଣ ସଂପର୍କରେ କେନ୍ଦ୍ରୀୟ ଗୁଇନ୍ଦା ଏଜେନ୍ସିମାନଙ୍କୁ କେତେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ମିଳିଛି । ଗୁଇନ୍ଦା ରିପୋର୍ଟ ଅନୁଯାୟୀ, ପୁଞ୍ଚ ଆକ୍ରମଣରେ ବ୍ୟବହୃତ ଗୋଳାବାରୁଦ, ଯେଉଁଥିରେ ୫ ଜଣ ସୈନିକ ସହିଦ ହୋଇଥିଲେ, ତାଲିବାନ ଶାସିତ ଆଫଗାନିସ୍ତାନରୁ ପାକିସ୍ତାନ ଦେଇ ଭାରତ ଆସିଥିଲା ।

ବରିଷ୍ଠ ପୁଲିସ ଅଧିକାରୀଙ୍କ କହିବା ଅନୁସାରେ, କିଛି ଦିନ ତଳେ ଆଫଗାନିସ୍ତାନରୁ ପାକିସ୍ତାନ ଦେଇ ଭାରତକୁ ଅଣାଯାଉଥିବା ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ ପରିବହନ ନେଇ ଚର୍ଚ୍ଚା ହୋଇଥିଲା। ଗୁଇନ୍ଦା ସଂସ୍ଥାର ରିପୋର୍ଟ ଆସିବା ପରେ ଏହି ସୂଚନା ସତ ବୋଲି ଜଣାପଡ଼ିଛି । ୨୦୨୧ ଅଗଷ୍ଟରେ ଆଫଗାନିସ୍ତାନ ଉପରେ ତାଲିବାନ ଦଖଲ କରିବା ପରେ ଏହାର ପ୍ରଭାବ ଜମ୍ମୁ-କଶ୍ମୀର ଉପରେ ଦେଖିବାକୁ ମିଳିବ ଏବଂ ସେଠାରେ ଆତଙ୍କବାଦୀ କାର୍ଯ୍ୟକଳାପ ବଢ଼ିପାରେ ବୋଲି ସେତେବେଳେ ଭାରତୀୟ ଏଜେନ୍ସିମାନେ ଆଶଙ୍କା ପ୍ରକାଶ କରିଥିଲେ । ଏବେ ସେହି ଆଶଙ୍କା ସତ ପ୍ରମାଣିତ ହେବାରେ ଲାଗିଛି । ପୁଞ୍ଚ ଆକ୍ରମଣ ପରେ ସ୍ଥାନୀୟ ପୋଲିସ ତଦନ୍ତରେ ଜାଣିବାକୁ ପାଇଥିଲା ଯେ ବ୍ୟବହୃତ ଗୁଳିଗୁଡ଼ିକ ଆଫଗାନିସ୍ତାନର ଥିଲା, ଯାହାକୁ ଆମେରିକୀୟ ସେନା ଆଫଗାନିସ୍ତାନ ଛାଡିବା ପୂର୍ବରୁ ସେଠାରେ ଛାଡି ଦେଇଥିଲା ।

ଆଫଗାନିସ୍ତାନରେ ଆମେରିକା ସେନା ଛାଡ଼ିଯାଇଥିବା ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଆତଙ୍କବାଦୀଙ୍କ ହାତରେ ପଡ଼ିବାରେ ଲାଗିଛି । ଗତ ଡିସେମ୍ବର ମାସରେ ଜମ୍ମୁ ଓ କଶ୍ମୀରରେ ଜବତ ହୋଇଥିବା ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ମଧ୍ୟରେ କେତେକ ଆମେରିକା ନିର୍ମିତ ଅସ୍ତ୍ରଶସ୍ତ୍ର ଥିଲା ।

Spread the love