ଶ୍ରୀମନ୍ଦିର ଗଲେ କ’ଣ ପିନ୍ଧିବେ

ଶ୍ରୀମନ୍ଦିରକୁ ଯିବାକୁ ହେଲେ କେଉଁ ଭଳି ପୋଷାକ ପିନ୍ଧିବେ, କେଉଁ ପୋଷାକକୁ ବାରଣ କରାଯାଇଛି ଏନେଇ ଆଜି ବିସ୍ତୁତ ଭାବେ ଜାରି ହୋଇଛି ପରାମର୍ଶ । ଆଜି ଏନେଇ ଶ୍ରୀମନ୍ଦିର ସୂଚନା କେନ୍ଦ୍ରରୁ ଭକ୍ତଙ୍କୁ ଅବଗତ କରାଯାଇଛିା ମାଇକ୍ ଯୋଗେଁ ଘୋଷଣା କରି ଭକ୍ତଙ୍କୁ କ’ଣ ପିନ୍ଧିବେ ସେସମ୍ପର୍କରେ ସୂଚନା ଦିଆଯାଇଛିା ଏଥିସହ ଆଜି ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଏକ ସଚେତନତା କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇ ଯାଇଛି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜାରି ହୋଇଥିବା ପରାମର୍ଶରେ ଦର୍ଶାଯାଇଛି ଯେ, ମନ୍ଦିରକୁ ଯିବା ବେଳେ ପୁରୁଷମାନେ ପ୍ୟାଣ୍ଟ ସାର୍ଟ, ଚୁଡ଼ିଦାର ପଞ୍ଜାବୀ, ଧୋତି ଆଦି ପାରମ୍ପାରିକ ପୋଷାକ ପିନ୍ଧିପାରିବେ। ସେହିପରି ମହିଳାମାନେ ଶାଢ଼ୀ,ଶାଲୱାର ଭଳି ଶାଳୀନତାପୂର୍ଣ୍ଣ ପୋଷାକ ପରିଧାନ କରିବେ। ତେବେ ହାଫ୍ ପ୍ୟାଣ୍ଟ, ଚିରାଫଟା ଜିନ୍ସକୁ ସମ୍ପୂର୍ଣ୍ଣ ଭାବେ ବର୍ଜନୀୟ ବୋଲି କୁହାଯାଇଛି।  ଅନାବଶ୍ୟକ ଭାବେ ଶରୀର ପ୍ରଦର୍ଶନ କରୁଥିବା ପୋଷାକ କିମ୍ବା ଧାର୍ମିକ ଭାବନକୁ କୁଠାରଘାତ କଲା ଭଳି ପୋଷାକ ବର୍ଜନୀୟ ବୋଲି ପରାମର୍ଶବଳୀରେ ଦର୍ଶାଯାଇଛି।   ପ୍ରତ୍ୟେକ ସ୍ତରରେ ଏବେଠୁ ସଚେତନତା ସୃଷ୍ଟି ସହ ଆସନ୍ତା ନୂଆବର୍ଷଠାରୁ ଏହି ନିୟମକୁ କଡ଼ାକଡ଼ି ଲାଗୁ ପାଇଁ ଦିଆଯାଇଛି ନିର୍ଦ୍ଦେଶ। ଏଥିନିମନ୍ତେ ଏବେଠୁ ବିଭିନ୍ନ ସ୍ତରରେ ଲୋକଙ୍କୁ ସଚେତନ କରିବାକୁ ଅଣ୍ଟା ଭିଡ଼ିଲାଣି ପୁରୀ ମନ୍ଦିର ପ୍ରଶାସନ।

ଏ ସଂପର୍କରେ ପ୍ରତ୍ୟେକ ସ୍ତରରେ ସଚେତନତା ସୃଷ୍ଟି ପାଇଁ ପ୍ରୟାସ କରାଯିବା ସହ ଆସନ୍ତା ନୂଆବର୍ଷଠାରୁ ଏହାକୁ ଯେପରି କଡ଼ାକଡ଼ି ଭାବେ ଲାଗୁ କରାଯିବ, ସେଦିଗରେ ପଦକ୍ଷେପ ନେବାକୁ ସମସ୍ତ ନିଯୋଗର ସଭାପତି, ସମ୍ପାଦକ ଏବଂ ହୋଟେଲ ମାଲିକଙ୍କୁ ଚିଠି କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ନିୟମ ଲାଗୁ ହୋଇନି, ବିବେକ ଅନୁସାରେ ଶାଳୀନତା ପୋଷାକ ପିନ୍ଧନ୍ତୁ ବୋଲି ଚିଠିରେ ଦର୍ଶାଯାଇଛି। ଶ୍ରୀମନ୍ଦିର ପ୍ରଶାସକଙ୍କ ପକ୍ଷରୁ ସବୁ ନିଯୋଗ ଓ ହୋଟେଲକୁ ଚିଠି ଲେଖିଛନ୍ତି ମୁଖ୍ୟ ପ୍ରଶାସକ।

ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି, ବହୁ ବର୍ଷ ଧରି ଏହି ନିୟମ ଲାଗୁ ହେବାର ଥିଲା। ଶାଳୀନତାପୂର୍ଣ୍ଣ ବାତାବରଣରେ ପ୍ରଭୁଙ୍କ ଦର୍ଶନ କରିବାକୁ ଭକ୍ତଙ୍କ ଆଗ୍ରହ ଥିବା ବେଳେ ତାହାକୁ କାର୍ଯ୍ୟକାରୀ କରିବାକୁ ଚେଷ୍ଟା ଚାଲିଛି। ଏଥିସହ ସେ କହିଛନ୍ତି, ଯିଏ ଦର୍ଶନ କରିବାକୁ ଆସୁଛନ୍ତି, ସେମାନେ ଘରୁ ଉଭୟ ଶାରୀରିକ ଓ ମାନସିକ ଭାବେ ପ୍ରସ୍ତୁତ ହୋଇ ଆସିବା ଦରକାର। ଏଥିପାଇଁ ୩ ମାସ ସମୟ ଦିଆଗଲା। ଇତି ମଧ୍ୟରେ ପୁରୀ ଆସୁଥିବା ଭକ୍ତଙ୍କୁ ସଚେତନତା କରାଯିବ । ବାହାର ରାଜ୍ୟରୁ ଆସୁଥିବା ଭକ୍ତଙ୍କୁ ସଚେତନ କରିବାକୁ ସେମାନଙ୍କ ଯାତ୍ରୀ ପଣ୍ଡାଙ୍କୁ କୁହାଯାଇଛି। ଏଥିସହ ବିଭିନ୍ନ ରାଜ୍ୟର ଗଣମାଧ୍ୟମରେ ବି ଏ ସଂକ୍ରାନ୍ତୀୟ ଖବର ପ୍ରକାଶିତ ହେଉଛି। ଗତକାଲି ଚିଠି ମାଧ୍ୟମରେ ହୋଟେଲ ଓ ରେଷ୍ଟୁରାଣ୍ଟ ଆସୋସିଏଶନ, ଯାତ୍ରୀ ପଣ୍ଡା, ନିଯୋଗମାନଙ୍କୁ ଏ ସମ୍ପର୍କରେ ସୂଚନା ଦିଆଯାଇଛି। କେବଳ ଭକ୍ତଙ୍କ ପାଇଁ ନୂଆ ନିୟମ ଲାଗୁ ହେଉନି, ଶ୍ରୀମନ୍ଦିରରେ ନିୟୋଜିତ କର୍ମଚାରୀ, ପୁଲିସ୍‌ଙ୍କୁ ମଧ୍ୟ ଶାଳୀନତାର ପାଠ ପଢ଼ାଯିବ । ସେମାନେ କିପରି ଭକ୍ତଙ୍କ ପ୍ରତି ଭଲ ଭାବେ ବ୍ୟବହାର ପ୍ରଦର୍ଶନ କରିବେ, ଫଳରେ ଭକ୍ତମାନେ ଭଲ ଅନୁଭୂତି ନେଇ ଫେରିବେ ସେଥିନିମନ୍ତେ ବି ସଚେତନତା କରାଯିବ ।

Spread the love