ରାଜ୍ୟ ସରକାର ଜାରି କଲେ ମାର୍ଚ୍ଚ ମାସର ନୂଆ ମାର୍ଗଦର୍ଶିକା ବା guidlines

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ପକ୍ଷରୁ ମାର୍ଚ୍ଚ ମାସ ପାଇଁ ନୂଆ ମାର୍ଗଦର୍ଶିକା ଜାରି କରିଛନ୍ତି। ଏହି ମାର୍ଗଦର୍ଶିକାରେ ରାଜ୍ୟ ସରକାରଙ୍କ ପକ୍ଷରୁ ପର୍ବପର୍ବାଣୀ ପାଳନ ଉପରେ ଅଧିକ ଧ୍ୟାନ ଦେଇଛନ୍ତି। ମହାଶିବରାତ୍ରୀ, ଦୋଳ ପୂର୍ଣ୍ଣିମା ଓ ହୋଲି ପାଳନ ବେଳେ ସତର୍କକତା ଅବଲମ୍ବନ କରିବାକୁ ନୂଆ ମାର୍ଗଦର୍ଶିକାରେ ଉଲ୍ଲେଖ କରାଯାଇଛି। ବିଶେଷ କରି ହୋଲି ସମୟରେ ବାହାରେ ରଙ୍ଗ ନଖେଳି ନିଜ ଘରେ ପରିବାର ସହ ହୋଲି ଖେଳିବାକୁ ରାଜ୍ୟ ସରକାର ପରାମର୍ଶ ଦେଇଛନ୍ତି। ସେହିପରି ସ୍ଥିତିକୁ ଦେଖି ସ୍ଥାନୀୟ ପ୍ରଶାସନ ହୋଲି ସମୟରେ କଟକଣା ଜାରି କରିପାରିବେ ବୋଲି ମଧ୍ୟ କୁହାଯାଇଛି।
ସେହିପରି ଦୋଳ ପୂର୍ଣ୍ଣିମା ପାଳନ ପାଇଁ ସରକାର ଅନୁମତି ଦେଇଛନ୍ତି । ହେଲେ ଧାର୍ମିକ ଅନୁଷ୍ଠାନରେ ସାମାଜିକ ଦୂରତା ଓ ମାସ୍କ ବ୍ୟବହାର ଭଳି କୋଭିଡ କଟକଣା ମଧ୍ୟରେ ଦୋଳ ପୂର୍ଣ୍ଣିମା ପାଳନ କରିବା ବାଧ୍ୟତାମୂଳକ ରହିଛି । ସେହିପରି ଦୋଳ ମେଲଣ ଉପରେ ସ୍ଥାନୀୟ ପ୍ରଶାସନ ଚାହିଁଲେ କଟକଣା ଲଗାଇପାରିବେ ଓ କେତେ ଜଣ ଏଥିରେ ସାମିଲ ହୋଇପାରି ସେ ନେଇ ମଧ୍ୟ ନିଷ୍ପତ୍ତି ନେଇପାରିବେ ବୋଲି ମାର୍ଗ ଦର୍ଶିକାରେ ଉଲ୍ଲେଖ କରାଯାଇଛି।ଆଜି ମହାଶିବରାତ୍ରୀ ଥିବାରୁ ଏହାର ପାଳନ ଉପରେ ମଧ୍ୟ ସରକାର କଟକଣା କୋହଳ କରିଛନ୍ତି। କୋଭିଡ କଟକଣା ସହ ମହାଶିବରାତ୍ରୀ ପାଳିବାକୁ ସରକାର ଅନୁମତି ଦେଇଛନ୍ତି । ସାମାଜିକ, ଧାର୍ମିକ ଓ ରାଜନୈତିକ ସମାବେଶକୁ ଅନୁମତି ଦିଆଯାଇଛି। ମେଳା, ପ୍ରଦର୍ଶନୀ ଓ ବାଣିଜ୍ୟ ମେଳାକୁ ମଧ୍ୟ ଅନୁମତି ମିଳିଛି।
ରାଜ୍ୟ ସରକାରଙ୍କ ପକ୍ଷରୁ ମାର୍ଚ୍ଚ ମାସ ପାଇଁ ଜାରି ହୋଇଥିବା ନୂଆ ମାର୍ଗଦର୍ଶିକାରେ ଅନଲକ ପ୍ରକ୍ରିୟା ଆରମ୍ଭ ହୋଇଛି। ନାଇଟ କର୍ଫ୍ୟୁକୁ ମଧ୍ୟ ରାଜ୍ୟରୁ ସମ୍ପୂର୍ଣ୍ଣ ଭାବେ ଉଠାଇ ଦିଆଯାଇଛି। ଏହାସବ ବିବାହ ଓ ବ୍ରତଘର ପାଇଁ କୋହଳ କରାଯାଇଥିବାବେଳେ ଏଥିରେ ସର୍ବାଧିକ ୫ଶହ ଜଣ ଯୋଗ ଦେବାକୁ ଅନୁମତି ମିଳିଛି । ସେହିପରି ଅନ୍ତ୍ୟେଷ୍ଟିକ୍ରିୟା ଓ ଶେଷକୃତ୍ୟରେ ୨୫୦ ଜଣଙ୍କୁ ସାମିଲ ହେବାକୁ ଅନୁମତି ମିଳିପାରିବ । ହେଲେ ଏନେଇ ସ୍ଥାନୀୟ ପ୍ରଶାସନଠୁ ଅନୁମତି ନେବାକୁ ପଡିବ ବୋଲି ମାର୍ଗଦର୍ଶିକାରେ କୁହାଯାଇଛି।

Spread the love