ପଡ଼ୋଶୀଙ୍କ ଆକ୍ରମଣରେ ବି‌ଜେପି ନେତ୍ରୀଙ୍କ ମୃତ୍ୟୁ; ପୁଅର ଅବସ୍ଥା ସଙ୍କଟାପନ୍ନ

ନୂଆଦିଲ୍ଲୀ: ଗୁଜରାଟର ଅମରେଲି ଜିଲ୍ଲାର ଧାରି ଅଞ୍ଚଳରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। । ପଡ଼ିଶାଙ୍କ ଆକ୍ରମଣରେ ଜଣେ ମହିଳା ନେତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ପୁଅ ଏଥିରେ ଗୁରୁତର ଆହତ ହୋଇଛନ୍ତି। ମୃତ ମହିଳା ନେତ୍ରୀଙ୍କ ନାମ ମଧୁବେନ ଯୋଶୀ ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ, ମଧୁବେନ ଯୋଶୀ ତାଙ୍କ ସ୍ୱାମୀ ଓ ପୁଅଙ୍କ ସହିତ ବସବାସ କରନ୍ତି। କିଛିଦିନ ତଳେ ପଡୋଶୀଙ୍କ ସହିତ ମଧୁବେନଙ୍କ ସାମାନ୍ୟ ବିବାଦ ଲାଗିଥିଲା। ଏହି ଘଟଣାକୁ କେନ୍ଦ୍ରକରି ମଧୁବେନ ତାଙ୍କ ପୁଅ ସହିତ ଘରେ ଥିବା ବେଳେ  ହଠାତ୍‌ ପଡ଼ୋଶୀଲୋକ ପଶି ଆସିଥିଲେ । ମା’ ଓ ପୁଅ କିଛି ବୁଝିବା ପୂର୍ବରୁ ପଡୋଶୀ ଦୁହିଁଙ୍କ ଉପରେ ଅତର୍କିତ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ମଧୁବେନ ଯୋଶୀ ଓ ତାଙ୍କ ପୁଅ ଗୁରୁତର ଆହତ ହୋଇଥିଲେ। ଏଭଳି କାଣ୍ଡ ଘଟାଇବା ପରେ ପଡ଼ିଶା ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ପଡ଼ିଶାଙ୍କ ଆକ୍ରମଣ ସମ୍ପର୍କରେ ଖବର ପାଇ ମଧୁବେନଙ୍କ ପରିବାରଲୋକ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହାପରେ  ମା’ ଓ ପୁଅଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ମଧୁବେନ ଯୋଶୀଙ୍କୁ ମୃତ ଘୋଷଣା କରିଥିବା ବେଳେ ତାଙ୍କ ପୁଅଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଚିକିତ୍ସା କରୁଥିବା ଡାକ୍ତର ସୂଚନା ଦେଇ କହିଛନ୍ତି। କାରଣ ପଡ଼ିଶାଙ୍କ ଆକ୍ରମଣରେ ବିଜେପି ନେତ୍ରୀଙ୍କ ପୁଅଙ୍କ ଶରୀରରେ ଗଭୀର ଆଘାତ ଲାଗିଛି।

ମୃତ ମଧୁବେନ ଯୋଶୀ ଧାରି ତାଲୁକା ପଞ୍ଚାୟତର ପୂର୍ବତନ ସଦସ୍ୟ ଥିଲେ। ଜଣେ ବିଜେପି ନେତ୍ରୀଙ୍କ ଏଭଳି ହତ୍ୟା ପରେ ସୁରକ୍ଷା ଓ ଆଇନ ବ୍ୟବସ୍ଥା ଉପରେ ଲୋକେ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି।  ବିଜେପି ନେତ୍ରୀଙ୍କ  ମୃତ୍ୟୁକୁ  ପୁଲିସ ଗମ୍ଭୀରତା ସହ ନେଇ ଯାଞ୍ଚ ଆରମ୍ଭ କରିଛି।

Spread the love