ଗୁଜରାଟ ଝୁଲା ପୋଲ ଭୁଶୁଡ଼ିବା ଘଟଣା : ଜାଣନ୍ତୁ ସଂପୂର୍ଣ୍ଣ ଘଟଣା…

ଅହମ୍ମଦାବାଦ ୩୧।୧୦ : ଗୁଜରାଟ ମୋରବୀରେ ଝୁଲା ପୋଲ ଭୁଶୁଡ଼ିବା ଘଟଣାରେ ମୃତ୍ୟୁ ସଂଖ୍ୟା ୧୪୧ରେ ପହଞ୍ଚିଛି। ଏହି ଐତିହ୍ୟ ବ୍ରିଜ୍ ମରାମତି ପରେ ସାଧାରଣ ଲୋକଙ୍କ ପାଇଁ ଖୋଲାଯାଇଥିଲା। କିନ୍ତୁ ଦୁର୍ଭାଗ୍ୟର ବିଷୟରେ ରବିବାର ଏହା ଉପରେ ପ୍ରାୟ ୫୦୦ ଲୋକ ଥିବା ସମୟରେ ଛିଡ଼ି ଯାଇଥିଲା। ଫଳରେ ନଦୀକୁ ଖସି ଏତେ ସଂଖ୍ୟାରେ ଲୋକଙ୍କ ମୃତ୍ୟୁ  ହୋଇଛି । ଘଟଣାରେ ପ୍ରାୟ ୧୭୭ ଜଣକୁ ଉଦ୍ଧାର କରାଯାଇଛି, ସେମାନଙ୍କର ଚିକିତ୍ସା କରାଯାଉଛି। ତେବେ ନଜର ପକାନ୍ତୁ ଘଟଣାକୁ ନେଇ ୧୦ ବଡ଼ ଦିଗ ଉପରେ।

  • ମଚ୍ଛୁ ନଦୀ ଉପରେ ଥିବା ଏହି ଐତିହ୍ୟ ବ୍ରିଜ୍‌ ମରାମତି ପାଇଁ ଗତ ୭ ମାସ ଧରି ବନ୍ଦ ରହିଥିଲା ।
  • ବ୍ରିଜ୍‌ ଉପରେ ମହିଳା, ଶିଶୁ ଏବଂ ବୃଦ୍ଧଙ୍କ ସମେତ  ପ୍ରାୟ ୫୦୦ ଲୋକ ଉପସ୍ଥିତ ରହିଥିଲେ।
  • ଅଧିକାଂଶ ଛଟ୍ ପୂଜା ପରମ୍ପରା ପାଇଁ ଏକାଠି ହୋଇଥିଲେ।
  • ବ୍ରିଜ୍‌ ଭୁଶୁଡ଼ିବା ପରେ ଲୋକମାନେ ଜଣେ ଅନ୍ୟ ଜଣକ ଉପରେ ପଡ଼ୁଥିବାର ଦେଖାଯାଉଛି। ସାମ୍ନାକୁ ଆସିଥିବା କିଛି ଭିଡିଓରେ ଦେଖାଯାଉଛି ଯେ କିଛି ଲୋକ ବ୍ରିଜ୍‌ରେ ଝୁଲି ରହୁଛନ୍ତି। ଏହା ସହ କିଛି ଲୋକ ପାଣିରେ ପଡ଼ିବା ପରେ ପହଁରି ପହଁରି କୂଳକୁ ଫେରୁଥିବାର ଦେଖାଯାଉଛି।
  • ଘଟଣାରେ ଗୁଜରାଟ ଶ୍ରମମନ୍ତ୍ରୀ ବ୍ରିଜେଶ ମର୍ଜା କହିଛନ୍ତି ଯେ, ବ୍ରିଜ୍‌ର ମରାମତି ଗତ ସପ୍ତାହରେ କରାଯାଇଥିଲା। ଘଟଣାକୁ ନେଇ ଆମେ ବି ଆଶ୍ଚର୍ଯ୍ୟ ବୋଲି କହିଛନ୍ତି। ଏହାସହ ଘଟଣାକୁ ନେଇ ସରକାର ସଜାଗ ଥିବା ନେଇ କହିଛନ୍ତି ମନ୍ତ୍ରୀ।
  • ଗୁଜରାଟ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ରବିବାରଠୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି ଏବଂ ଘଟଣାକୁ ନେଇ କେନ୍ଦ୍ର ରାଜ୍ୟ ସରକାରଙ୍କୁ ସହାୟତା କରିବାକୁ ପ୍ରସ୍ତୁତ।
  • ଘଟଣାରେ ଏକ ଅପରାଧିକ ମାମଲା ରୁଜୁ ହୋଇଛି। ଯାଞ୍ଚ ପରେ ଦୋଷୀଙ୍କ ଉପରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଗୁଜରାଟ ଗୃହମନ୍ତ୍ରୀ ହର୍ଷ ସାଙ୍ଘଭୀ କହିଛନ୍ତି ।
  • ସ୍ଥାନୀୟ ମହାନଗର ଅଧିକାରୀ ସନ୍ଦୀପସିଂହ ଜାଲା କହିଛନ୍ତି ଯେ, ବ୍ରିଜ୍ ମରାମତିରେ ଉଚିତ୍ ସୁରକ୍ଷା ବ୍ୟବସ୍ଥା ଅବଲମ୍ବନ କରାଯାଇନାହିଁ। ଫଳରେ ଏହି ଦୁର୍ଘଟଣା ଘଟିଥିଲା।
  • ଏନଡିଆରଏଫର ୫ ଟିମ୍ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ସେନା, ନୌସେନା ଏବଂ ବାୟୁସେନା ମଧ୍ୟ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି।
  • ରାଜ୍ୟ ସରକାର ମୃତକଙ୍କ ପରିବାରକୁ ୪ ଲକ୍ଷ ଲେଖାଏଁ କ୍ଷତିପୂରଣ ଏବଂ ଆହତଙ୍କୁ ୫୦ ହଜାର ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀ ମଧ୍ୟ ୨ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କରିଛନ୍ତି।
Spread the love