ମୋରବି ଝୁଲାପୋଲ ଦୁର୍ଘଟଣା: ରାଜ୍ୟର ସବୁ ପୋଲ ସର୍ଭେକ୍ଷଣ ଲାଗି ଗୁଜରାଟ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଅହମ୍ମଦାବାଦ ୨୪।୧୧: ମୋରବି ଝୁଲା ପୋଲ ଦୁର୍ଘଟଣାକୁ ନେଇ ଗୁଜରାଟ ହାଇକୋର୍ଟ ଉଦବେଗ ପ୍ରକାଶ କରିଛନ୍ତି। ରାଜ୍ୟରେ ଅନ୍ୟ ପୋଲ ଓ ସେତୁ ମାନଙ୍କର ସୁରକ୍ଷା ନେଇ କୋର୍ଟ ପ୍ରଶ୍ନ ଉଠାଇଥିବା ବେଳେ ପୋଲ ମାନଙ୍କର ମାନ ନିର୍ଦ୍ଧାରଣ ନିମନ୍ତେ ସର୍ଭେକ୍ଷଣ ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଏଥିରେ କୋର୍ଟ ରାଜ୍ୟ ସରକାରଙ୍କୁ କେତୋଟି ପୋଲ ଭଲ ସ୍ଥିତିରେଅଛି ତାହା ସୁନିଶ୍ଚିତ କରିବାକୁ କହିଛନ୍ତି। ମାମଲାରେ ହାଇକୋର୍ଟ ରାଜ୍ୟ ସରକାରଙ୍କ ଠାରୁ ରାଜ୍ୟରେ ଥିବା ସମସ୍ତ ପୋଲର ସୂଚୀ ମାଗିଛନ୍ତି। ଯେଉଁଥିରେ କେତୋଟି ପୋଲ ସ୍ୱଭାବିକ ସ୍ଥିତିରେ ରହିଛି ତାହା ଜଣାଇବାକୁ କୁହାଯାଇଛି। ସେହିପରି କୋର୍ଟଙ୍କୁ ସରକାର ଦେଉଥିବା ରିପୋର୍ଟ ପ୍ରମାଣିତ ହୋଇଥିବା ମଧ୍ୟ ଦରକାର ବୋଲି ସ୍ପଷ୍ଟ କରିଦେଇଛନ୍ତି। କୋର୍ଟ ରାଜ୍ୟରେ ଏପରି ତନ୍ତ୍ର ବିକଶିତ କରିବାକୁ ସରକାରଙ୍କୁ କହିଛନ୍ତି ଯେଉଁଥିରେ ଆଗକୁ ଏପରି ପୋଲ ଦୁର୍ଘଟଣା ନ ହୁଏ ତାହା ସୁନିଶ୍ଚିତ କରନ୍ତୁ। 

ସେହିପରି କୋର୍ଟ ପୋଲ ଦୁର୍ଘଟଣାରେ ମୃତ ଲୋକଙ୍କ ପରିଜନଙ୍କୁ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଇଥିବା କ୍ଷତିପୂରଣ ରାଶିକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। କୋର୍ଟ ଏହା ଯଥେଷ୍ଟ ନୁହେଁ ବୋଲି କହିଛନ୍ତି। ହାଇକୋର୍ଟ ଭୂପେନ୍ଦ୍ର ପଟେଲ ସରକାରଙ୍କୁ ପୋଲ ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ଦିଆଯାଇଥିବା କ୍ଷତିପୂରଣ ରାଶି ବହୁତ କମ ବୋଲି କହିଛନ୍ତି। କ୍ଷତିପୂରଣ ୱାଜିବ ହେବା ଦରକାର ବୋଲି କହିଛନ୍ତି କୋର୍ଟ ।

ଗୁଜରାଟ ହାଇକୋର୍ଟ କହିଛନ୍ତି ଯେ ମାମଲାର ରିପୋର୍ଟ ପଢିବା ପରେ ଦୁର୍ଘଟଣାରେ ମୃତ ଓ ଆହତଙ୍କ ପରିଜନଙ୍କୁ ମିଳିଥିବା କ୍ଷତିପୂରଣ ରାଶି ବୃଦ୍ଧି କରାଯିବା ଦରକାର। ଆହତଙ୍କ ଚିକିତ୍ସା ଲାଗି ୫୦ ହଜାର ଟଙ୍କାର ସହାୟତା ମଧ୍ୟ ବହୁତ କମ୍ ବୋଲି କୋର୍ଟ କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ମୋରବି ପୋଲ ଦୁର୍ଘଟଣାରେ ୧୩୦ ଜଣଙ୍କ ମୃତ୍ୟୁ ହୋଇଥିଲା। ଦୁର୍ଘଟଣାର ଗୁରୁତ୍ୱକୁ ଦେଖି ତୁରନ୍ତ ଯାଞ୍ଚ ନିର୍ଦ୍ଦେଶ ଦିଆଯାଇଥିଲା। ଏହି ଯାଞ୍ଚରୁ ପୋଲର ରକ୍ଷଣାବେକ୍ଷଣା ନାମରେ କେବଳ କାଗଜପତ୍ର କାମ ହୋଇଥିବା ଜଣାପଡିଥିଲା।

Spread the love