ଗୁଜୁରାଟରେ ଭୂମିକମ୍ପ, ତୀବ୍ରତା ୪.୩, ଥରିଲା ଜାମନଗର

ଗୁଜୁରାଟରେ ଭୂମିକମ୍ପ ହୋଇଥିବା ଜଣାପଡ଼ିଛି । ଗୁରୁବାର ସନ୍ଧ୍ୟା ୭:୧୩ ସମୟରେ ଜାମନଗର ଅଞ୍ଚଳରେ ମଧ୍ୟମ ଧରଣର ଭୂମିକମ୍ପ ଅନୁଭୁତ ହୋଇଛି । ରିକ୍ଟରେ ସ୍କେଲ୍‌ରେ ଏହାର ତୀବ୍ରତା ୪.୩ ଆକଳନ କରାଯାଇଛି।

ଭୂମିକମ୍ପ ସମୟରେ ଲୋକମାନଙ୍କ ଭିତରେ ଭୟରେ ବାତାବରଣ ଖେଳିଯାଇଥିଲେ । ଭୂକମ୍ପ ଅନୁଭୂତ ହେବା କ୍ଷଣିକ ଲୋକେ ଭୟରେ ଘରୁ ବାହାରି ଆସିଥିଲେ । ବାହାରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ତେବେ ଏଥିରେ ଏପର୍ଯ୍ୟନ୍ତ କୌଣସି ବଡ଼ ଧରଣର କ୍ଷୟକ୍ଷତି ହୋଇଥିବା ନେଇ ଖବର ମିଳି ନାହିଁ।

ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର(ନ୍ୟାସ୍‌ନାଲ ସେଣ୍ଟର ଫର୍‌ ସେସ୍‌ମୋଲୋଜୀ) ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁସାରେ ସନ୍ଧ୍ୟା ୭.୧୩ ମିନିଟ୍‌ରେ ଏହି ଭୂମିକମ୍ପ ହୋଇଥିଲା। ଆଜି ଗୁଜରାଟକୁ ମିଶାଇ ଭାରତରେ ଦୁଇଟି ସ୍ଥାନରେ ଭୂମିକମ୍ପ ହୋଇଥିବା ସୂଚନା ମିଳିଛି। ଆଜି ଦିନରେ ଜମ୍ମୁ ଓ କଶ୍ମୀର୍‌ରେ ମଧ୍ୟ ୩.୬ ତୀବ୍ରତାର ଏକ ଭୂମିକମ୍ପ ହୋଇଥିଲା। ସେଠାରେ ମଧ୍ୟ କୌଣସି ବଡ଼ ଧରଣରଣ କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି।

ସେପଟେ କେରବିୟାନ ଦେଶ ହାଇତିରେ ହୋଇଥିବା ଭୟଙ୍କର ଭୂମିକମ୍ପରେ ମୃତ୍ୟୁ ସଂଖ୍ୟା ୨,୧୮୯କୁ ବୃଦ୍ଧି ପାଇଛି। ସେହିପରି ୧୨,୨୬୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଗତ ଶନିବାର ହାଇତିର ଦକ୍ଷିଣାଞ୍ଚଳରେ ଏହି ଭୟଙ୍କର ଭୂମି କମ୍ପ ହୋଇଥିଲା। ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୭.୪ ଥିଲା। ଏଥିରେ ୭ ହଜାରରୁ ଅଧିକ ଘର ଭାଙ୍ଗିରୁଜି ଚୁରମାର ହୋଇଯାଇଥିବା ବେଳେ ୩୦ ହଜାର ଲୋକ ବେଘର ହୋଇଛନ୍ତି।

Spread the love