ଭୂପେନ୍ଦ୍ର ପଟେଲ୍ ଗୁଜରାଟର ନୂଆ ମୁଖ୍ୟମନ୍ତ୍ରୀ

ଭୂପେନ୍ଦ୍ର ପଟେଲ୍ ହେଲେ ଗୁଜରାଟର ନୂଆ ମୁଖ୍ୟମନ୍ତ୍ରୀ। ଆଜି ବିଧାୟକ ଦଳର ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି। ଶନିବାର ବିଜୟ ରୁପାଣୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଯାହା ପରେ ଆଗାମୀ ମୁଖ୍ୟମନ୍ତ୍ରୀ କିଏ ହେବ, ସେ ନେଇ ମନ୍ଥନ ଚାଲିଥିଲା। ଆଜି ଗୁଜରାଟର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଭୂପେନ୍ଦ୍ରଙ୍କ ନାଁ ଉପରେ ମୋହର୍ ଲାଗିଛି।ଭୂପେନ୍ଦ୍ରଭାଇ ରଜନୀକାନ୍ତ ପଟେଲ୍ ଗୁଜରାଟର ଘାଟଲୋଦିଆ ଆସନରୁ ବିଧାୟକ ଅଛନ୍ତି। ସେ ୨୦୧୭ ବିଧାନସଭା ନିର୍ବାଚନରେ ଅହମ୍ମଦାବାଦ ଜିଲ୍ଲାର ଘାଟଲୋଦିଆ ଆସନରେ କଂଗ୍ରେସର ଶଶୀକାନ୍ତ ବାସୁଦେବଭାଇ ପଟେଲଙ୍କୁ ହରାଇଥିଲେ।

ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୁପାଣୀ ଭୂପେନ୍ଦ୍ର ଭାଇ ପଟେଲଙ୍କ ନାଁ ପ୍ରସ୍ତାବ ଦେଇଥିଲେ। କେନ୍ଦ୍ର ପର୍ଯ୍ୟବେକ୍ଷକ ନରେନ୍ଦ୍ର ସିଂ ତୋମାର ଗାନ୍ଧିନଗରରେ ଥିବା ବିଜେପି କାର୍ଯ୍ୟାଳୟରେ ଗଣମାଧ୍ୟମକୁ ସମ୍ବୋଧନ କରି ଭୂପେନ୍ଦ୍ରଙ୍କ ନାଁ ଉପରେ ପ୍ରସ୍ତାବ ଆସିଥିବା କହିଛନ୍ତି। ଗୁଜରାଟର ଉପମୁଖ୍ୟମନ୍ତ୍ରୀ ନୀତୀନ ପଟେଲ୍ ମଧ୍ୟ ପ୍ରସ୍ତାବର ସମର୍ଥନ କରିଛନ୍ତି।

ଏହା ପୂର୍ବରୁ ଗୁଜରାଟର ମୁଖ୍ୟମନ୍ତ୍ରୀ ଦୌଡ଼ରେ କେନ୍ଦ୍ର ମନ୍ତ୍ରୀ ମନସୁଖ ମାଣ୍ଡଭୀୟ, ପୁରୁଷୋତ୍ତମ ରୁପାଲା, ଲକ୍ଷଦୀପର ପ୍ରଶାସକ ପ୍ରଫୁଲ୍ ପଟେଲ, ଗୁଜରାଟର ଉପମୁଖ୍ୟମନ୍ତ୍ରୀ ନୀତୀନ ପଟେଲ, ସିଆର୍ ପଟେଲ୍ ଓ ଗୋବର୍ଦ୍ଧନ ଝାଡାଫିୟା ମଧ୍ୟ ଥିଲେ।

ଗୁଜରାଟରେ ଆସନ୍ତାବର୍ଷ ଡିସେମ୍ବରରେ ବିଧାନସଭା ନିର୍ବାଚନ ହେବ। ଆଉ ଏହା ପୂର୍ବରୁ ରୁପାଣୀଙ୍କ ଇସ୍ତଫା ଦେବା ନିଷ୍ପତ୍ତିକୁ ଅନେକ ଦୃଷ୍ଟିକୋଣରୁ ମହତ୍ତ୍ୱପୂର୍ଣ୍ଣ କୁହାଯାଉଛି। ମିଳିଥିବା ସୂଚନା ମୁତାବକ, ବିଜେପି ଗୁଜରାଟରେ ଏବେ ନୂଆ ନେତୃତ୍ୱରେ ନିର୍ବାଚନ ଲଢ଼ିବାକୁ ଚାହୁଁଛି।

Spread the love