ଗୁଣି ଗାରେଡିକୁ ନେଇ ବୋମା ମାଡ଼

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ମହୁଲପାଳ ଗାଁରେ ଫୁଟିଲା ବୋମା । ଅଳ୍ପକେ ବର୍ତ୍ତିଲେ ଗୋଟିଏ ପରିବାରର ୫ ଜଣ ସଦସ୍ୟ । ଗୁଣି ଗାରେଡି ସନ୍ଦେହକୁ ନେଇ ବୋମା ମାଡ଼ ହୋଇଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ ଗାଁର ୨ ଜଣଙ୍କୁ ଅଟକ ରଖି ତଦନ୍ତ ଚଳାଇଛି କାମାକ୍ଷାନଗର ପୁଲିସ ।ସୂଚନା ଅନୁଯାୟୀ, ମହୁଲପାଳ ଗାଁର ବାଲୁଙ୍କେଶ୍ବର ଦେହୁରୀଙ୍କ ପରିବାର ଲୋକଙ୍କୁ ତାଙ୍କ ପାଖ ପଡୋଶୀ ରବି ନାରାୟଣ ପେଣ୍ଠେଇଙ୍କ ପରିବାର ଲୋକେ ଗୁଣି ଗାରେଡି କରୁଥିବା ନେଇ ଅଭିଯୋଗ ହୋଇ ଆସୁଥିଲା । ଯାହାକୁ ନେଇ ଗ୍ରାମବାସୀଙ୍କ ଉପସ୍ଥିତିରେ ଫଇସଲା ମଧ୍ୟ କରାଯାଇଥିଲା । କିନ୍ତୁ ଗତ କାଲି ଗାଁ ଠାକୁରାଣୀଙ୍କ ପୀଠରେ ନିୟମ କରିବାକୁ ନେଇ ଉଭୟ ପରିବାରଙ୍କ ମଧ୍ୟରେ ଘମାଘୋଟ ଝଗଡା ହୋଇଥିଲା । ଯାହାକୁ ନେଇ ରାତି ପ୍ରାୟ ସାଢ଼େ ୧୦ ଟା ସମୟରେ ରବିନାରାୟଣ ପେଣ୍ଠେଇ ଏବଂ ତାଙ୍କର ଦୁଇ ପୁଅ ବାଲୁଙ୍କେଶ୍ବରଙ୍କ ଘର ଉପରକୁ ୪ ଟି ବୋମା ପକେଇଥିଲେ । ଏଥିରେ ବାଲୁଙ୍କେଶ୍ବରଙ୍କ ପରିବାର ଲୋକେ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ତାଙ୍କ ଘରର ଗ୍ରୀଲ ,କବାଟ ଭାଙ୍ଗିବା ସହ କୋଠା ଘରଟି ଭୁଶୁଡି ଯାଇଥିଲା। ଏ ନେଇ କାମାକ୍ଷାନଗର ପୁଲିସ ଖବର ପାଇବା ପରେ ରବି ନାରାୟଣ ପେଣ୍ଠେଇ ଓ ତାଙ୍କ ପୁଅକୁ ଅଟକ ରଖି ଅଧିକ ତଦନ୍ତ ଚଳାଇଛି ।

Spread the love