ପଞ୍ଜାବ ନିର୍ବାଚନ ପୂର୍ବରୁ ଜେଲରୁ ବାହାରକୁ ଆସିବେ ରାମ ରହିମ

ଚଣ୍ଡିଗଡ ୦୭।୦୨: ପଞ୍ଜାବ ନିର୍ବାଚନ ପୂର୍ବରୁ ଡେରା ସଚ୍ଚା ସୌଦାର ପ୍ରମୁଖ ଗୁରମିତ ରାମ ରହିମ ଜେଲ୍‌ରୁ  ବାହାରିବେ। ନିଜର ଦୁଇ ଶିଷ୍ୟାଙ୍କ ସହ ଦୁଷ୍କର୍ମ ମାମଲାରେ ବର୍ତ୍ତମାନ ସେ ରୋହତକର ସୁନାରିଆ ଜେଲରେ ସଜା କାଟୁଛନ୍ତି। ତେବେ ରାମ ରହିମଙ୍କୁ ଜେଲରୁ ତିନି ସପ୍ତାହର ଛୁଟି ଦିଆଯାଇଛି। ଜେଲ୍‌ର ଜଣେ ଅଧିକାରୀ ସୋମବାର ଏହାର ସୂଚନା ଦେଇଛନ୍ତି।

ଏହା ପୂର୍ବରୁ ଅସୁସ୍ଥ ମାଆଙ୍କୁ ଭେଟିବା ପାଇଁ ତାଙ୍କୁ ସୂର୍ଯ୍ୟୋଦୟରୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ଅନେକ ଥର ଜରୁରୀକାଳୀନ ପାରୋଲ ଦିଆଯାଇଛି। ମାତ୍ର ଏଥର ତାଙ୍କୁ(ଫରଲୋ) ଛୁଟି ଦିଆଯାଇଛି। ହରିୟାଣାର ମନ୍ତ୍ରୀ ରଞ୍ଜିତ ସିଂହ ଚୌଟାଲା କହିଛନ୍ତି, ଆଇନ ଅନୁସାରେ ପ୍ରତ୍ୟେକ କଏଦୀଙ୍କୁ ଫରୋଲ ପାଇବାର ଅଧିକାର ରହିଛି। ଏହା ଡେରା ମୁଖ୍ୟଙ୍କ ଉପରେ ମଧ୍ୟ ଲାଗୁ ହେଉଛି।

ରାମ ରହିମଙ୍କୁ ଛୁଟି ମିଳିବା ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ ଏକ ଗୁରୁତ୍ଵପୂର୍ଣ୍ଣ ଘଟଣାକ୍ରମ ଭାବେ ଦେଖାଯାଉଛି। ରାଜ୍ୟରେ ଫେବୃଆରୀ ୨୦ରେ ମତଦାନ ହେବାକୁ ଯାଉଛି। ସିରସା ସ୍ଥିତ ଡେରା ସଚ୍ଚା ସୌଦାର ମୁଖ୍ୟଙ୍କ ପଞ୍ଜାବର ଅନେକ ବିଧାନସଭା ଆସନରେ ପ୍ରଭାବ ରହିଛି।

ହରିୟାଣାର ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର କହିଛନ୍ତି, ଗୁରମିତ ରାମ ରହିମଙ୍କୁ ଫରଲୋ ଦିଆଯିବା ନିର୍ବାଚନ ସହ କୌଣସି ସଂପର୍କ ନାହିଁ। ଡେରା ପ୍ରମୁଖଙ୍କୁ ପ୍ରକ୍ରିୟା ଏବଂ ଆଇନ ଆଧାରରେ ଏହି ଛୁଟି ମିଳିଛି। ଏଥିରେ ସରକାରଙ୍କ କୌଣସି ସଂପର୍କ ନାହିଁ । ଡେରା ମୁଖ୍ୟ ତିନି ବର୍ଷର ସଜା ପୂରା କରି ସାରିଛନ୍ତି। ଏଥିପାଇଁ ଫରଲୋ ଦେବାକୁ ସେ ଆବେଦନ କରିଥିଲେ। ସବୁ କିଛି ଆଇନ ଅନୁସାରେ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Spread the love