ଭାରତରେ ତିଆରି ହେବ ରୁଷର ବେସାମରିକ ବିମାନ, HAL ଓ UAC ମଧ୍ୟରେ ଚାଲିଛି ଆଲୋଚନା

ନୂଆଦିଲ୍ଳୀ : ଭାରତରେ ତିଆରି ହେବ ରୁଷର ବେସାମରିକ ବିମାନ । ଏ ପ୍ରସଙ୍ଗରେ ଭାରତର ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ୍ HAL ଓ ରୁଷର ୟୁନାଇଟେଡ୍ ଏୟାର୍କ୍ରାଫ୍ଟ କର୍ପୋରେସନ, UAC ମଧ୍ୟରେ ଚାଲିଛି ଆଲୋଚନା। ଯୁଦ୍ଧ ଯୋଗୁ ରୁଷ ଉପରେ ବିଶ୍ୱର ବିଭିନ୍ନ ଦେଶ କଟକଣା ଲଗାଇଛନ୍ତି। ତେଣୁ ବିମାନ ତିଆରି ଲାଗି ରୁଷକୁ ଆବଶ୍ୟକ ବିଦେଶୀ ସରଞ୍ଜାମ ମିଳିପାରୁ ନାହିଁ। ତେଣୁ ବିଦେଶୀ ସରଞ୍ଜାମ ନେଇ ଭାରତରେ ସୁଖୋଇ ସୁପରଜେଟ୍ ନିର୍ମାଣ ପାଇଁ ଯୋଜନା ହେଉଛି। ରୁଷରେ ରୁଷ ଯନ୍ତ୍ରାଂଶ ବ୍ୟବହାରରେ ସୁପରଜେଟ୍ ତିଆରି ହେବ ଏବଂ ବିଦେଶୀ ଯନ୍ତ୍ରାଂଶ ଲଗାଇବା ପାଇଁ ଭାରତରେ ହେବ ସୁଖୋଇ ସୁପରଜେଟ୍ ଇଣ୍ଟନ୍ୟାସନାଲ୍ ପ୍ରକଳ୍ପ। ଏ ପ୍ରସଙ୍ଗରେ ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ୍ ସହ ଆଲୋଚନା ଚାଲିଥିବା ନେଇ UACର ମହାନିର୍ଦ୍ଦେଶକ, ୟୁରି ବି ସ୍ଲାୟୁସାର ସୂଚନା ଦେଇଛନ୍ତି।

ସୁପରଜେଟ୍-୧୦୦ ହେଉଛି ଏକ ୧୦୦ ସିଟ୍ ବିଶିଷ୍ଟ ବେସାମରିକ ବିମାନ। ଏହା ସୁଖୋଇ କର୍ପୋରେସନ ଦ୍ୱାରା ନିର୍ମିତ ହେଉଛି। ସୁଖୋଇ କର୍ପୋରେସନ ମିଗ୍ କର୍ପୋରସନ ମିଶ୍ରଣ ହୋଇ ୟୁନାଇଟେଡ୍ ଏୟାରକ୍ରାଫ୍ଟ କର୍ପୋରେସନ ହୋଇଛି। ଖୁବଶୀଘ୍ର ଇଲିୟୁସିନ ଓ ଟୁପୋଲୋଭ କମ୍ପାନୀ ମଧ୍ୟ UACରେ ମିଶିବେ। ଯଦି ଭାରତରେ ସୁପରଜେଟ୍ ବେସାମରିକ ବିମାନ ତିଆରି ହୁଏ ତେବେ ଘରୋଇ ବିମାନସେବା କ୍ଷେତ୍ରର ଆବଶ୍ୟକତା ପୂରଣ ହୋଇପାରିବ। ଭାରତରେ ବେସାମରିକ ବିମାନ ସେବା କ୍ଷେତ୍ର ସମ୍ପ୍ରସାରିତ ହେଉଛି। ନିକଟରେ ଏୟାର ଇଣ୍ଡିଆ ଏୟାରବସରୁ ୨୫୦ ଓ ବୋଇଂରୁ ୨୨୦ ବିମାନ କିଣିବ ବୋଲି ଘୋଷଣା କରିଥିଲା। ସ୍ଥାନୀୟ ଚାହିଦା ଦେଖି ଭାରତରେ ଫାଇଟର ଜେଟ୍ ଇଞ୍ଜିନ ତିଆରି ପାଇଁ ବିଶ୍ୱର ପ୍ରମୁଖ କମ୍ପାନୀ ଜେନେରାଲ ଇଲେକ୍ଟ୍ରୋନିକ୍ସ, ରୋଲ୍ସ ରୋୟସ ଓ ସାଫ୍ରାନ ସହ ଆଲୋଚନା ଚାଲିଛି। ଏ ସମୟରେ ଯଦି ଭାରତରେ ସୁପରଜେଟ୍ ନିର୍ମାଣ ହୁଏ ତେବେ ଏହା ବଡ଼ ଉପଲବ୍ଧି ହେବ। ମିଗ୍, ସୁଖୋଇ ଭଳି ରୁଷ ଯୁଦ୍ଧ ବିମାନ ଭାରତରେ ନିର୍ମିତ ହେଉଛି। ଏବେ ସାମରିକରୁ ବେସାମରିକ ବିମାନ ନିର୍ମାଣ ସମ୍ଭାବନା ବଢିଛି।

Spread the love