୫୬ ବର୍ଷ ବୟସରେ ପଦାର୍ପଣ କଲେ ଅମିତ ଶାହ, ମୋଦି ଜଣାଇଲେ ଜନ୍ମଦିନର ଶୁଭେଚ୍ଛା

ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଜନ୍ମଦିନ। ୫୬ ବର୍ଷରେ ପାଦ ଥାପିଛନ୍ତି ଶାହ। ଜନ୍ମଦିନ ଅବସର​ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପୀୟୁଷ ଗୋଏଲ, ନିତିନ ଗଡ଼କରି ଓ ଯୋଗୀ ଆଦିତ୍ୟନାଥଙ୍କ ସମେତ ବିଜେପିର ବହୁ ବରିଷ୍ଠ ନେତା ତାଙ୍କୁ ଟ୍ବିଟ କରି ଶୁଭେଚ୍ଛା ଜଣାଇଛନ୍ତି।

ମୋଦି ଜନ୍ମଦିନର ଶୁଭେଚ୍ଛା ଦେବା ସହ କହିଛନ୍ତି ଯେଉଁ ପ୍ରକାରରେ ସେ ଦେଶର ବିକାଶ ଦିଗରେ ଯୋଗଦାନ ଦେଉଛନ୍ତି ତାର ସମସ୍ତେ ସାକ୍ଷୀ ଅଛନ୍ତି। ବିଜେପିକୁ ମଜବୁତ କରିବା ଦିଗରେ ତାଙ୍କର ଯୋଗଦାନ ଖୁବ୍ ଗୁରୁତ୍ବପୂଣ୍ଣ। ଈଶ୍ବର ତାଙ୍କୁ ଭାରତର ସେବା ଓ ସୁସ୍ଥ ଜୀବନ ପ୍ରଦାନ କରନ୍ତୁ ବୋଲି ସେ କାମନା କରିଛନ୍ତି।

ନରେନ୍ଦ୍ର ମୋଦି ଓ ଅମିତ ଶାହଙ୍କ ଭେଟ ୧୯୮୭ରେ ହୋଇଥିଲା। ମୋଦି ଓ ଶାହ ଗୁଜରାଟରୁ କଂଗେସକୁ କ୍ଷମତାରୁ ବାହାର କରିବା ସହ ବିଜେପିକୁ ଏମିତି ଏକ ସ୍ତରରେ ଆଣି ଛିଡ଼ା କରିଛନ୍ତି ଯାହାକୁ କେହି ଦୋହଲାଇ ପାରୁବାକୁ ଏଯାଏଁ ସକ୍ଷମ ହୋଇ ନାହାନ୍ତି। ବିଜେପି ଯେତେବେଳେ ନରେନ୍ଦ୍ର ମୋଦିଙ୍କୁ କେନ୍ଦ୍ର ରାଜନୀତିରେ ଆଣିବା ନିଷ୍ଟିତ୍ତି ନେଲେ ସେତେବେ​‌ଳେ ମଧ୍ୟ ଶାହ ଏ ଦିଗରେ ସାଥ୍ ଦେଇଥିଲେ।

ସେହିପରି ଯୋଗୀ , ନୀତିନ ଗଡ଼କରି, ପୀୟୁଷ ଗୋଏଲ ମଧ୍ୟ ତାଙ୍କର ଦୀର୍ଘ ଓ ସୁସ୍ଥ ଜୀବନ କାମନା କରି ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି।

ଉଲ୍ଲେଖନୀୟ ଯେ ସେ କରୋନାରେ ସଂକ୍ରମିତ ହୋଇ ଥିଲେ। କରୋନାରୁ ସୁସ୍ଥ ହେବା ପରେ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ବିଗିଡ଼ିବାରୁ କିଛି ଦିନ ଦିଲ୍ଲୀ ଏମ୍ସରେ ରହିବାକୁ ପଡ଼ିଥିଲା। ସେଠାରୁ ସୁସ୍ଥ ହୋଇ ଆସିବା ପରେ ପୁଣି ତାଙ୍କ କାର୍ଯ୍ୟଭାର ସମ୍ଭାଳିଲେ।

Spread the love