ଇଞ୍ଜିନିୟର ଦିବସର ନାୟକଙ୍କ ସୃଷ୍ଟି ଥିଲା କିଛି ଏଭଳି
ଏକାଧାରାରେ ଜଣେ ଦକ୍ଷ ସ୍ଥପତି, ଦକ୍ଷ ଅର୍ଥନୀତିଜ୍ଞ, ସୁଦକ୍ଷ ପ୍ରଶାସକ ଓ ଉତ୍ସର୍ଗୀକୃତ ଦେଶହିତୈଶୀ ଥିଲେ ଇଞ୍ଜିନିୟର ମୋକ୍ଷଗୁଣ୍ଡମ ବିଶ୍ୱେଶ୍ୱରୟା । ସେ ୧୫ ସେପ୍ଟେମ୍ବର ୧୮୬୦ରେ, ପୂର୍ବତନ ମହୀଶୂର ରାଜ୍ୟ ଓ ବର୍ତ୍ତମାନର କର୍ଣ୍ଣାଟକ ପ୍ରଦେଶର କୋଲାବା ଜିଲ୍ଲାର ଏକ ନିପଟ ମଫସଲ ଗାଁ ମୁଦ୍ଦେନହାଲ୍ଲୀର ଏକ ତେଲୁଗୁ ବ୍ରାହ୍ମଣ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ପିତା ନିବାସୀ ଶାସ୍ତ୍ରୀ ଜଣେ ସଂସ୍କୃତ ପଣ୍ଡିତ ଥିବା ବେଳେ ମାତା ଭେଙ୍କଟାଚାମ୍ ଥିଲେ ସାଧାରଣ ଗୃହିଣୀ । ପ୍ରତିବର୍ଷ ସେପ୍ଟେମ୍ବର ୧୫ ତାରିଖରେ ସାରା ଦେଶର ପ୍ରସିଦ୍ଧ ଇଞ୍ଜିନିୟର ମୋକ୍ଷଗୁଣ୍ଡମ ବିଶ୍ୱେଶ୍ୱରୟାଙ୍କ ଜନ୍ମଦିନ ପାଳିତ ହୋଇଥାଏ ଏବଂ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ଉଦ୍ଦେଶ୍ୟରେ ଏହି ଦିନଟିକୁ ସାରା ଦେଶରେ ଇଞ୍ଜିନିୟର୍ସ ଦିବସ ଭାବେ ପାଳନ କରାଯାଏ। ୧୮୮୪ ମସିହାରେ ବମ୍ବେ ବିଶ୍ୱବିଦ୍ୟାଳୟରୁ ସିଭିଲ ଇଂଜିନିୟରିଂରେ ସର୍ବୋଚ୍ଚ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇ ନିଜର ଅସାଧାରଣ ପ୍ରତିଭାକୁ ପ୍ରମାଣିତ କରିଥିଲେ ସେ । ବମ୍ବେ ବିଶ୍ୱବିଦ୍ୟାଳୟର ସର୍ବଶ୍ରେଷ୍ଠ ଇଞ୍ଜିନିୟରିଂ ଗ୍ରାଜୁଏଟ୍ ଭାବେ ବିଶେଶ୍ୱରୟାଙ୍କୁ ସେହି ବର୍ଷ ଅର୍ଥାତ୍ ୧୮୮୪ ମସିହାରେ ବମ୍ବେ ପ୍ରଦେଶର ପୂର୍ତ୍ତ ବିଭାଗରେ ସହକାରୀ ଯନ୍ତ୍ରୀ ଭାବରେ ନିଯୁକ୍ତି ମିଳିଥିଲା । ଭାରତରେ ବମ୍ବେ ଭଳି ଏକ ଜନବହୁଳ ନଗରର ରାସ୍ତଘାଟ, ପାନୀୟ ଜଳ, ପରିମଳ ବ୍ୟବସ୍ଥାର ଭିତ୍ତିଭୂମି ନିର୍ମାଣ କାର୍ଯ୍ୟକୁ ଦୂରଦୃଷ୍ଟିର ସହ ଖୁବ୍ ସଫଳତା ପୂର୍ବକ ନିର୍ବାହ କରି, କେବଳ ବମ୍ବେ ନୁହେଁ, ସମଗ୍ର ଦେଶର ଦୃଷ୍ଟି ଆକର୍ଷଣ କରିପାରିଥିଲେ ଇଂ ବିଶେଶ୍ୱରାୟା ।
୧୯୯୫ ମସିହାରେ ତାଙ୍କୁ ଦେଶର ସମ୍ମାନଜନକ ପୁରସ୍କାର ଭାରତ ରତ୍ନ ପ୍ରଦାନ କରାଯାଇଥିଲା। ଦେଶରେ ନିର୍ମିତ ଅନେକ ବଡ ନଦୀ ବନ୍ଧ, ସେତୁ ଏବଂ ପାନୀୟ ଜଳ ଯୋଜନାକୁ ସଫଳ କରିବା ପଛରେ ତାଙ୍କର ବଡ଼ ହାତ ରହିଛି। ତାଙ୍କ ପାଇଁ ଦେଶରେ ଜଳ ସମସ୍ୟା ସମାଧାନ ହୋଇପାରିଥିଲା।
ବିଶ୍ୱେଶ୍ୱରୟାଙ୍କ ଶିକ୍ଷା ଏବଂ ଇଞ୍ଜିନିୟରିଂରେ ଉଲ୍ଲେଖନୀୟ ଅବଦାନ ରହିଛି। ଦେଶରେ ଅଶିକ୍ଷା, ଦାରିଦ୍ର, ବେକାରୀ ଭଳି ସମସ୍ୟାକୁ ନେଇ ପ୍ରାୟତଃ ସେ ଚିନ୍ତିତ ରହୁଥିଲେ। ମୈଶୁରରେ ତାଙ୍କର କାର୍ଯ୍ୟକାଳ ସମୟରେ ସେ ସ୍କୁଲ ସଂଖ୍ୟାକୁ ୪,୫୦୦ ରୁ ୧୦,୫୦୦ କୁ ବୃଦ୍ଧି କରିଥିଲେ। ଏହା ସହିତ ସେ ଅନେକ କୃଷି, ଇଞ୍ଜିନିୟରିଂ ଏବଂ ଇଣ୍ଡଷ୍ଟ୍ରିଆଲ୍ କଲେଜ ମଧ୍ୟ ଖୋଲିଥିଲେ ଯାହାଦ୍ୱାରା ଦେଶର ଯୁବକମାନେ ଭଲ ଶିକ୍ଷା ପାଇପାରିବେ। ବିଶ୍ୱେଶ୍ୱରୟାଙ୍କ ସମ୍ମାନାର୍ଥେ କର୍ଣ୍ଣାଟକରେ ତାଙ୍କ ନାମରେ ଏକ କଲେଜ ମଧ୍ୟ ନିର୍ମାଣ କରାଯାଇଛି। ଏହା ପରେ ବାଙ୍ଗାଲୋରରେ ତାଙ୍କ ନାମରେ ନାମିତ ଦୁଇଟି ଟେକ୍ନୋଲୋଜି ପ୍ରତିଷ୍ଠାନ ମଧ୍ୟ ଖୋଲାଯାଇଛି। ଏହି ମହାନ ଭାରତୀୟଙ୍କ ସମ୍ମାନାର୍ଥେ ବାଙ୍ଗାଲୋରରେ ବିଶ୍ୱେଶ୍ୱରୟା ଶିଳ୍ପ ଏବଂ ପ୍ରଯୁକ୍ତିବିଦ୍ୟା ସଂଗ୍ରହାଳୟ ମଧ୍ୟ ପ୍ରତିଷ୍ଠା କରାଯାଇଛି।
୧୮୮୫ ମସିହାରେ ମୋକ୍ଷାଗୁଣ୍ଡମ୍ ନାଶିକ୍, ଖଣ୍ଡେଶ ଏବଂ ପୁନାରେ ସହକାରୀ ଇଞ୍ଜିନିୟର ଭାବରେ କାର୍ଯ୍ୟ କରିଥିଲେ। ଏହା ପରେ, କାର୍ଯ୍ୟନିର୍ବାହୀ ଇଞ୍ଜିନିୟର ଭାବେ ଦାୟିତ୍ଵ ଗ୍ରହଣ କରି ସେ ଦେଶର ଅନେକ ସ୍ଥାନରେ ବିଭିନ୍ନ ବିକାଶ ମୂଳକ ନିର୍ମାଣ କାର୍ଯ୍ୟ କରିଥିଲେ । ୧୯୦୯ ମସିହାରେ, ସେ ବ୍ରିଟିଶ ସେବାରୁ ଅବସର ନେଇଥିଲେ। ଏହା ପରେ ସେ ମୈଶୁର ସରକାରଙ୍କ ପାଇଁ ସଚିବ ଏବଂ ମୁଖ୍ୟ ଯନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ। ୧୯୧୩ ମସିହାରେ ସେ ମୈଶୁରର ଦିୱାନ୍ ହୋଇଥିଲେ। ୧୯୨୭ ମସିହାରୁ ୧୯୫୫ ପର୍ୟ୍ୟନ୍ତ ସେ ଟାଟା ଷ୍ଟିଲର ବୋର୍ଡ ଅଫ୍ ଡାଇରେକ୍ଟର୍ସ ଭାବରେ ନିଯୁକ୍ତ ହୋଇଥିଲେ। ଦକ୍ଷିଣ ବେଙ୍ଗାଲୁରୁର ଜୟନଗର ଅଞ୍ଚଳର ଡିଜାଇନ୍ ଏବଂ ପ୍ଲାନିଂ ପାଇଁ ବିଶ୍ୱେଶ୍ୱରୟା ବେଶ ଜଣାଶୁଣା ଥିଲେ। ଏସିଆର ସର୍ବୋତ୍ତମ ପ୍ଲାନେଡ୍ ଲେଆଉଟ୍ ମଧ୍ୟରୁ ଅନ୍ୟତମ ହେଉଛି ଜୟନଗର, ଯାହାକି ମୋକ୍ଷଗୁଣ୍ଡମ ବିଶ୍ୱେଶ୍ୱରୟାଙ୍କ ଦ୍ୱାରା ସମ୍ପୂର୍ଣ୍ଣ ରୂପେ ପରିକଳ୍ପିତ ହୋଇଥିଲା।
କେବଳ ସେତିକି ନୁହେଁ ୧୯୩୯ ମସିହାରେ ମହାତ୍ମା ଗାନ୍ଧୀଙ୍କ ପରାମର୍ଶକ୍ରମେ ଓଡ଼ିଶା ଆସି ବନ୍ୟା ପ୍ରପୀଡ଼ିତ ଓଡ଼ିଶାର ଦୁର୍ଦ୍ଦଶା ଲାଘବ ନିମିତ୍ତ ମହାନଦୀ ଅବବାହିକାର ଉପର ମୁଣ୍ଡରୁ ତଳମୁଣ୍ଡ ପର୍ଯ୍ୟନ୍ତ ଅଗମ୍ୟ ଅଞ୍ଚଳମାନଙ୍କୁ ହାତୀରେ ଯାଇ ସର୍ବେକ୍ଷଣ କରିଥିଲେ । ଓଡ଼ିଶାକୁ ବନ୍ୟା ଦାଉରୁ ରକ୍ଷା ପାଇଁ ମହାନଦୀରେ ହୀରାକୁଦ ସମେତ ତିନୋଟି ସ୍ଥାନରେ ବନ୍ଧ ନିର୍ମାଣ କରିବାକୁ ସେତେବେଳେ ସେ ପରାମର୍ଶ ଦେଇଥିଲେ ।