ଧୂମଧାମରେ ପାଳିତ ହେଲା ଲାଟସାହେବ ହୋଲି

ଶାହାଜାହାଁପୁର ୧୯।୩: ସବୁବର୍ଷ ପରି ଚଳିତବର୍ଷ ମଧ୍ୟ ୟୁପି ଶାହାଜାହାଁପୁରରେ ଲାଟସାହେବ ହୋଲି ଧୂମଧାମରେ ପାଳିତ ହୋଇଛି। ତତ୍କାଳୀନ ଇଂରେଜ ସରକାରଙ୍କ ବିରୋଧରେ ଲୋକଙ୍କ ପୁଞ୍ଜିଭୂତ ଅସନ୍ତୋଷର ଏହି ସାଂସ୍କୃତିକ କାର୍ଯ୍ୟକ୍ରମ କ୍ରମଶଃ ଏଠାରେ ଲୋକସଂସ୍କୃତିରେ ପରିଣତ ହୋଇଛି। ଗତବର୍ଷ କୋଭିଡ ସତ୍ତ୍ୱେ ମଧ୍ୟ ଏଠାରେ ଲାଟସାହେବ ହୋଲି ଅନୁଷ୍ଠିତ ହୋଇଥିଲା। ଚଳିତବର୍ଷ କୋଭିଡ ଥମିଯାଇଥିବାରୁ ଲୋକେ ଘରୁବାହାରକୁ ଆସି ନିଧଡକରେ ହୋଲି ଖେଳିବା ସହ ଲାଟ ସାହେବଙ୍କୁ ଜୋତା ଚପଲ ଓ ଗୋବରରେ ସ୍ୱାଗତ କରିଛନ୍ତି।

ସବୁବର୍ଷ ଭଳି ଚଳିତବର୍ଷ ମଧ୍ୟ କଡ଼ା ସୁରକ୍ଷାରେ ଲାଟସାହେବ ହୋଲି ଖେଳିଯାଇଥିଲା। ସକାଳ ପ୍ରାୟ ୧୦ଟା ବେଳେ ଛୋଟା ଚୌକସ୍ଥିତ ଫୁଲମତି ମନ୍ଦିରରେ ଲାଟସାହେବ ମୁଣ୍ଡିଆ ମାରିବା ପରେ ତାଙ୍କୁ ମଇଁଷି ଟଣା ଗାଡିରେ ବସାଯାଇଥିଲା। ଯାହା ସିଧା ଚୌକ କୋତୱାଲି (ଥାନା)କୁ ଯାଇଥିଲା। ପରମ୍ପରା ଅନୁସାରେ ସେଠାରେ ଥାନା କର୍ମଚାରୀମାନେ ଲାଟସାହେବଙ୍କୁ ସାଲ୍ୟୁଟ କରିବା ସହ ଉପହାର ମଧ୍ୟ ଦେଇଥିଲେ। ସେଠାରୁ ଶୋଭାଯାତ୍ରା ସହରର ବିଭିନ୍ନ ଗଳିକନ୍ଦି ଭ୍ରମଣ କରିଥିଲା।

ଏହି କାଳରେ ଲାଟସାହେବଙ୍କ ଶୋଭାଯାତ୍ରା ଖମ୍ବା, କେରୁଗଞ୍ଜ, ଅଣ୍ଟା ଛକ, ସୁଦାମା ଛକ, ସଦର ବଜାର ଥାନା ରାସ୍ତାରେ ବିଶ୍ୱନାଥ ମନ୍ଦିର ପର୍ଯ୍ୟନ୍ତ ଯାଇଥିଲା। ଗାଡିରୁ ଓହ୍ଲାଇ ଲାଟସାହେବ ବିଶ୍ୱନାଥ ମନ୍ଦିରରେ ଦିଅଁଙ୍କୁ ମୁଣ୍ଡିଆ ମାରିବା ପରେ ଘଣ୍ଟାଘର ଛକକୁ ନିଆଁ ଯାଇ ସେଠାରେ ଶୋଭାଯାତ୍ରା ସମାପ୍ତ ହୋଇଥିଲା। ଇଂରେଜ ସରକାରଙ୍କ ଅତ୍ୟାଚାରକୁ ବିରୋଧ କରି ଲୋକେ ହୋଲିରେ ଲାଟସାହେବ ହୋଲି ପାଳନ ଆରମ୍ଭ କରିଥିଲେ। ଏଥିରେ ପାରିଶ୍ରମିକ ନେଇ ଲାଟସାହେବ ହେଉଥିବା ଲୋକଟି ଉପରେ ତତ୍କାଳୀନ ଲାଟସାହେବଙ୍କ ଉପରେ ଥିବା ରୋଷ ସୁଝା ଯାଉଥିଲା।

ଏଥର ମଧ୍ୟ ଛୋଟେ ଲାଟସାହବ ଶୋଭାଯାତ୍ରା ସରାୟ କାଇୟାଂ ମହଲାରୁ ବାହାରିଥିଲା। ସହରରେ ହୋଲି ଆୟୋଜନକୁ ନେଇ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ ପୋଲିସ ଫୋର୍ସଙ୍କ ସହ ଆରଏଏଫ ମଧ୍ୟ ମୁତୟନ ହୋଇଥିଲେ। ହୋଲି ସମ୍ପୂର୍ଣ୍ଣ ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ ହୋଇଛି।

Spread the love