ଝଲସିବ ହରିଶଙ୍କର ପୀଠ, ବେଳାଭୂମିର ହେବ ଉନ୍ନତୀକରଣ

ଭୁବନେଶ୍ୱର: ଆଗାମୀ ଡିସେମ୍ବର ମାସ ସୁଦ୍ଧା ଉଭୟ ହରିଶଙ୍କର ଓ ନୃସିଂହନାଥ ପୀଠର ଉନ୍ନତୀକରଣ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ସମାପ୍ତ ହେବ। ଏଠାରେ ପାର୍କିଂ, ଶୌଚାଳୟ, ମାର୍କେଟ କମ୍ପ୍ଳେକ୍ସ, ପାନୀୟ ଜଳ, ସ୍ଥାନୀୟ ଦୋକାନୀମାନଙ୍କ ପାଇଁ ଆଧୁନିକ ଶୈଳୀରେ ଦୋକାନ ଗୃହ ନିର୍ମାଣ ଆଦି କାର୍ଯ୍ୟ ଡିସେମ୍ବର ସୁଦ୍ଧା ଶେଷ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଅସିତ ତି୍ରପାଠୀ ନିର୍ଦ୍ଦେଶ ଦେଇଛନ୍ତିl

ନିକଟରେ ବଲାଙ୍ଗୀର ଜିଲ୍ଲା ଗସ୍ତ କରି ୫ଟି ସଚିବ ଭି. କେ ପାଣ୍ଡିଆନ୍ ହରିଶଙ୍କର ପୀଠର ଉନ୍ନତୀକରଣକୁ ନେଇ ପ୍ରତିଶ୍ରୁତି ଦେଇଥିଲେ। ଏହାର ସଫଳ ରୂପାୟନକୁ ନେଇ ରାଜ୍ୟ ସରକାର ତତ୍ପରତା ଦେଖାଇଛନ୍ତି। ପର୍ଯ୍ୟଟନର ବିକାଶ ହେଲେ ଓଡ଼ିଶାର ସାମଗ୍ରିକ ବିକାଶ ହେବ ଏବଂ ସ୍ଥାନୀୟ ବାସିନ୍ଦାଙ୍କ ରୋଜଗାର ପାଇଁ ସୁଯୋଗମାନ ସୃଷ୍ଟି ହେବ ବୋଲି ଦର୍ଶାଇ ଶ୍ରୀ ତି୍ରପାଠୀ ଲୋକାଭିମୁଖୀ କାର୍ଯ୍ୟଗୁଡ଼ିକ ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଛନ୍ତି।ଆଜି ସକାଳେ ଖାରବେଳ ଭବନ ସମ୍ମିଳନୀ କକ୍ଷରେ ରାଜ୍ୟରେ ପର୍ଯ୍ୟଟନର ଅଭିବୃଦ୍ଧି ଓ ଭିତ୍ତିଭୂମି ବିକାଶ ଉପରେ ଅନୁଷ୍ଠିତ ଏକ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ଶ୍ରୀ ତି୍ରପାଠୀ ଉପରୋକ୍ତ ମର୍ମରେ ବିଭିନ୍ନ ପ୍ରକଳ୍ପଗୁଡ଼ିକର ତୁରନ୍ତ ରୂପାୟନ ଉପରେ ଗୁରୁତ୍ୱ ଦେଇଛନ୍ତି। ସମ୍ବଲପୁର ଜିଲ୍ଲାରେ ହୀରାକୁଦ ବୋଟ୍ କ୍ଲବ୍ର କାର୍ଯ୍ୟ ଖୁବ୍‌ଶୀଘ୍ର ଆରମ୍ଭ କରାଯିବ। ହୀରାକୁଦଜଳଭଣ୍ଡାରରେ ମାସକ ମଧ୍ୟରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ଏକ ବଡ଼ କ୍ରୁଜ୍ କାର୍ଯ୍ୟକାରୀ କରାଯିବ। ଉପକୂଳ ଓଡ଼ିଶାରେ ଥିବା ଗୋପାଳପୁର, ଚାନ୍ଦିପୁର, ତଳସାରି, ପାରାଦ୍ୱୀପ ଓ ସୋନାପୁର ଇତ୍ୟାଦି ବେଳାଭୂମିରେ ପ୍ରାୟ ୧୫ଟି ଅସ୍ଥାୟୀ ଗୃହ(ବିଚ୍ ସ୍ୟାକ) ନିର୍ମାଣ କରାଯିବ। ଏସବୁ ସ୍ଥାନରେ ବସିବା ପାଇଁ ସ୍ଥାନ, ଶୌଚାଳୟ, ମାର୍କେଟ କମ୍ପ୍ଳେକ୍ସ ଓ ପାର୍କିଂ ଇତ୍ୟାଦି ନିର୍ମାଣ କରାଯିବା ନେଇ ବୈଠକରେ ଆଲୋଚନା କରାଯାଇଥିଲା। ରାଜ୍ୟର ସମୁଦ୍ର କୂଳବର୍ତ୍ତୀ ସହରଗୁଡ଼ିକୁ ଗୋଆ ଢାଞ୍ଚାରେ ଗଢ଼ିତୋଳିବାକୁ ଅତ୍ୟାଧୁନିକ ପ୍ରକଳ୍ପମାନ ପରିକଳ୍ପିତ ହୋଇଛି ଏବଂ ଏଗୁଡ଼ିକ ସରକାରୀ-ଘରୋଇ ଭାଗିଦାରୀରେ ସଂପୂର୍ଣ୍ଣ କରିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା।

ସମୀକ୍ଷା ବୈଠକରେ ପର୍ଯ୍ୟଟନ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ସୁରେନ୍ଦ୍ର କୁମାର ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Spread the love