ସ୍ୱାମୀ ହତ୍ୟାକାରୀ ପତ୍ନୀ ବି ପେନସନ୍ ହକ୍‌ଦାର: ହାଇକୋର୍ଟ

ପଞ୍ଜାବ ଓ ହରିୟାଣା ହାଇକୋର୍ଟ ଫ୍ୟାମିଲି ପେନସନକୁ ନେଇ ବଡ଼ ରାୟ ଦେଇଛନ୍ତି। ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି, ଯଦି ପତ୍ନୀ ନିଜ ସ୍ୱାମୀର ହତ୍ୟା ବି କରିଥାଏ, ତଥାପି ସେ ଫ୍ୟାମିଲି ପେନସନ୍ ପାଇବାକୁ ହକ୍‌ଦାର। ବଲଜିତ୍ କୌର ବନାମ ହରିୟାଣା ରାଜ୍ୟ ମାମଲାରେ ଜାନୁଆରୀ ୨୫ ତାରିଖରେ ହାଇକୋର୍ଟ ଏକ ଶୁଣାଣି କରି କହିଛନ୍ତି, କେହିବି ସୁନା ଅଣ୍ଡା ଦେଉଥିବା କୁୁକୁଡାକୁ କାଟନ୍ତି ନାହିଁ।

ଯଦି ଜଣେ ମହିଳା ତା’ର ସ୍ୱାମୀକୁ ହତ୍ୟା କରେ, ତାହେଲେ ଉକ୍ତ ତାଙ୍କୁ ଫ୍ୟାମିଲି ପେନସନରୁ ବଞ୍ଚିତ କରାଯାଇପାରିବ ନାହିଁ। ସରକାରୀ କର୍ମଚାରୀଙ୍କ ମୃତ୍ୟୁ ପରେ ଫ୍ୟାମିଲି ପେନସନ୍ ଓ କଲ୍ୟାଣ ଯୋଜନା ହିଁ ତା’ର ପରିବାରକୁ ଆର୍ଥିକ ସହାୟତା କରାଇଥାଏ। ସ୍ତ୍ରୀ ଯଦି ଅପରାଧିକ ମାମଲାରେ ଦୋଷୀ ସାବ୍ୟସ୍ତ ହୁଅନ୍ତି, ତଥାପି ଫ୍ୟାମିଲି ପେନସନ୍ ପାଇବାକୁ ଯୋଗ୍ୟ ବୋଲି ହାଇକୋର୍ଟ କହିଛନ୍ତି।
ହରିୟାଣାର ଅମ୍ବାଲାରେ ରହୁଥିବା ବଲଜିତ୍ କୌରଙ୍କ ଆବେଦନ ଉପରେ କୋର୍ଟ ଏହି ରାୟ ଶୁଣାଇଛନ୍ତି। ବଲଜିତ୍ କୋର୍ଟଙ୍କୁ କହିଛନ୍ତି,  ହରିୟାଣା ସରକାରର କର୍ମଚାରୀ ଥିବା ତାଙ୍କ ସ୍ୱାମୀ ତରସେମ୍ ସିଂହଙ୍କର ୨୦୦୮ରେ ମୃତ୍ୟୁ ହୋଇଥିଲା। ତେବେ ୨୦୦୯ରେ ବଲଜିତ୍‌ଙ୍କ  ବିରୋଧରେ ହତ୍ୟା ମାମଲାର ଅଭିଯୋଗ ଲଗାଯାଇଥିଲା। ୨୦୧୧ରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ବଲଜିତ୍ କୌରଙ୍କୁ ୨୦୧୧ ପର୍ଯ୍ୟନ୍ତ ଫ୍ୟାମିଲୀ ପେନସନ୍ ମିଳୁଥିଲା, କିନ୍ତୁ ଦୋଷୀ ସାବ୍ୟସ୍ତ ହେବା ପରେ ହରିୟାଣା ସରକାର ତାଙ୍କର ପେନସନ୍ ବନ୍ଦ କରିଦେଇଥିଲେ।
ପଞ୍ଜାବ ଓ ହରିୟାଣା ହାଇକୋର୍ଟ ହରିୟାଣା ସରକାରଙ୍କ ପେନସନ୍ ବନ୍ଦ ନିଷ୍ପତ୍ତିକୁ ଖାରଜ କରିଦେଇଥିଲେ। ଏହାସହ କୋର୍ଟ ପେନସନ୍ ସମ୍ବନ୍ଧିତ ବିଭାଗକୁ ସମସ୍ତ ବକେୟା ସହ ଆବେଦନକାରୀକୁ ଦୁଇ ମାସ ଭିତରେ ପେନସନ୍ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ୧୯୭୨ ସିଏସ୍ (ପେନସନ୍) ରୁଲ୍ସ ଅନୁଯାୟୀ, ସ୍ୱାମୀର ମୃତ୍ୟୁ ପରେ ପତ୍ନୀ ଫ୍ୟାମିଲି ପେନସନ୍ ପାଇବାକୁ ହକଦାର। 
Spread the love