ତେଲକୋଇ ରେଞ୍ଜରେ ହାତୀ ଆତଙ୍କ : ସନ୍ଧ୍ୟା ହେଲେ ଗାଁରେ ପଶି ନଷ୍ଟ କରୁଛନ୍ତି ଫସଲ

ତେଲକୋଇ, ୨୦|୧୨:  କେନ୍ଦୁଝର ଜିଲ୍ଲା  ତେଲକୋଇ ରେଞ୍ଜରେ ଥମୁନି ହାତୀ ଉପଦ୍ରବ । ସଞ୍ଜ ନଇଁଲେ ଚାଷୀଙ୍କୁ ଘାରୁଛି ହାତୀ ଭୟ ।ଦଳିଚକଟି ନଷ୍ଟ କରୁଛନ୍ତି ଧାନ ଓ ପନିପରିବା ଫସଲ । ତେଲକୋଇ ଫରେଷ୍ଟ ବିଟର ଖୁଣ୍ଟାପଡା ଗାଁରେ ୨୫ ଟିକିଆ ହାତୀପଲଙ୍କ ଉପଦ୍ରବ ଜାରି ରହିଛି ।

ହାତୀପଲରେ ୪ ଛୁଆହାତୀ ଥିବାବେଳେ ଦୁଇ ଦନ୍ତାହାତୀ ରହିଛନ୍ତି। ୫ ଦିନ ହେବ ଖୁଣ୍ଟାପଡା, କନ୍ତଲେଇ, ଦୁଲ୍ଲଭପୁର ଆଦି ଗାଁରେ ପଶି ଧାନଫସଲ ସହ ପନିପରିବା ଫସଲକୁ ଦଳିଚକଟି ନଷ୍ଟ କରୁଛନ୍ତି ହାତୀପଲ। ଦିନ ବେଳା ଗାଁ ନିକଟ ଆମ୍ବ ବଗିଚାରେ ଡେରା ପକାଉ ଥିବା ବେଳେ ସଞ୍ଜ ନଇଁଲେ ଖାଦ୍ୟ ଅନ୍ୱେଷଣରେ ଗାଁ ମୁହାଁ ହେଉଛନ୍ତି । ଜମିରେ କଟା ହୋଇ ଥିବା ଧାନ ବିଡାକୁ ଖାଇବା ସହ ଫିଙ୍ଗି ଦେଉଛନ୍ତି ।

ହାତୀପଲ ଯୁଧିଷ୍ଠିର ପ୍ରଧାନଙ୍କର ୫୦୦ ବିଡା ଧାନ ନଷ୍ଟ କରି ଦେଇଥିବା ବେଳେ ଅଗାଧୁ ଥାପାଙ୍କର ୩୦୦ ବିଡା ଧାନକୁ ଦଳିମକଚି ନଷ୍ଟ କରିଦେଇଛନ୍ତି । ଧାର କରଜ କରି କ୍ଷେତରେ ଚାଷ କରିଥିବା ଧାନଫସଲକୁ ହାତୀପଲ ଉଜାଡି ଦେଉଥିବାରୁ  ଧାର କରଜ କେମିତି ସୁଝିବେ ସେନେଇ ମୁଣ୍ଡରେ ହାତ ଦେଇ ବସିଛି ଚାଷୀ ।ପନିପରିବା  ଚାଷୀଙ୍କର କୋବି ଓ ଆଳୁ ଫସଲକୁ ମଧ୍ୟ ଦଳିମକଚି ନଷ୍ଟ କରିଛନ୍ତି ୨୫ ଟିକିଆ ହାତୀପଲ ।

ପ୍ରତିଦିନ ହାତୀପଲଙ୍କ ଉପଦ୍ରବ ଯୋଗୁଁ ଲୋକେ ଭୟଭୀତ ଅବସ୍ଥାରେ ଦିନ କାଟୁଥିବା ବେଳେ ସଂଧ୍ୟା ହେଲେ ବିଦ୍ୟୁତ କାଟ ଯୋଗୁଁ ନାହିଁ ନଥିବା ଅସୁବିଧାର ଭୋଗୁଛନ୍ତି ଲୋକେ । ଅନ୍ୟପଟରେ ହାତୀଙ୍କୁ ଘଉଡ଼ାଇବାରେ ବନବିଭାଗ ମଧ୍ୟ ନାକେଦମ ହେଲେଣି । ଯଥାଶୀଘ୍ର କ୍ଷୟକ୍ଷତି ଆକଳନ କରି ଚାଷୀଙ୍କୁ କ୍ଷତି ପୁରଣ ଯୋଗାଇ ଦେବା ସହ ହାତୀପଲଙ୍କୁ ଘଉଡାଇବା ପାଇଁ ଦାବି ହେଉଛି ।

Spread the love