ଋଣ ସୁଧହାର ବଢାଇଲା ଏଚଡିଏଫସି ବ୍ୟାଙ୍କ

ମୁମ୍ବାଇ : ଗତ ୪ ତାରିଖରେ ରିଜର୍ଭ ବ୍ୟାଙ୍କ ଦ୍ବାରା ସୁଧହାର ବୃଦ୍ଧି କରାଯିବା ପରେ ବିଭିନ୍ନ ବ୍ୟାଙ୍କ ନିଜର ଋଣ ସୁଧହାର ବଢାଇଚାଲିଛନ୍ତି ।ଆଜି ଦେଶର ସର୍ବବୃହତ୍ ଘରୋଇ ବ୍ୟାଙ୍କ ଏଚଡିଏଫସି ପକ୍ଷରୁ ବିଭିନ୍ନ ମିଆଦ ପାଇଁ ନିଜର ଏମସିଏଲଆର ( ମାର୍ଜିନାଲ କଷ୍ଟ ବେସଡ୍ ଲେଣ୍ଡିଂ ରେଟ୍ ) ୨୫ ବେସିସ୍ ପଏଣ୍ଟ ବୃଦ୍ଧି କରିଛି। ମୁଦ୍ରାସ୍ପୀତିକୁ ନିୟନ୍ତ୍ରଣ କରିବାକୁ ରିଜର୍ଭ ବ୍ୟାଙ୍କ ଏହି ପଦକ୍ଷେପ ନେଇଥିବା କୁହାଯାଉଛି ।  ଏହା ଫଳରେ ବ୍ୟାଙ୍କର ଗୃହ, ଯାନବାହନ, ବ୍ୟକ୍ତିଗତ ଋଣର ଇଏମଆଇ (ମାସିକ କିସ୍ତି) ମହଙ୍ଗା ହେବ ।  ଏମସିଏଲଆର ହେଉଛି ଗୋଟିଏ ବ୍ୟାଙ୍କର ସର୍ବନିମ୍ନ ଋଣ ସୁଧହାର ଯେଉଁ ହାର ତଳକୁ ସଂପୃକ୍ତ ବ୍ୟାଙ୍କ ଋଣ ଦେଇପାରିବ ନାହିଁ ।କେବଳ ଏଚଡିଏଫସି ବ୍ୟାଙ୍କ ନୁହେଁ, ଆଇସିଆଇସିଆଇ ବ୍ୟାଙ୍କ, ପିଏନବି, ବ୍ୟାଙ୍କ ଅଫ ବରୋଦା, କାନାରା ବ୍ୟାଙ୍କ, ୟୁନିୟନ ବ୍ୟାଙ୍କ, ବ୍ୟାଙ୍କ ଅଫ ଇଣ୍ଡିଆ ମଧ୍ୟ ନିଜର ଋଣ ସୁଧହାର ବୃଦ୍ଧି କରିସାରିଛନ୍ତି । ଏଣୁ ମୋଟାମୋଟି ଭାବେ ରିଜର୍ଭ ବ୍ୟାଙ୍କର ପଦକ୍ଷେପ ଦ୍ବାରା ଦେଶରେ ବ୍ୟାଙ୍କ ଋଣ ମହଙ୍ଗା ହୋଇଯାଇଛି ।ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଗତ ୪ ତାରିଖ ଦିନ ରେପୋ ହାର ୪୦ ବେସିସ ପଏଣ୍ଟ ବା ୦.୪ ପ୍ରତିଶତ ବୃଦ୍ଧି କରି ୪.୪୦ ପ୍ରତିଶତ କରାଯାଇଥିଲା । ଏହା ସହିତ କ୍ୟାସ ରିଜର୍ଭ ରେସିଓ ବା ନଗଦ ଜମା ଅନୁପାତ ୫୦ ବେସିସ ପଏଣ୍ଟ ବା ୦.୫ ପ୍ରତିଶତ ବୃଦ୍ଧି କରି ୪.୫ ପ୍ରତିଶତ କରାଯାଇଥିଲା । ମୁଦ୍ରାସ୍ପୀତିକୁ ନିୟନ୍ତ୍ରଣ କରିବାକୁ ରିଜର୍ଭ ବ୍ୟାଙ୍କ ଏହି ପଦକ୍ଷେପ ନେଇଥିବା କୁହାଯାଉଛି ।

Spread the love