ଆଶ୍ରମ ସ୍କୁଲ୍ ପ୍ରଧାନଶିକ୍ଷକଙ୍କୁ ବଜାରରେ ଗୋଡ଼ାଇ ଗୋଡ଼ାଇ ପିଟିଲେ ଉତ୍ତ୍ୟକ୍ତ ଜନତା

ବାଲିଗୁଡ଼ା: କନ୍ଧମାଳରେ ପ୍ରଶାସନିକ ସ୍ଥାଣୁତା ଯୋଗୁଁ ଲୋକେ ବାରମ୍ବାର ଆଇନକୁ ହାତକୁ ନେଉଥିବା ଦେଖିବାକୁ ମିଳିଛି। ଗତ ୫ତାରିଖ ଦିନ ଫିରିଙ୍ଗିଆ ଥାନା ଅଧିକାରୀଙ୍କ ବିରୋଧରେ ଗଞ୍ଜେଇ ଚାଲାଣ ଅଭିଯୋଗ ଆଣି ଊତ୍ତ୍ୟକ୍ତ ଜନତା ଅଧିକାରୀଙ୍କୁ ମାଡ଼ ସହ ଥାନା ପୋଡ଼ିଦେବା ଭଳି ଘଟଣା ଘଟିଗଲା। ଏହା ମନରୁ ନ ଲିଭୁଣୁ ପୁଣି ବାଲିଗୁଡ଼ାରେ ଜଣେ ସରକାରୀ କର୍ମଚାରୀଙ୍କୁ ରାତିରେ ଗୋଡ଼ାଇ ଗୋଡ଼ାଇ ମାଡ଼ ମରାଯିବା ଘଟଣା ଏବେ ଚର୍ଚ୍ଚା ଓ ଉଦ୍‌ବେଗର କାରଣ ପାଲିଟିଛି। ଏହାର ଭିଡ଼ିଓ ଆଜି ଭାଇରାଲ୍‌ ହୋଇଥିବା ବେଳେ ଥାନାରେ ଦୁଇଟି ଅଭିଯୋଗ ହୋଇଛି। ହେଲେ ଘଟଣାକୁ ୨୪ ଘଣ୍ଟା ବିତିବାକୁ ବସିଥିଲେ ମଧ୍ୟ କୌଣସି ମାମଲା ହୋଇ ନଥିବା ଜଣାପଡ଼ିଛି।
ବାଲିଗୁଡ଼ା ଥାନା ସୁଡ୍ରା ଠାରେ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ଵାରା ପରିଚାଳିତ ଏକ ସରକାରୀ ଆଶ୍ରମ ବିଦ୍ୟାଳୟ ପ୍ରଧାନଶିକ୍ଷକ ରାତି ୯ଟାରେ ବିଦ୍ୟାଳୟର ଦୁଇ ମହିଳା ରୋଷେୟାଙ୍କୁ ବିଦ୍ୟାଳୟ ପଛ ପାଖ ଗେଟ୍‌ରେ ଡାକିନେଇ ଦୀର୍ଘ ସମୟ ରଖିଥିଲେ। ଏଥିରେ ସ୍କୁଲ ପରିଚାଳନା କମିଟି ସଦସ୍ୟ, ଅଭିଭାବକ ଓ କିଛି ସ୍ଥାନୀୟ ଲୋକଙ୍କ ସନ୍ଦେହ ବଢ଼ିଥିଲା। ବହୁ ସମୟ ଧରି ଶିକ୍ଷକଙ୍କ କାର୍ଯ୍ୟକଳାପ ଅନୁଧ୍ୟାନ କଲାପରେ ସ୍ଥାନୀୟ ଲୋକେ ଶିକ୍ଷକଙ୍କୁ ଟାଣି ଆଣି ରାସ୍ତା ଉପରେ ବଜାରରେ ଗୋଡ଼ାଇ ଗୋଡ଼ାଇ ମାଡ଼ ମାରିଥିଲେ। ପରେ ବାରଖମା ଫାଣ୍ଡିକୁ ନେଇ ପୁଲିସ ଜିମା ହସ୍ତାନ୍ତର କରିଥିଲେ।

Spread the love