ହେଡ୍‌ଫୋନ୍‌ କିମ୍ବା ଇୟର୍‌ଫୋନ୍‌ର ମାତ୍ରାଧିକ ବ୍ୟବହାର ଶ୍ରବଣ ଶକ୍ତିକୁ ପ୍ରଭାବିତ କରେ: ଗବେଷଣା

ଗୀତ ଶୁଣିବାକୁ କାହାକୁ ବା ଭଲ ନ ଲାଗେ! ଅବଶ୍ୟ ସମସ୍ତଙ୍କ ଶୁଣିବା ଶୈଳୀ ଓ ଗୀତ ପସନ୍ଦ ଭିନ୍ନ ହୋଇଥାଏ। କେହି କେହି କମ୍‌ ସାଉଣ୍ଡ୍‌ ଦେଇ ଧୀର ଗୀତ ଶୁଣିଥାନ୍ତି ତ ପୁଣି କେହି ହେଡ୍‌ଫୋନ୍‌ ଲଗେଇ ଜୋର୍‌ ଭଲ୍ୟୁମ୍‌ ଦେଇ ଲାଉଡ୍‌ ମ୍ୟୁଜିକ୍‌ ଶୁଣିଥାନ୍ତି। ଗୀତ ଶୁଣିବା ଉଭୟ ମନ ଓ ଶରୀର ପାଇଁ ଭଲ ଏଥିରେ ସନ୍ଦେହ ନାହିଁ। ମାତ୍ର ନିକଟରେ ହୋଇଥିବା ଏକ ଗବେଷଣାରୁ ଜାଣିବାକୁ ମିଳିଛି ଯେ ହେଡ୍‌ଫୋନ୍‌ ଦେଇ ଲାଉଡ୍‌ ମ୍ୟୁଜିକ୍‌ ଶୁଣିଲେ ଶ୍ରବଣ ଶକ୍ତି ପ୍ରଭାବିତ ହୋଇଥାଏ। ଜୋର୍‌ ଭଲ୍ୟୁମ୍‌ରେ ଗୀତ ଶୁଣିଲେ ଶୁଣିବା ଶକ୍ତି ଅପେକ୍ଷାକୃତ ହ୍ରାସ ପାଇଥାଏ। ଜାଣିରଖନ୍ତୁ ଯେ ଜୋର୍‌ ସାଉଣ୍ଡ୍‌ରେ ଗୀତ ଶୁଣିବା ଏକ ପ୍ରକାରର ଶବ୍ଦ ପ୍ରଦୂଷଣ ମଧ୍ୟ। ଗବେଷଣାରୁ ଜାଣିବାକୁ ମିଳିଛି ପାଖାପାଖି ୧.୧ ବିଲିୟନ୍‌ ଲୋକ ସଂପୂର୍ଣ୍ଣ ଭାବେ ଅଥବା ଆପେକ୍ଷିକ ଭାବେ ଏହି କାରଣରୁ ଶ୍ରବଣ ଶକ୍ତି ହରାଉଛନ୍ତି। ବିଶେଷ କରି ୧୨ରୁ ୨୫ ବର୍ଷ ବୟସ୍କଙ୍କ ଭିତରେ ଏହି ସମସ୍ୟା ଦେଖା ଦେଉଛି। ପ୍ରାୟ ୪୦ ପ୍ରତିଶତ ଲୋକଙ୍କ ଶ୍ରବଣ ଶକ୍ତି ଗୀତ ପାଇଁ ପ୍ରଭାବିତ ହେଉଛି ବୋଲି ଗବେଷକମାନେ ପ୍ରକାଶ କରିଛନ୍ତି।

୨୦୧୭ର ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ ପ୍ରାୟ ୮୦ ପ୍ରତିଶତ ୧୩ରୁ ୧୮ ବର୍ଷ ବୟସ୍କମାନେ ଦିନକୁ ୧-୩ ଘଣ୍ଟା ପର୍ଯ୍ୟନ୍ତ ଇୟର୍‌ଫୋନ୍‌ ନହେଲେ ହେଡ୍‌ଫୋନ୍‌ ବ୍ୟବହାର କରନ୍ତି। ହେଲେ ମନେ ରଖନ୍ତୁ ଯେତେ ଅଧିକ ଇୟର୍‌ଫୋନ୍‌ କିମ୍ବା ହେଡ୍‌ଫୋନ୍‌ ବ୍ୟବହାର କରିବେ ‌ସେତେ ଅଧିକ ଶ୍ରବଣ ଶକ୍ତି ପ୍ରଭାବିତ ହେବ।

୨୦୨୧ ମସିହାର ଏକ ଅଧ୍ୟୟନ ଅନୁଯାୟୀ, ବିଶ୍ବ ସ୍ତରରେ ପ୍ରାୟ ୧.୭ ପ୍ରତିଶତ ଲୋକ ଶବ୍ଦ ଦ୍ବାରା ଶ୍ରବଣ ଶକ୍ତି ହରାନ୍ତି। ହେଡଫୋନ୍ ବ୍ୟବହାର କରୁଥିବା ବ୍ୟକ୍ତିମାନେ ଶ୍ରବଣ ଶକ୍ତି ହରାଇବାର ୪.୫ ଗୁଣ ଅଧିକ ବୋଲି ଜଣାଯାଏ।

 

Spread the love