ହାଇକୋର୍ଟରେ ବ୍ୟକ୍ତିଗତ ହାଜର ହୋଇ କ୍ଷମା ପ୍ରାର୍ଥନା କଲେ ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ସଚିବ: ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ର ପାଇଁ ନିଯୁକ୍ତ ହେବେ ନିୟମିତ ନିର୍ଦ୍ଦେଶକ

କଟକ: କଟକସ୍ଥିତ ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କର୍କଟ ରୋଗ ଅନୁଷ୍ଠାନର ନିର୍ଦ୍ଦେଶକ ପଦ ପୂରଣ ସଂପର୍କିତ ଅଦାଲତ ଅବମାନନା ମାମଲାରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସ୍ବତନ୍ତ୍ର ସଚିବ ସରୋଜ କୁମାର ମିଶ୍ର ଆଜି ବ୍ୟକ୍ତିଗତ ହାଜର ହୋଇ ହାଇକୋର୍ଟକୁ କ୍ଷମା ମାଗିଛନ୍ତି। ବ୍ୟକ୍ତିଗତ ହାଜର ହୋଇ ଅଦାଲତ ଅବମାନନା ପାଇଁ ସେ କ୍ଷମା ପ୍ରାର୍ଥନା କରିଛନ୍ତି। ଆସନ୍ତା ଡିସେମ୍ବର ମାସ ପ୍ରଥମ ସପ୍ତାହ ସୁଦ୍ଧା ଆଚାର୍ଯ୍ୟ ହରିହର କେନ୍ଦ୍ରରେ ନିୟମିତ ନିର୍ଦ୍ଦେଶକ ନିଯୁକ୍ତି ଦେବା ନେଇ କୋର୍ଟକୁ ଅବଗତ କରାଇଛନ୍ତି।

କର୍କଟ କେନ୍ଦ୍ର ନିର୍ଦ୍ଦେଶକ ଡାକ୍ତର ଲଲାଟେନ୍ଦୁ ଷଡ଼ଙ୍ଗୀଙ୍କ କାର୍ଯ୍ୟକାଳ ଅନ୍ୟାଦେଶ ପର୍ଯ୍ୟନ୍ତ ବୃଦ୍ଧି କରାଯାଉଥିବା ଦର୍ଶାଇ ୨୦୨୩, ସେପ୍ଟେମ୍ବର ୨୦‌ରେ ସ୍ବତନ୍ତ୍ର ସଚିବଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଥିବା ବେଳେ ଏପରି ପଦକ୍ଷେପ ଅଦାଲତ ଅବମାନନା ବୋଲି ହାଇକୋର୍ଟ କହିବା ସହିତ ସ୍ବତନ୍ତ୍ର ସଚିବଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ। କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ବିଦ୍ୟୁତ ରଂଜନ ଷଡ଼ଙ୍ଗୀ ଓ ଜଷ୍ଟିସ ଏମ.ଏସ.ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଇନଜୀବୀ ଚିତ୍ତରଂଜନ ମହାନ୍ତିଙ୍କ ତରଫରୁ ଦାୟର ଅଦାଲତ ଅବମାନନା ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଥିଲେ।

ମାମଲାର ବିବରଣୀରୁ ପ୍ରକାଶ ଯେ ଅଗଷ୍ଟ ୩୧ରେ ଏ ସଂପର୍କିତ ଜନସ୍ବାର୍ଥ ମାମଲାର ଶୁଣାଣି କରି ହାଇକୋର୍ଟ ନିୟମିତ ନିର୍ଦ୍ଦେଶକ ପଦରେ ନିଯୁକ୍ତି ପାଇଁ ପ୍ରକ୍ରିୟା ଆରମ୍ଭ ଲାଗି ସରକାର ଓ କର୍କଟ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଥିଲେ। ଯଦି ବାଇ-ଲ’ରେ ସଂଶୋଧନ ଆବଶ୍ୟକ ହୁଏ ତେବେ ପ୍ରକ୍ରିୟା ଆରମ୍ଭ ପୂର୍ବରୁ ଏହା ସଂପନ୍ନ କରାଯିବ। ଏ ସମସ୍ତ ପ୍ରକ୍ରିୟା ଦୁଇ ମାସ ଭିତ‌େର ସଂପୂର୍ଣ୍ଣ ହେବ ବୋଲି ହାଇକୋର୍ଟ ଅଗଷ୍ଟ ୩୧ରେ ନିର୍ଦ୍ଦେଶ ଦେଇଥିଲେ। ହାଇକୋର୍ଟଙ୍କ ଅଗଷ୍ଟ ୩୧ର ରାୟ ବିରୋଧରେ କର୍କଟ କେନ୍ଦ୍ର ପକ୍ଷରୁ ସୁପ୍ରିମକୋର୍ଟରେ ସ୍ପେଶାଲ ଲିଭ ପିଟିସନ(ଏସଏଲପି) ଦାୟର କରାଯାଇଥିଲା। ଅକ୍ଟୋବର ୬ରେ ସୁପ୍ରିମକୋର୍ଟ ଏସଏଲପି ଖାରଜ କରିଥିଲେ। ହାଇକୋର୍ଟଙ୍କ ରାୟ କାଏମ ରହିଥିଲା। ଅନ୍ୟପକ୍ଷରେ ନିୟମିତ ନିର୍ଦ୍ଦେଶକ ପଦ ପୂରଣ ନ କରି ସେପ୍ଟେମ୍ବର ୨୦ରେ କର୍କଟ କେନ୍ଦ୍ର ନିର୍ଦ୍ଦେଶକଙ୍କ କାର୍ଯ୍ୟକାଳ ବୃଦ୍ଧି ନେଇ ସ୍ବାସ୍ଥ୍ୟ ବିଭାଗ ସ୍ବତନ୍ତ୍ର ସଚିବଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଥିଲା। ହାଇକୋର୍ଟ ଦୁଇ ମାସ ଭିତରେ ନିୟମିତ ନିର୍ଦ୍ଦେଶକ ପଦରେ ନିଯୁକ୍ତି ଦେବାକୁ କହିଥିବା ବେଳେ ଏହା ଭିତରେ ଏହି ସମୟ ଅତିକ୍ରାନ୍ତ ହୋଇ ସାରିଛି। ସୁପ୍ରିମକୋର୍ଟ ଓ ହାଇକୋର୍ଟଙ୍କ ନିର୍ଦ୍ଦେଶ ଉଲ୍ଲଂଘନ ହୋଇଛି ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ସୁନୀଲକାନ୍ତ ନାୟକ ମାମଲା ପରିଚାଳନା କରୁଛନ୍ତି।

Spread the love