ରାଜ୍ୟର ପଶ୍ଚିମରେ ଅସମ୍ଭାଳ ତାତି

ଭୁବନେଶ୍ୱର : ରାଜ୍ୟର ପଶ୍ଚିମ ପ୍ରାନ୍ତରେ ୧୨ରୁ ୧୪ ତାରିଖ ଯାଏ ତାପମାତ୍ରା ଆହୁରି ବଢ଼ିବ। ପଶ୍ଚିମ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଦକ୍ଷିଣ ଓ ଉତ୍ତରରେ ଏହି ତିନି ଦିନ ତାତି ୪୪ ଡିଗ୍ରୀ ଟପିପାରେ ବୋଲି ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ଏହି ଆକଳନ କରିଛନ୍ତି ।

ଉପକୂଳ ଓଡ଼ିଶାରେ ୧୪ ତାରିଖ ଯାଏ ତାପମାତ୍ରା କମ୍‌ ରହିବ ଏବଂ ୯, ୧୦ ଓ ୧୧ ତାରିଖରେ ତାପମାତ୍ରା ପୁଣି ୧ ଡିଗ୍ରୀ ଯାଏ କମିବ । ବଙ୍ଗୋପସାଗରରେ ସମ୍ଭାବ୍ୟ ଲଘୁଚାପ ଯୋଗୁ ବାୟୁର ଦିଗ ପରିବର୍ତ୍ତନ ହେବ । ଫଳରେ ଉପକୂଳରେ ତାପମାତ୍ରା କମ୍‌ ରହିବ ବୋଲି ସେ କହିଛନ୍ତି ।

ସେହିଭଳି କଳାହାଣ୍ଡି, ବଲାଙ୍ଗୀର, ବୌଦ୍ଧ, ସୋନପୁର, ବରଗଡ଼ ଓ ଝାରସୁଗୁଡ଼ା ଜିଲ୍ଲାରେ ତାତି ଅଧିକ ରହିବ । କିନ୍ତୁ ୧୨ରୁ ୧୪ ତାରିଖ ଯାଏ ଉପକୂଳ ସମେତ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ କାଳବୈଶାଖୀ ସମ୍ଭାବନା ରହିଥିବା ନେଇ ସେ ପୂର୍ବାନୁମାନ କରିଛନ୍ତି ।

ମଙ୍ଗଳବାର ବଲାଙ୍ଗୀର ଜିଲ୍ଲାରେ ସର୍ବାଧିକ ତାପମାତ୍ରା ୪୧.୭ ଡିଗ୍ରୀ ରହିଥିଲା । ଟିଟିଲାଗଡ଼ରେ ୪୦.୮, ବୌଦ୍ଧରେ ୪୦.୫ ଓ ଭବାନୀପାଟଣାରେ ତାପମାତ୍ରା ୪୦ ଡିଗ୍ରୀ ରେକର୍ଡ ହୋଇଛି । କଟକ, ଭୁବନେଶ୍ୱର, ପୁରୀ, ଗୋପାଳପୁର ଓ ପାରାଦୀପ ଭଳି ବିଭିନ୍ନ ସହରରେ ଦିନବେଳାର ତାପମାତ୍ରା କମ୍‌ ଥିଲା । ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ଦିନବେଳାର ତାପମାତ୍ରା ୪୦ ଡିଗ୍ରୀ ପାର୍‌ କରିବ ବୋଲି ପାଣିପାଗ ବିଭାଗ ସତର୍କ କରାଇଛି ।

Spread the love