ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଗ୍ରୀଷ୍ମପ୍ରବାହ

ଭୁବନେଶ୍ବର: ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଭୀଷଣ ଗ୍ରୀଷ୍ମପ୍ରବାହ ସହ ସର୍ବାଧିକ ତାପମାତ୍ରା ୪୨ ଡିଗ୍ରୀ ରହିଛି। ଗତକାଲି ୪୧.୭ ଡିଗ୍ରୀ ତାପମାତ୍ରା ସହ ଅନୁଗୋଳ ରାଜ୍ୟର ଉତ୍ତପ୍ତ ସହରରେ ପରିଣତ ହୋଇଛି। ବିଭାଗର ଆକଳନ ଅନୁଯାୟୀ, ଆଗାମୀ ୫ଦିନ ପର୍ଯ୍ୟନ୍ତ ସର୍ବାଧିକ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବନାହିଁ; କିନ୍ତୁ ଆଭ୍ୟନ୍ତରୀଣ ଓଡ଼ିଶାରେ ସ୍ବାଭାବିକ ତାପମାତ୍ରାରୁ ୨ରୁ ୩ ଡିଗ୍ରୀ ଅଧିକ ରହିବାର ସମ୍ଭାବନା ରହିଛି।ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାର କେତେକ ଜିଲ୍ଲାରେ କାଳବୈଶାଖୀ ଜନିତ ଝଡ ବର୍ଷା ହୋଇଛି। ଉପକୂଳବର୍ତ୍ତୀ ଜିଲ୍ଲାଗୁଡିକରେ ତାପମାତ୍ରା କମ ରହୁଥିଲେ ମଧ୍ୟ ଗୁଳୁଗୁଳି ହେଉଛି।

ଅପରପକ୍ଷେ ଗତକାଲି ସନ୍ଧ୍ୟାରେ ଢେଙ୍କାନାଳ, ଯାଜପୁର, ଭଦ୍ରକ ଏବଂ ଅନୁଗୋଳ ଜିଲ୍ଲାର କିଛି ଅଞ୍ଚଳରେ କାଳବୈଶାଖୀ ଜନିତ ଝଡ଼ବର୍ଷା ‌ହୋଇଛି। ସେହିପରି ଦକ୍ଷିଣ ଓଡ଼ିଶାର କୋରାପୁଟ, ରାୟଗଡା, କନ୍ଧମାଳ, ଗଜପତି ଏବଂ ନୂଆପଡା ଜିଲାର କିଛି ଅଞ୍ଚଳରେ କାଳବୈଶାଖୀ ଜନିତ ବର୍ଷା ପବନ ଦେଖିବାକୁ ମିଳିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି ଏବଂ ଗଞ୍ଜାମ ଜିଲ୍ଲାରେ କିଛି ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା ରହିଛି। ଉପରୋକ୍ତ ଜିଲ୍ଲାଗୁଡିକୁ ପାଣିପାଗକେନ୍ଦ୍ର ପକ୍ଷରୁ ହଳଦିଆ ସତର୍କ ସୂଚନା ଜାରି କରାଯାଇଛି। ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ ଏସଆରସିଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି।ନବରଙ୍ଗପୁର, କେନ୍ଦୁଝର ଏବଂ ମୟୂରଭଞ୍ଜ  ଜିଲ୍ଲାର କିଛି ଅଞ୍ଚଳରେ ବଜ୍ରପାତ ସହ ବର୍ଷା ହୋଇପାରେ। ପାଣିପାଗ କେନ୍ଦ୍ର ଆକଳନ ଅନୁଯାୟୀ ଆସନ୍ତା ୩ଦିନ ପର୍ଯ୍ୟନ୍ତ ଦକ୍ଷିଣ ଆଭ୍ୟନ୍ତରୀଣ ଏବଂ ଉପକୂଳବର୍ତ୍ତୀ ଜିଲ୍ଲାଗୁଡିକ ମଧ୍ୟରୁ କେତେକ ସ୍ଥାନରେ କାଳବୈଶାଖୀ ଦ୍ବାରା ବିଜୁଳି ଘଡଘଡି ସହ ବର୍ଷା ପବନ ବହିବାର ସମ୍ଭାବନା ରହିଛି। ଗତ କିଛି ଦିନ ହେଲା ରାଜ୍ୟରେ ବିଭିନ୍ନ ସ୍ଥାନରେ କାଳବୈଶାଖୀ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହେଉଥିବା ଲକ୍ଷ୍ୟ କରାଯାଉଛି।

Spread the love