ବେଜିଂରେ ନିଆଁ ବର୍ଷା, ରେଡ୍‌ ୱାର୍ଣ୍ଣିଂ ଜାରି କଲା ପ୍ରଶାସନ

ବେଜିଂ: ଚୀନ ରାଜଧାନୀ ବେଜିଂ ସମେତ ଅନ୍ୟ କେତେକ ସ୍ଥାନରେ ନିଆଁ ବର୍ଷୁଛି। ଆଗକୁ ତାପମାତ୍ରା ବୃଦ୍ଧି ପାଇବା ଆଶଙ୍କା ଥିବାରୁ ବେଜିଂରେ ସର୍ବୋଚ୍ଚ ସ୍ତରର ସତର୍କତା ବା ରେଡ୍‌ ଆଲର୍ଟ ଜାରି କରାଯାଇଛି। ଗୁରୁବାର ବେଜିଂର ତାପମାତ୍ରା ୪୧ ଡିଗ୍ରିରୁ ଅଧିକ ‌ରହିଥିଲା। ରାଜଧାନୀର ଦକ୍ଷିଣରେ ଅବସ୍ଥିତ ଏକ ଉପକଣ୍ଠରେ ଅପରାହ୍ଣରେ ତାପମାତ୍ରା ୪୧.୧ ଡିଗ୍ରି ସେଲସିୟସ ରହିଥିଲା।
ଚୀନରେ ଚାରି ସ୍ତରର ସର୍ତକତା ସୂଚନା ଜାରି କରାଯାଇଥାଏ। ଅତି ଗୁରୁତର ତାତି ପାଇଁ ରେଡ୍‌ ଆଲର୍ଟ ଜାରି ହୋଇଥାଏ। ଏହା ପଛକୁ ଯଥାକ୍ରମେ ଅରେଞ୍ଜ, ୟେଲୋ ଏବଂ ବ୍ଲୁ ସତର୍କତା ଜାରି ହୋଇଥାଏ। ରେଡ୍‌ ଆଲର୍ଟ ଅର୍ଥ ୨୪ ଘଣ୍ଟା ମଧ୍ୟରେ ତାପମାତ୍ରା ୪୦ ଡିଗ୍ରିରୁ ଅଧିକ ରହିବ।

ଚୀନର ପାଣିପାଗ ପ୍ରଶାସନ ପକ୍ଷରୁ କୁହାଯାଇଛି ଦେଶର ଉତ୍ତରାଞ୍ଚଳରେ ଆସନ୍ତା ୮ରୁ ୧୦ ଦିନ ପାଇଁ ଉଚ୍ଚ ତାପମାତ୍ରା ଜାରି ରହିବ। ବେଜିଂ ସମେତ ତିଆନଜିନ, ହେବେଇ, ସାନଡଙ୍ଗ, ହେନାନ ଆଦି ଅଞ୍ଚଳ ପାଇଁ ଉଚ୍ଚ ତାପମାତ୍ରାର ସତର୍କତା ଜାରି କରାଯାଇଛି। ଉତ୍ତର ଚୀନର ବନ୍ଦର ସହର ଟିଆନଜିନର ଲୋକସଂଖ୍ୟା ୧୩ ନିୟୁତରୁ ଅଧିକ ହୋଇଥିବାବେଳେ ଏଠାରେ ଗୁରୁବାର ତାପମାତ୍ରା ୪୧.୨ ଡିଗ୍ରି ସେଲସିୟମ ରହିଛି।

Spread the love