ମହିଳାମାନେ ଏପରି କରନ୍ତୁ ନାହିଁ ଶରୀର ହେବ ଅସୁସ୍ଥ

ଆଜିକାଲି ମହିଳାମାନେ ପ୍ରାୟ ସମୟ ବ୍ୟସ୍ତ ରହୁଛନ୍ତି। କାରଣ ସେମାନଙ୍କୁ କର୍ମମୟ ଜୀବନ ସହ ପରିବାରକୁ ମଧ୍ୟ ସମ୍ଭାଳିବାକୁ ପଡୁଛି। ବ୍ୟସ୍ତତା ଯୋଗୁ ସେମାନେ ନିଜ ସ୍ୱାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦେଇପାରି ନଥାନ୍ତି। ଫଳରେ ସମୟକ୍ରମେ ଅନେକ ଅଜଣା ସମସ୍ୟା ମୁଣ୍ଡ ଟେକିଥାଏ। ଏହାବ୍ୟତୀତ ବ୍ୟସ୍ତତା ଯୋଗୁ ସେମାନେ କେତେକଭୁଲ୍‌ ମଧ୍ୟ କରିଥାନ୍ତି, ଯାହାର କୁପ୍ରଭାବ ସମୟକ୍ରମେ କ୍ଷତିକାରକ ସାବ୍ୟସ୍ତ ହୁଏ। ଜୀବନଶୈଳୀରେ କିଛିଟା ପରିବର୍ତ୍ତନ ଆଣିପାରିଲେ ଏଭଳି ସମସ୍ୟା ଆପେ ଆପେ ଦୂର ହୋଇଯିବ।

ମେକଅପ୍‌ ସହ ଶୋଇବା

ମେକଅପ୍‌ ସହ ଶୋଇବା ଦ୍ୱାରା ଲୋମଛିଦ୍ରରେ ତେଲ ଓ ଧୂଳି ଜମା ହୋଇଯାଇଥାଏ। ଫଳରେ ତ୍ୱଚାରେ ବ୍ରଣ, ବ୍ଲାକ୍‌ହେଡ୍ସ ଓ ଦାନାଦାନ ପରି କିଛି ବାହାରି ଯାଇଥାଏ। ଏହାବ୍ୟତୀତ କାଜଲ ଓ ଆଇସ୍ୟାଡୋ ଲଗାଇ ଶୋଇବା ଦ୍ୱାରା ଆଖିରେ ଜ୍ୱଳନ ସୃଷ୍ଟି ହୋଇଥାଏ।

କମ୍‌ ଶୋଇବା

ସୁସ୍ଥ ଜୀବନ ପାଇଁ ଭଲ ନିଦ ବହୁତ ଜରୁରୀ। ଅପର୍ଯ୍ୟାପ୍ତ ନିଦ ଥକାପଣର କାରଣ ସାଜିଥାଏ। ତା’ ସହ ନକାରାତ୍ମକ ଭାବନାକୁ ବଢାଇଥାଏ। ସେହିପରି ନିଦର ଅଭାବ ଯୋଗୁ ରକ୍ତଚାପ ଓ ହୃଦୟରୋଗର ଆଶଙ୍କା ବଢିଥାଏ। ତେଣୁ ନିୟମିତ ୬-୭ ଘଣ୍ଟା ଶୋଇବାକୁ ଚେଷ୍ଟା କରନ୍ତୁ।

ହିଲ୍‌ ପିନ୍ଧିବା

ହିଲ୍ସ ପିନ୍ଧିବା ପାଦ ପାଇଁ କ୍ଷତିକାରକ। କାରଣ ଏହା ଗଣ୍ଠି ଉପରେ ଚାପ ପକାଇଥାଏ। ଏହା ଜାଣିବା ସତ୍ତେ୍ୱ ବି ଆମେ ହିଲ୍‌ ପିନ୍ଧିଥାଉ। ଫଳରେ ପିଠି ଯନ୍ତ୍ରଣା ଓ ଗଣ୍ଠିରେ ସମସ୍ୟା ଆରମ୍ଭ ହୋଇଥାଏ। ଏହାବ୍ୟତୀତ ହିଲ୍‌ ହାଡ଼ ଉପରେ ମଧ୍ୟ କୁପ୍ରଭାବ ପକାଇଥାଏ। ତେଣୁ ଯେତେଦୂର ସମ୍ଭବ ହିଲ୍‌ଠାରୁ ଦୂରେଇ ରୁହନ୍ତୁ।

ଚିନ୍ତାକୁ ନଜରଅନ୍ଦାଜ କରିବା

କେତେକ ମହିଳାଙ୍କର ପ୍ରାୟ ସମୟ ମୁଣ୍ଡବିନ୍ଧା, ଅନିଦ୍ରା ଓ ଚିନ୍ତାଜନିତ ସମସ୍ୟା ଦେଖାଦେଇଥାଏ। କିନ୍ତୁ ସେମାନେ ଏହାକୁ ନଜରଅନ୍ଦାଜ କରିଥାନ୍ତି। ଚିନ୍ତା କେବେବି କରନ୍ତୁନାହିଁ। ଏହା ସମୟକ୍ରମେ ସ୍ୱାସ୍ଥ୍ୟ ଉପରେ ନକରାତ୍ମକ ପ୍ରଭାବ ପକାଇଥାଏ। ତେଣୁ ଯଥାସମ୍ଭବ ଚିନ୍ତାଠାରୁ ନିଜକୁ ଦୂରେଇ ରଖନ୍ତୁ।

ବ୍ୟାୟାମ  କରିବା

ବ୍ୟସ୍ତ ରହିବା କାରଣରୁ ପ୍ରାୟ ମହିଳା ବ୍ୟାୟାମକୁ ଗୁରୁତ୍ୱ ଦେଇ ନଥାନ୍ତି । ଫଳରେ ଶାରିରୀକ ଗତିବିଧିର ଅଭାବରୁ ପିଠି ଦରଜ, ଷ୍ଟ୍ରୋକ୍‌, ମଧୁମେହ ଓ ହୃଦୟରୋଗ ପରି ସମସ୍ୟା ଦେଖାଦେଇଥାଏ । ତେଣୁ ସୁସ୍ଥ ରହିବା ପାଇଁ ସାଇକେଲିଂ, ଡ୍ୟାନ୍ସ ଓ ଯୋଗ ଅଭ୍ୟାସ କରିବା ଉଚିତ୍‌ । ଅନେକ ସମୟରେ ମହିଳାମାନେ ନିଜର ସ୍ୱାସ୍ଥ୍ୟକୁ ନେଇ ସେତେଟା ସଚେତନ ନଥାନ୍ତି । ଫଳରେ ବିଭିନ୍ନ ଛୋଟମୋଟ ସ୍ୱାସ୍ଥ୍ୟ ସମସ୍ୟା ହୋଇଥାଏ ।ମହିଳାମାନେ ପ୍ରାୟ ସମୟରେ ଏମିତି କିଛି ଭୁଲ୍‌ କରିଥାନ୍ତି, ଯାହାର କୁପ୍ରଭାବ ସ୍ୱାସ୍ଥ୍ୟ ଓ ଶରୀର ଉପରେ ପଡ଼ିଥାଏ । ଯଦି ଆପଣ ଏମିତି କିଛି ଭୁଲ୍‌ କରୁଥାନ୍ତି, ତେବେ ନିଜକୁ ସୁଧାରି ନିଅନ୍ତୁ ।

Spread the love