ମଣିପୁରର ବିଷ୍ଣୁପୁରରେ ସାନି ହିଂସାକାଣ୍ଡ ଘଟି ୩ ମୃତ

ଇମ୍ଫାଲ୍‌: ଶୁକ୍ରବାର ରାତିରେ ମଣିପୁର ରାଜ୍ୟର ବିଷ୍ଣୁପୁର ଜିଲ୍ଲାରେ ଘଟିଥିବା ସାନି ହିଂସାକାଣ୍ଡରେ ଅନ୍ୟୂନ ୩ଜଣ ବ୍ୟକ୍ତିଙ୍କର ମୃତ୍ୟୁଘଟିଥିବା ବିଭିନ୍ନ ଗଣମାଧ୍ୟମ ରିପୋର୍ଟ କରିଛନ୍ତି। ରିପୋର୍ଟ ଅନୁସାରେ, ବିଷ୍ଣୁପୁର ଜିଲ୍ଲାର କ୍ବାକ୍‌ତାରେ ମୃତ୍ୟୁ ହୋଇଥିବା ଉକ୍ତ ୩ ବ୍ୟକ୍ତି ଥିଲେ ମୈତେଇ ସମ୍ପ୍ରଦାୟର ସଦସ୍ୟ। ସେମାନଙ୍କର ମୃତ୍ୟୁ ଘଟିବା ପରେ ପରେ ସେ ଅଞ୍ଚଳର ଭୀଷଣ ଗୁଳି ବର୍ଷଣ ‌ଚାଲିବା ସହିତ କୁକି ସମ୍ପ୍ରଦାୟର କିଛି ଲୋକଙ୍କ ଘର ପୋଡ଼ିଦିଆଯାଇଥିଲା। ବିଷ୍ଣୁପୁରରେ ନିରାପତ୍ତା ବଳ ସଶସ୍ତ୍ର ‘କୁକ୍‌ସି’ ମୁତୟନ କରିଥିବା ବେଳେ ଘଟଣାସ୍ଥଳରେ ସେମାନଙ୍କୁ ସହାୟତା କରିବା ଲାଗି ମଣିପୁର ପୁଲିସର କମାଣ୍ଡୋମାନଙ୍କୁ ପଠାଯାଇଛି। ମୃତ ବ୍ୟକ୍ତିମାନେ ହେଉଛନ୍ତି, ୪୬ ବର୍ଷିୟ ଯୁମନାମ ଜିତେନ୍‌ ମୈତେଇ, ୬୭ ବର୍ଷିୟ ଯୁମନାମ୍‌ ପିଶାକ୍‌ ମୈତେଇ ଓ ୩୯ ବର୍ଷିୟ ପ୍ରେମକୁମାର ମୈତେଇ। ସେମାନେ ସମସ୍ତେ ଥିଲେ ‘କେଏମ୍‌ସି’ ୮ ନମ୍ବର ୱାର୍ଡର ବାସିନ୍ଦା। ‘ବଫର୍‌ ଜୋନ୍‌’ ଅତିକ୍ରମ କରି ଦଳେ ଦୁର୍ବୃତ୍ତ ସେମାନଙ୍କୁ ଗୁଳି ମାରିଥିଲେ ବୋଲି ପୁଲିସ କହିଛି।

ଗୁଳି ବାଜି ଜଣେ ମଣିପୁରୀ କମାଣ୍ଡୋଙ୍କ ମୁଣ୍ଡରେ ଆଘାତ ଲାଗିଛି। ତାଙ୍କୁ ବିଷ୍ରୁପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସାନି ହିଂସାକାଣ୍ଡ ପରେ ବିଷ୍ଣୁପୁରର ପରିସ୍ଥିତି ଖୁବ୍‌ ଅଶାନ୍ତ ଥିବା କଥା ପୁଲିସ କହିଛି। ସଦ୍ୟତମ ସୂଚନା ଅନୁସାରେ, ମଣିପୁରରେ ଥିବା ୨୭ଟି ନିର୍ବାଚନ ମଣ୍ଡଳୀର ସମନ୍ବୟ କମିଟି ଡାକରା ଦେଇଥିବା ୨୪ ଘଣ୍ଟିଆ ଧର୍ମଘଟ ଆଜି ଇମ୍ଫାଲ୍‌ ଉପତ୍ୟକାରେ ସ୍ବାଭାବିକ ଜୀବନଧାରାରେ ବ୍ୟାଘାତ ସୃଷ୍ଟି କରିଛି। ଦୋକାନ ବଜାର ବନ୍ଦ ଅଛି। ବାଟଘାଟରେ କେତୋଟି ବ୍ୟକ୍ତିଗତ ଯାନବାହନ ଚଳାଚଳ କରୁଥିବା ବେଳେ ସାଧାରଣ ପରିବହନ ବନ୍ଦ ରହିଛି। ଗତ ମଧ୍ୟରାତ୍ରରୁ ଆରମ୍ଭ ହୋଇଥିବା ଏହି ଧର୍ମଘଟ ଯୋଗୁଁ ସ୍କୁଲ୍‌ ମଧ୍ୟ ବନ୍ଦ ରହିଛି।

Spread the love