୧୧ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା; ୟେଲୋଓ୍ଵାର୍ଣ୍ଣିଂ ଜାରି

ଭୁବନେଶ୍ୱର: ଗତ ୨୪ ଘଣ୍ଟ ମଧ୍ୟରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ମୌସୁମୀ ବର୍ଷା ଲାଗି ରହିଛି। ଏ ପରିସ୍ଥିତିରେ ମୌସୁମୀ ନିମ୍ନ ଚାପ ରେଖା ଆଜି ରାଜସ୍ଥାନର ବିକେନାରରୁ ବାହାରି ଆଲୱାର୍‌, ଗଓ୍ଵାଲିୟର, ସିଦ୍ଧି, ଡାଲଟନଗଞ୍ଜ ଏବଂ ପଶ୍ଚିମବଙ୍ଗର ଶାନ୍ତିନିକେତନ ଦେଇ ପୂର୍ବ-ଦିଗରେ ଦକ୍ଷିଣ ମିଜୋରାମ ଯାଏଁ ଲମ୍ବିଛି। ଏହା ବାୟୁମଣ୍ଡଳର ୦.୯ କିଲୋମିଟର ଯାଏଁ ବ୍ୟାପିଛି।

ଏହାର ପ୍ରଭାବରେ ଅସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଆରମ୍ଭ କରି ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି। ତେବେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅର୍ଥାତ୍‌ ୧୫ ଜୁଲାଇ, ଶନିବାର ଅପରାହ୍ନ ମଧ୍ୟରେ ଓଡ଼ିଶାର ୧୧ ଟି ଜିଲ୍ଲାରେ ପ୍ରବଳ ବର୍ଷା (୭ରୁ ୧୧ ସେମି)ର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ୱରସ୍ଥିତ ଆଞ୍ଚଳିକ କେନ୍ଦ୍ର ପକ୍ଷରୁ ଆଜି ଅପରାହ୍ନରେ ଜାରି ଏକ ସତର୍କ ସୂଚନାରେ କୁହାଯାଇଛି।  ଏ ପରିସ୍ଥିତରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବାଲେଶ୍ୱର ମୟୂରଭଞ୍ଜ, କେନ୍ଦୁଝର, ଦେବଗଡ଼, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ବଲାଙ୍ଗୀର, ନୂଆପଡ଼ା ଓ ନବରଙ୍ଗପୁର ପ୍ରଭୃତି ୧୧ଟି ଜିଲ୍ଲାରେ ପ୍ରବଳ ବର୍ଷା (୭ରୁ ୧୧ ସେମି)ର ସମ୍ଭାବନା ରହିଛି।

ଏହାକୁ ଦୃଷ୍ଟିରେ ରଖି ଏହି ସମସ୍ତ ଜିଲ୍ଲାକୁ ହଳଦିଆ ଚେତାବନୀ ବା ୟେଲୋ ଓ୍ଵାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଅନ୍ୟପକ୍ଷରେ ଟୁଇନ୍‌ ସିଟି କଟକ ଓ ଭୁବନେଶ୍ୱର ସମେତ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଆଜି (ଶୁକ୍ରବାର) ମଧ୍ୟାହ୍ନରୁ ତୁହାକୁ ତୁହା ବର୍ଷା ହେଉଥିବା ବେଳେ ଅପରାହ୍ନରୁ ବିଳମ୍ବିତ ସନ୍ଧ୍ୟା ମଧ୍ୟରେ ବଜ୍ରପାତ ସହ ଅସରାଏ, ଦୁଇଅସରା ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ କେନ୍ଦ୍ର ପକ୍ଷରୁ ଜାରି ସୂଚନାରେ କୁହାଯାଇଛି।

Spread the love