ରାଜ୍ୟର ୧୮ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଆଗାମୀ ୪୮ ଘଣ୍ଟା ମଧ୍ୟରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟରେ ୧୯ ରୁ ୨୨ ତାରିଖ ପର୍ଯ୍ୟନ୍ତ ବର୍ଷାର ବିସ୍ତୃତି ବଢ଼ିବା ସହ କେତକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି।

ଗତ କାଲି ପଶ୍ଚିମ ଝାଡ଼ଖଣ୍ଡ ଏବଂ ସଂଲଗ୍ନ ଉତ୍ତର ଛତିଶଗଡ଼ ଓ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଆଜି ଦୁର୍ବଳ ହୋଇଥିବା ବେଳେ, ଏହା ସହ ଜଡିତ ଘୂର୍ଣ୍ଣିବଳୟ ଆଜି (ସୋମବାର) ପଶ୍ଚିମ ଝଡ଼ଖଣ୍ଡ ଏବଂ ତାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳର ବାୟୁମଣ୍ଡଳରେ ୭.୬ କିଲୋମିଟର ଯାଏଁ ବ୍ୟାପିବା ସହିତ ଦକ୍ଷିଣ-ପଶ୍ଚିମ ଦିଗକୁ ମୁହାଁଇଛି।

ଏହାର ପ୍ରଭାବରେ ଆଜି କେତକ ଅଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି।
ଅନ୍ୟପକ୍ଷରେ ମୌସୁମୀ ନିମ୍ନ ଚାପ ରେଖା ଆଜି ରାଜସ୍ଥାନର ବିକେନେରରୁ ବାହାରି ଶିକର, ଓରାଇ, ସିଦ୍ଧି, ଆମ୍ବିକାପୁରରୁ ଓଡ଼ିଶାର ବାଲେଶ୍ୱର ମଧ୍ୟ ଦେଇ, ଦକ୍ଷିଣ-ପୂର୍ବ ଦିଗରେ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଯାଏଁ ଲମ୍ବିଛି। ଏହା ବାୟୁମଣ୍ଡଳରେ ୧.୫ କିମି ଉଚ୍ଚତା ଯାଏଁ ସକ୍ରିୟ ରହିଛି। ଏପରିସ୍ଥିତିରେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ/ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଉପରୋକ୍ତ ପାଣିପାଗ ବିଜ୍ଞାନକୁ ଦୃଷ୍ଟିରେ ରଖି ଓଡ଼ିଶାରେ ଆଗାମୀ ୫ ଦିନ ପର୍ଯ୍ୟନ୍ତ ମୌସୁମୀ ବର୍ଷାର ପ୍ରକୋପ ଜାରି ରହିବ ବୋଲି ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ୱରସ୍ଥିତ ଆଞ୍ଚଳିକ କେନ୍ଦ୍ର ପକ୍ଷରୁ ଆଜି ଅପରାହ୍ନରେ ଜାରି ଏକ ସତର୍କ ସୂଚନାରେ କୁହାଯାଇଛି।

ପାଣିପାଗ ବିଭାଗ ପକ୍ଷରୁ ଜାରି ସତର୍କ ସୂଚନା ଅନୁଯାୟୀ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅର୍ଥାତ୍‌ ୧୮ ଜୁଲାଇ, ମଙ୍ଗଳବାର ଅପରାହ୍ନ ମଧ୍ୟରେ ରାଜ୍ୟର ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି ଓ ବଲାଙ୍ଗୀର ପ୍ରଭୃତି ୪ଟି ଜିଲ୍ଲାର କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା (୭ରୁ ୧୨୦ ସେମି) ହେବାର ସମ୍ଭାବନା ରହିଛି।

ସେହିପରି ଏହି ସମୟ ମଧ୍ୟରେ ମାଲକାନଗିରି, କୋରାପୁଟ, ରାୟଗଡ଼ା, କନ୍ଧମାଳ, ଗଞ୍ଜାମ, ବୌଦ୍ଧ, ସୋନପୁର, ଅନୁଗୁଳ, ଦେବଗଡ଼, ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା (୭ରୁ ୧୧ ସେମି) ହେବାର ସମ୍ଭାବନା ରହିଛି।

ଏହାକୁ ଦୃଷ୍ଟିରେ ରଖି ଏହି ସମସ୍ତ ଜିଲ୍ଲାକୁ ହଳଦିଆ ଚେତାବନୀ ବା ୟେଲୋ ଓ୍ଵାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।

ଅନ୍ୟପକ୍ଷରେ ଟୁଇନ୍‌ ସିଟି କଟକ ଓ ଭୁବନେଶ୍ୱର ସମେତ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଆଜି (ସୋମବାର) ଆକାଶ ମେଘାଛନ୍ନ ରହିଥିବା ବେଳେ ଅପରାହ୍ନରୁ ବିଳମ୍ବିତ ସନ୍ଧ୍ୟା ମଧ୍ୟରେ ବଜ୍ରପାତ ସହ ଅସରାଏ, ଦୁଇଅସରା ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ କେନ୍ଦ୍ର ପକ୍ଷରୁ ଜାରି ସୂଚନାରେ କୁହାଯାଇଛି।

Spread the love