ବର୍ଷାରେ ଉବୁଟୁବୁ ବଲାଙ୍ଗୀର: ସହର ସାରା ଅସମ୍ଭାଳ ପାଣି

ବଲାଙ୍ଗୀର: ପ୍ରବଳ ବର୍ଷା ଯୋଗୁଁ ସାରା ବଲାଙ୍ଗୀର ସହର ଜଳମଗ୍ନ ହୋଇ ପଡ଼ିବା ଫଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ପାଣିପାଗ ବିଭାଗ ପକ୍ଷରୁ ଜିଲ୍ଲାକୁ ରେଡ୍‌ୱାର୍ଣ୍ଣିଂ ଜାରି କରାଯାଇଥିଲା। ବୁଧବାର ସନ୍ଧ୍ୟାରୁ ବର୍ଷା ଆରମ୍ଭ ହୋଇଥିବା ବେଳେ ଏହା ଗୁରୁବାର ଦିନ ତମାମ ଲାଗି ରହିବାରୁ ସାରା ସହରରେ ଅସମ୍ଭାଳ ପରିସ୍ଥିତି ସୃଷ୍ଟି ହୋଇଛି। ଜରୁରୀ ଶାଖା ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯ‌ାୟୀ ଜିଲ୍ଲାର ୧୪ଟି ବୃଷ୍ଟିପାତ ମାପକେନ୍ଦ୍ର ମଧ୍ୟରୁ ବଲାଙ୍ଗୀରରେ ସର୍ବାଧିକ ୨୧୫ ମିମି ବର୍ଷା ରେକର୍ଡ କରାଯାଇଛି। ଏହା ତଳକୁ ପୁଇନ୍ତଲା ବ୍ଲକ୍‌ରେ ୧୩୦ ମିମି ବର୍ଷା ରେକର୍ଡ଼ କରାଯାଇଛି।

ଦୁଇ ଦିନ ଧରି ଜିଲ୍ଲାରେ ବର୍ଷା ଲାଗି ରହିବା ଫଳରେ ନାହିଁନଥିବା ପରିସ୍ଥିତି ସୃଷ୍ଟି ହୋଇଛି। ଗୁଡ଼ଭେଲା ବ୍ଲକରେ ୯୨.୩ ମିମି ବର୍ଷା ହୋଇଥିବା ବେଳେ ଜିଲ୍ଲାର ସବୁ ବ୍ଲକ୍‌ରେ ପ୍ରବଳ ବର୍ଷା ହୋଇଥିବା ଜଣାଯାଇଛି। ବର୍ଷା ଯୋଗୁଁ ସହରରେ ଥିବା ମାଲପଡ଼ା, ପ୍ୟାଲେସଲାଇନ, ଜୋରପଡ଼ା, ଡ୍ୟାମପଡ଼ା, ବରପାଲିପଡ଼ା, ଚିମିନିଭାଟି, ହାତୀଶାଲପଡ଼ା, ମ୍ୟୁନିସିପାଲିଟି, ଜିଲ୍ଲାପାଳ କାର୍ଯ୍ୟାଳୟ, ଲର୍କିପାଲି, ଲାଲଟିକ୍ରା, ବଡ଼ଦେଓନଗର, ରାଜୀବନଗର, ଶାସ୍ତ୍ରୀନଗର, ସାଲେପାଲି, ସମଲେଶ୍ବରୀ ମନ୍ଦିର, ପାଟଣେଶ୍ବରୀ ମନ୍ଦିର, ଗୋପାଳଜୀ ମନ୍ଦିର, ‌ଠିକାଦାରପଡ଼ା, ତାଲପାଲିପଡ଼ା, ତୁଲସୀନଗର, ତେଲିଗୋଠପଡ଼ା, କଂସାରିପଡ଼ା, ରେଲଷ୍ଟେସନ ଆଦି ବହୁ ଅଞ୍ଚଳର ଶତାଧିକ ଘରକୁ ପାଣି ପଶିଥିବା ଦେଖାଯାଇଛି। ଜିଲ୍ଲାପାଳ ଚଞ୍ଚଳ ରାଣା, ପୌରାଧ୍ୟକ୍ଷା ଲିକା ସାହୁ, ତହସିଲଦାର, ବିଡିଓ ତଥା ଅନ୍ୟ ଅଧିକାରୀ କ୍ଷତିଗ୍ରସ୍ତ ଅଞ୍ଚଳ ବୁଲିବା ସହିତ କ୍ଷତିଗ୍ରସ୍ତମାନଙ୍କୁ ଶୁଖିଲା ଖାଦ୍ୟ ପ୍ରଦାନର ବ୍ୟବସ୍ଥା କରିଥିଲେ। ମ୍ୟୁନିସିପାଲିଟି ପକ୍ଷରୁ ପାଣି ଜମା ଥିବା ସ୍ଥାନଗୁଡ଼ିକରୁ ୩ ପାଣିପମ୍ପ ଓ ୮ଟି ଜେସିବି ସାହାଯ୍ୟରେ ପାଣି ନିଷ୍କାସନର ବ୍ୟବସ୍ଥା କରାଯାଇଥିଲା। ବିଭିନ୍ନ କଲ୍ୟାଣମଣ୍ଡପକୁ ରିଲିଫ କ୍ୟାମ୍ପ ପାଇଁ ପ୍ରସ୍ତୁତ ରଖାଯିବା ସହିତ ଶୁଖିଲା ଖାଦ୍ୟ ବ୍ୟବସ୍ଥା କରାଯାଥିବା ନେଇ ନିର୍ବାହୀ ଅଧିକାରୀ ବିଶ୍ବମ୍ଭର ମିଶ୍ର କହିଛନ୍ତି।

Spread the love