ଖାନୁନ୍ ଓ ଲାନ୍ ପରେ ମାଡି ଆସୁଛି ହିଲାରି

ଶାନ୍ତ ପଡୁନି ସମୁଦ୍ର। ବାତ୍ୟା ପରେ ବାତ୍ୟା। ପ୍ରଶାନ୍ତ ମହାସାଗର କ୍ଷେତ୍ରରେ ଅଗଷ୍ଟରେ ଆସିଛି ତୃତୀୟ ଟାଇଫୁନ୍। ଏବେ ଆମେରିକା ଉପକୂଳ ଉପରେ ବିପଦ। ମେକ୍ସିକୋ ସହ ଦକ୍ଷିଣ ପଶ୍ଚିମ ଆମେରିକା ଆଡକୁ ମାଡି ଆସୁଛି ଟାଇଫୁନ୍ ହିଲାରି। ନିକଟରେ ପ୍ରଶାନ୍ତ ମହାସାଗରୀୟ ଝଡ଼ ଖାନୁନ୍ ଏବଂ ଲାନ୍, କୋରିଆ ଓ ଜାପାନରେ ସୃଷ୍ଟି କରିଥିଲା ବିପର୍ଯ୍ୟୟ। ଏବେ ଝଡ଼ ମାଡ଼ ସହିବ ଆମେରିକା।

ଝଡ଼ ପରେ ଝଡ଼। ଅଗଷ୍ଟରେ ଅଶାନ୍ତ, ପ୍ରଶାନ୍ତ ମହାସାଗର। ଖାନୁନ୍ ଓ ଲାନ୍ ପରେ ହିଲାରି।  ଏବେ ମାଡି ଆସୁଛି ଟାଇଫୁନ୍ ହିଲାରି। ମେକ୍ସିକୋ ଏବଂ ଦକ୍ଷିଣ ପଶ୍ଚିମ ଆମେରିକା ଉପରେ ବିପଦ। ରବିବାର ଲାଣ୍ଡଫଲ୍ କରିବ, ବୁଧବାର ଯାଏ ତାଣ୍ଡବ ରଚିବ ହିଲାରି ବାତ୍ୟା। ମେକ୍ସିକୋର ମାଞ୍ଜାନିଲୋ ଉପକୂଳରେ ବୁଧବାର ସୃଷ୍ଟି ହୋଇଥିଲା ହିଲାରି। ବର୍ତ୍ତମାନ କ୍ୟାଟାଗୋରୀ ୪ ଟାଇଫୁନ୍ ହୋଇ ମେକ୍ସିକୋର ବାଜା କାଲିଫର୍ଣ୍ଣିଆ ଉପଦୀପ ଆଡ଼କୁ ମାଡି ଚାଲିଛି। ବର୍ତ୍ତମାନ ପବନର ଘଣ୍ଟା ପ୍ରତି ବେଗ ରହିଛି ୧୪୫ ମାଇଲ। ଏହା ବାଜା କାଲିଫର୍ଣ୍ଣିଆ ଉପଦୀପ ଅତିକ୍ରମ କରିବା ପୂର୍ବରୁ ଦୁର୍ବଳ ପଡିବ।

ହିଲାରି ପ୍ରଭାବରେ ୧୬ ସେମି ଏବଂ କିଛି ସ୍ଥାନରେ ୨୬ ସେମି ବର୍ଷା ହୋଇପାରେ। ଫଳରେ ଦେଖିବାକୁ ମିଳିପାରେ ଫ୍ଲାସ ଫ୍ଲଡ୍। ମେକ୍ସିକୋ ସହ ଆମେରିକାର ଦକ୍ଷିଣ କାଲିଫର୍ଣ୍ଣିଆ ଏବଂ ଦକ୍ଷିଣ ନାଭେଡାରେ ବିତ୍ପାତ ସୃଷ୍ଟି କରିବ ହିଲାରି ଝଡ଼। ବର୍ତ୍ତମାନ ପ୍ରଶାନ୍ତ ମହାସାଗରରେ ବାତ୍ୟା ସିଜନ ଚାଲିଛି।

୧୫ ମେରୁ ଆରମ୍ଭ ହୋଇଥିଲା ସିଜନ। ଅଗଷ୍ଟ ମାସରେ ଲଗାତର ଝଡ଼ ସୃଷ୍ଟି ହେଉଛି। ଜୁଲାଇ ୨୬ରୁ ଅଗଷ୍ଟ ୧୧ ମଧ୍ୟରେ ଖାନୁନ୍ ଝଡ଼ ସୃଷ୍ଟି ହୋଇଥିଲା। ଫିଲିପାଇନ୍ ସ, ଜାପାନ, ତାଇୱାନ ଓ କୋରିଆ ଉପଦୀପରେ ପ୍ରଭାବ ପଡିଥିଲା। ଅଧିକ ପ୍ରଭାବିତ ହୋଇଥିଲା କୋରିଆ ଉପଦୀପ। ଅନେକ ଅଂଚଳ ବୁଡିଥିଲା। ପ୍ରାୟ ୧୫ ଜଣଙ୍କ ମୃତୁୟ ହୋଇଥିଲା।

ସେହିପରି ଅଗଷ୍ଟ ୬ରୁ ଅଗଷ୍ଟ ୧୭ ମଧ୍ୟରେ ତାଣ୍ଡବ ରଚିଥିଲା ଟାଇଫୁନ୍ ଲାନ୍। ଏହା ମଙ୍ଗଳବାର ଦିନ ଜାପାନକୁ ହିଟ୍ କରିଥିଲା। ପ୍ରାୟ ଅଢେଇ ଲୋକଂକୁ ସ୍ଥାନାନ୍ତର କରାଯାଇଥିଲା। ୧୬୦ କିଲୋମିଟର ବେଗରେ ସ୍ଥଳଭାଗରେ ପିଟି ହୋଇଥିଲା ଝଡ଼। ଦେଶରେ ପ୍ରାୟ ୯୫୦ ବିମାନର ଚଳଚାଳକୁ ବାତିଲ କରାଯାଇଥିଲା। ଜାପାନର ଅନେକ ସ୍ଥାନରେ ବନ୍ୟା ଓ ଭୂସ୍ଖଳନ ଦେଖିବାକୁ ମିଳିଥିଲା। ପ୍ରଭାବିତ ହୋଇଥିଲା ପଶ୍ଚିମ ଓ କେନ୍ଦ୍ରୀୟ ଜାପାନର ଅନେକ ଅଞ୍ଚଳ।

ଜଳବାୟୁ ପରିବର୍ତ୍ତନର ବଡ଼ ପ୍ରଭାବ ଦେଖିବାକୁ ମିଳୁଛି। ବିଶ୍ୱର ଗୋଟିଏ ଭାଗରେ ଝଡ଼-ବନ୍ୟା-ବାତ୍ୟା ସେପଟେ ଆଉ ଏକ ପାଖରେ ଭୀଷଣ ଗରମ ସାଙ୍ଗକୁ ଆମେରିକା ଓ ୟୁରୋପର ଅନେକ ଅଂଚଳରେ ବନାଗ୍ନୀ ଯୋଗୁ ବହୁ ଧନଜୀବନ ନଷ୍ଟ ହୋଇଛି।

 

Spread the love