ଆଜି ଅନୁଷ୍ଠିତ ହେବ ହେରାପଞ୍ଚମୀ ନୀତି

ପୁରୀ  : ପୁରୀ ଶ୍ରୀଗୁଣ୍ଡିଚା ମନ୍ଦିର ଜନ୍ମବେଦୀରେ ଚାଲିଛି ଚତୁର୍ଦ୍ଧାମୂର୍ତ୍ତିଙ୍କ ଲୀଳାଖେଳା । ମହାପ୍ରଭୁଙ୍କ ଆଡ଼ପ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ । ଲମ୍ବା ବ୍ୟାରିକେଡ଼ରେ ଶ୍ରଦ୍ଧାଳୁମାନେ ଆସି ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି। ଗୁଣ୍ଡିଚା ମନ୍ଦିର ସିଂହଦ୍ଵାର ଦେଇ ପ୍ରବେଶ କରି ଦର୍ଶନ କରିବା ପରେ ନାକଚଣା ଦ୍ଵାର ଦେଇ ପ୍ରସ୍ଥାନ କରୁଛନ୍ତି ଶ୍ରଦ୍ଧାଳୁ ।

ଆଜି ଅନୁଷ୍ଠିତ ହେବ ହେରାପଞ୍ଚମୀ ନୀତି । ପରଂପରା ଅନୁଯାୟୀ ଅଭିମାନିନୀ ମହାଲକ୍ଷ୍ମୀ ଆଜି ନନ୍ଦିଘୋଷ ରଥ ଭାଙ୍ଗିବେ । ଆଜି ସଂଧ୍ୟା ଆଳତୀ ପରେ ବିମାନରେ ପଟୁଆରରେ ମହାଲକ୍ଷ୍ମୀ ଶ୍ରୀମନ୍ଦିରରୁ ବାହାରି ଗୁଣ୍ଡିଚା ମନ୍ଦିର ଅଭିମୁଖେ ଯାତ୍ରା କରିବେ। ନନ୍ଦିଘୋଷ ରଥ ନିକଟରେ ମହାଲକ୍ଷ୍ମୀ ପହଞ୍ଚିବା ପରେ ପତି ମହାପାତ୍ର ସେବାୟତ ବନ୍ଦାପନା କରିବେ।

ତେବେ ସେହି ସମୟରେ ସଂଧ୍ୟାଧୂପ ଚାଲିଥିବା ବେଳେ ଟେରା ପଡିଥିବ। ମହାପ୍ରଭୁଙ୍କ ଭେଟ ନପାଇ ଅଭିମାନ କରିବେ ମା ମହାଲକ୍ଷ୍ମୀ। ଅଭିମାନିନୀ ମହାଲକ୍ଷ୍ମୀ ନାକଚଣା ଦ୍ୱାର ଦେଇ ପ୍ରସ୍ଥାନ କରିବା ସମୟରେ ଭିତରଚ୍ଛ ମହାପାତ୍ର ଦହିପଟି ମଣୋହି ନୀତି କରିବେ। ଏହାପରେ ମହାଲକ୍ଷ୍ମୀ ନନ୍ଦିଘୋଷ ରଥର ଚକ ଭାଙ୍ଗି ବଡଦାଣ୍ଡ ଦେଇ ହେରାଗୋହିରୀ ସାହି ଦେଇ ଶ୍ରୀମନ୍ଦିର ଭିତରକୁ ପ୍ରସ୍ଥାନ କରିବେ। ଏହାପରେ ତିନିରଥକୁ ଦକ୍ଷିଣମୋଡ କରି ମହାପ୍ରଭୁ ବାହୁଡାଯାତ୍ରା ପାଇଁ ନିର୍ଦ୍ଦେଶ ଦେବେ।

Spread the love