ମା’ଙ୍କୁ ବଞ୍ଚାଇବାକୁ ଅଭିନେତ୍ରୀଙ୍କ ନିବେଦନ

ଭୁବନେଶ୍ୱର: ଯିଏ ହଜାର ହଜାର ସାଧାରଣ ଦର୍ଶନଙ୍କୁ ହସାଉଥିଲେ ସେ ଆଜି ଦୁଖଃରେ ଅଛନ୍ତି ଓ କହୁଛନ୍ତି ‘ମା’ ମୋର ପାଞ୍ଚ ଦିନ ହେଲା ଭେଣ୍ଟିଲେଟର୍‌‌ରେ। ଡାକ୍ତର କହୁଛନ୍ତି ଅପରେସନ୍ ଜରୁରୀ। ମାତ୍ର ଅପରେସନ୍ ପାଇଁ ଆବଶ୍ୟକ ଅର୍ଥ ମୋ ପାଖରେ ନାହିଁ। ଛୋଟ ଅଭିନେତ୍ରୀ ଭାବେ ରୋଜଗାରରୁ ଯେତିକି ସଞ୍ଚୟ କରିଥିଲି, ତାହା ମା’ର ଚିକିତ୍ସାରେ ଶେଷ ହୋଇଯାଇଛି।  ଏହା ହେଉଛି ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଯାତ୍ରା ଅଭିନେତ୍ରୀ ମଧୁସ୍ମିତା ବେହେରାଙ୍କ ଡାଏଲଗ୍‌। ତେବେ ଏହା କୌଣସି ନାଟକର ଡାଇଲଗ୍ ନୁହେଁ। ମଧୁସ୍ମିତାଙ୍କ ଜୀବନ ନାଟକର ସତ ବ୍ୟଥା ଓ କାହାଣୀ।

ସୂଚନାନୁସାରେ, ଦ୍ବିତୀୟଥର ବ୍ରେନ୍ ଷ୍ଟ୍ରୋକ୍‌ ହେବାରୁ ମଧୁସ୍ମିତାଙ୍କ ମା’ ପ୍ରମିଳା ଦାସ ଏବେ ଭେଣ୍ଟିଲେଟର୍‌ରେ। ଡାହାଣ ପାର୍ଶ୍ବ ପାରାଲିସିସ ଦ୍ବାରା ପ୍ରଭାବିତ ହୋଇଥିବା ବେଳେ ଫୁସଫୁସ୍‌ ସଂକ୍ରମଣ ମଧ୍ୟ ହୋଇଛି। ଡାକ୍ତର ଅପରେସନ୍‌ ପାଇଁ ୧୫ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି କହିଛନ୍ତି। କିନ୍ତୁ ପୂର୍ବରୁ ଚିକିତ୍ସାରେ ସବୁ ସଞ୍ଚୟ ସରିଯାଇଛି। ଜୀବନ ସାରା ଯାତ୍ରାରେ ଓ ଟେଲିଭଜନ୍‌ରେ ଅଭିନୟ କରି ଯାହା ସଞ୍ଚୟ କରିଥିଲେ, ସବୁ ସରି ଗଲାଣି। ଏବେ ପାଖରେ ପାହୁଲାଟିଏ ବି ନାହିଁ। ତେଣୁ ମା’ଙ୍କୁ ବଞ୍ଚାଇବାକୁ ସେ ବଦାନ୍ୟ ବ୍ୟକ୍ତିଙ୍କୁ ହାତ ପାତିଛନ୍ତି। ବି. ମଧୁସ୍ମିତା ଓରଫ୍ ମଧୁସ୍ମିତା ବେହେରା ଯାତ୍ରା ମେଲୋଡିରେ ଆଙ୍କରିଂ କରୁଥିଲେ। ‘କୋକୁଆ ଭୟ’, ‘ଲିସା ଚନ୍ଦନର ପ୍ରେମ କାହାଣୀ’, ‘ମହାଭାରତରେ ଅର୍ଜୁନ ରାଣୀ’, ‘ସ୍ମୃତି ତୁମେ ମୀନକେତନ’ ଆଦି ଚର୍ଚ୍ଚିତ ନାଟକରେ ଅଭିନୟ କରି ସେ ଦର୍ଶକଙ୍କ ପ୍ରଶଂସା ସାଉଁଟିଥିଲେ। କିନ୍ତୁ କରୋନା ଯୋଗୁଁ ସେ ସଂପୂର୍ଣ୍ଣ ବେସାହାରା ହୋଇଯାଇଛନ୍ତି। ବର୍ତ୍ତମାନ ଯାତ୍ରା ପାର୍ଟିଗୁଡ଼ିକ ଅଣ୍ଟା ସଳଖୁଛି। ଏପରି ଅବସ୍ଥା‌‌‌‌ରେ ତାଙ୍କର ରୋଜଗାର ନାହିଁ। ସେ କାମ କରିଥିବା ବିଭିନ୍ନ ଅନୁଷ୍ଠାନର ମାଲିକଙ୍କୁ ସାହାଯ୍ୟ ପାଇଁ ନିବେଦନ କରିଥିଲେ ସୁଦ୍ଧା ସେମାନେ ମୁହଁ ଫେରାଇ ନେଇଛନ୍ତି। ତେଣୁ ଏବେ ସେ ବିଭିନ୍ନ ସୋସିଆଲ ମିଡିଆ ସାହାଯ୍ୟରେ ଲୋକଙ୍କୁ ନିବେଦନ କରୁଛନ୍ତି। ମଧୁସ୍ମିତାଙ୍କୁ ସାହାଯ୍ୟ କରିବାକୁ ଚାହୁଥିବା ବ୍ୟକ୍ତି ଫୋନ୍‌ ପେ ନଂ – ୮୨୪୯୮୮୧୧୨୬ କିମ୍ବା ମଧୁସ୍ମିତା ବେହେରାଙ୍କ ବ୍ୟାଙ୍କ ଆକାଉଣ୍ଟ ନଂ – ୩୧୮୫୦୧୧୦୦୨୧୨୨୪ ଆଇଏଫ୍ଏସସି କୋଡ୍- ୟୁସିବିଏ୦୦୦୩୧୮୫ରେ ସହଯୋଗ କରିବାକୁ ମଧୁସ୍ମିତା ଆକୁଳ ନିବେଦନ କରିଛନ୍ତି।

Spread the love