ଧର୍ମେନ୍ଦ୍ରଙ୍କ ସହ ନରହିବାର କାରଣ କହିଲେ ହେମା

ନୂଆଦିଲ୍ଲୀ: ଡ୍ରିମ ଗାର୍ଲ ହେମାମାଳିନୀ ଅଭିନେତା ଧର୍ମେନ୍ଦ୍ରଙ୍କୁ ବାହା ହୋଇଥିଲେ ମଧ୍ୟ ତାଙ୍କ ସହ ରହୁ ନାହାନ୍ତି। ଏହାକୁ ନେଇ ଚର୍ଚ୍ଚା ହେଉଛି। ଏଭଳି ସ୍ଥଳେ ନିକଟରେ ଏକ ସାକ୍ଷାତ୍‌କାରରେ ସେ ଧର୍ମେନ୍ଦ୍ରଙ୍କ ଠାରୁ କାହିଁକି ଦୂରରେ ରହୁଛନ୍ତି ତାହା କହିଛନ୍ତି। ସେ କହିଛନ୍ତି ଏହା କେହି ଚାହାନ୍ତି ନାହିଁ। କିନ୍ତୁ ହୋଇଯାଏ। ଏହାକୁ ଗ୍ରହଣ ବି କରିବାକୁ ପଡ଼େ। ଅନ୍ୟଥା କେହି ଜୀବନକୁ ଏମିତି ବଞ୍ଚିବେ ନାହିଁ। ପ୍ରତ୍ୟେକ ମହିଳା ସାଧାରଣ ପରିବାର ଭଳି ସ୍ବାମୀ, ସନ୍ତାନ ପାଇବାକୁ ଚାହାନ୍ତି। କିନ୍ତୁ କେଉଁଠି ନା କେଉଁଠି ଏହା ରାସ୍ତା ବାହାରକୁ ଚାଲିଯାଇଥିଲା ବୋଲି ଅଭିନେତ୍ରୀରୁ ରାଜନେତା ପାଲଟିଥିବା ହେମା କହିଛନ୍ତି।

ହେମାଙ୍କୁ ବିବାହ କରିବା ପୂର୍ବରୁ ଧର୍ମେନ୍ଦ୍ର ପ୍ରକାଶ କୌରଙ୍କୁ ବାହା ହୋଇଥିଲେ। ପ୍ରକାଶଙ୍କୁ ଛାଡ଼ପତ୍ର ନଦେଇ ହେମାଙ୍କୁ ବିବାହ କରିଥିଲେ। କିନ୍ତୁ ଧର୍ମେନ୍ଦ୍ର ଏବେ ତାଙ୍କ ପ୍ରଥମ ପତ୍ନୀ ପ୍ରକାଶ ଓ ସେମାନଙ୍କ ପରିବାର ସହ ରହୁଛନ୍ତି। ତେଣୁ ତାଙ୍କ ସହିତ ନରହିବା ପଛର ଏହା ଏକ କାରଣ।

ଏସବୁ ଘଟଣାକୁ ନେଇ ସେ ଖରାପ ଅନୁଭବ କରନ୍ତି ନାହିଁ। ତାଙ୍କର ଦୁଇଟି ପିଲା ଥିବାରୁ ସେ ଖୁସି। ମୁଁ ସେମାନଙ୍କୁ ଭଲଭାବେ ଲାଳନପାଳନ କରି ବଢ଼ାଇଛି। ଅବଶ୍ୟ ଧର୍ମେନ୍ଦ୍ର ମଧ୍ୟ ଏ କ୍ଷେତ୍ରରେ ମୋ ସହିତ ସବୁବେଳେ ଏବଂ ସବୁଠି ରହିଛନ୍ତି ବୋଲି ହେମା କହିଛନ୍ତି। ହେମାଙ୍କ ଜୀବନୀ ଉପରେ ଲିଖିତ ଏକ ପୁସ୍ତକ ଅନୁଯାୟୀ, ହେମାଙ୍କୁ ତାଙ୍କ ମା’ ଜୟା ଚକ୍ରବର୍ତ୍ତୀ ଜିତେନ୍ଦ୍ରଙ୍କୁ ବିବାହ କରିବା ଲାଗି ବୁଝାଉଥିଲେ। ଏପରିକି ହେମା ଓ ଜିତେନ୍ଦ୍ରଙ୍କ ପରିବାର ଚେନ୍ନାଇକୁ ମଧ୍ୟ ବାହାଘର ଲାଗି ଯାଇଥିଲେ। କିନ୍ତୁ ଧର୍ମେନ୍ଦ୍ର ଏହି ଖବର ପାଇବା ପରେ ଜିତେନ୍ଦ୍ରଙ୍କ ତତ୍କାଳୀନ ପ୍ରେମିକା ଶୋଭା (ପରେ ପତ୍ନୀ)ଙ୍କୁ ନେଇ ବିବାହ ସ୍ଥଳରେ ପହଞ୍ଚିଥିଲେ। ଏହାଦ୍ବାରା ସେମାନଙ୍କ ହେମା ଓ ଜିତେନ୍ଦ୍ରଙ୍କ ବିବାହ ବନ୍ଦ ହୋଇଯାଇଥିଲା।

Spread the love