ଦୀର୍ଘବର୍ଷ ସମ୍ପର୍କରେ ରହିବା ପରେ ବି ବିବାହ ଲାଗି ମନା କରିବା ‘ଧୋକା ନୁହେଁ ’ କହିଲେ ବମ୍ବେ ହାଇକୋର୍ଟ

ମୁମ୍ବାଇ ୨୩।୧୨: ଦୀର୍ଘ ୨୫ ବର୍ଷ ପରେ ପାଲଘରର ଜନୈକ ଯୁବକଙ୍କୁ ବମ୍ବେ ହାଇକୋର୍ଟ ଧୋକାବାଜୀ ମାମଲାରୁ ନିର୍ଦ୍ଦୋଷରେ ମୁକ୍ତ କରିଦେଇଛନ୍ତି। ଯୁବକଙ୍କ ବିରୋଧରେ ଜନୈକ ମହିଳା ବିବାହର ପ୍ରଲୋଭନରେ ଦୀର୍ଘ ବର୍ଷ ପର୍ଯ୍ୟନ୍ତ ଶାରୀରିକ ସମ୍ପର୍କ ରଖିବା ପରେ ତାଙ୍କୁ ବିବାହ ଲାଗି ରାଜି ହେଉନଥିବାର ଅଭିଯୋଗ କରିଥିଲେ। ତେବେ ଦୀର୍ଘ ସମୟ ଧରି ଶାରୀରିକ ସମ୍ପର୍କ ରଖିବା ପରେ ଯଦି କେହି ବିବାହ କରିବାକୁ ରାଜି ନ ହୁଏ ତେବେ ଏହାକୁ ଧୋକାବଜୀ ସ୍ୱୀକାର କରାଯାଇ ନପାରେ ବୋଲି ବମ୍ବେ ହାଇକୋର୍ଟ କହିଛନ୍ତି।

ହାଇକୋର୍ଟଙ୍କ ଜଷ୍ଟିସ୍ ଅନୁଜା ପ୍ରଭୁଦେଶାୟୀ ଅଭିଯୁକ୍ତଙ୍କ ପକ୍ଷରୁ ଆଗତ ନିବେଦନର ଶୁଣାଣି କରି ରେକର୍ଡରେ ମହଜୁଦ ପ୍ରମାଣରୁ ଉଭୟଙ୍କ ମଧ୍ୟରେ ଯୌନ ସମ୍ପର୍କ ସହମତିରେ ଥିବାର ସ୍ପଷ୍ଟ ହେଉଛି ବୋଲି କହିଛନ୍ତି । ଏହା ସତ୍ତ୍ୱେ ଅଭିଯୁକ୍ତଙ୍କୁ ଆଇପିସିର ଧାରା ୪୧୭ରେ ଦୋଷୀ କରାଯାଇଛି। କାରଣ ସେ ମହିଳାଙ୍କୁ ବିବାହ କରିବା ଲାଗି ମନା କରିଥିଲେ। ତେବେ ଏପରି ପରିସ୍ଥିତିରେ ବିବାହ ଲାଗି ମନା କରିବା ଧୋକାବାଜୀର ମାମଲା ହେଉଛି କି ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି।

ହୁଏତ ମହିଳାଙ୍କୁ ଭ୍ରମରେ ରଖି ଅଭିଯୁକ୍ତ ତାଙ୍କ ସହ ଯୌନ ସମ୍ପର୍କ ସ୍ଥାପନା କରିଥାଇପାରନ୍ତି। ହେଲେ ଏକ୍ଷେତ୍ରରେ ପର୍ଯ୍ୟାପ୍ତ ପ୍ରମାଣ ମଧ୍ୟ ନାହିଁ। ଏଥିରୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଶାରୀରିକ ସମ୍ପର୍କ ରଖିବା ପରେ ବି ବିବାହ ଲାଗି ରାଜି ନ ହେବା କାରଣରୁ କାହାରିକୁ ଦୋଷୀସାବ୍ୟସ୍ତ କରାଯାଇ ନପାରେ ବୋଲି କୋର୍ଟ କହିଛନ୍ତି। ମହିଳା ୧୯୯୬ ମସିହାରେ ଯୁବକଙ୍କ ବିରୋଧରେ ପୋଲିସରେ ଏତଲା ଦେଇଥିଲେ। ଏଥିରେ ବିବାହର ପ୍ରଲୋଭନ ଦେଖାଇ ଦୀର୍ଘ ବର୍ଷରୁ ଶାରୀରିକ ସମ୍ପର୍କ ରଖିବା ପରେ ବି ତାଙ୍କୁ ବିବାହ କରିବାକୁ ରାଜି ହେଉ ନଥିବାର ଅଭିଯୋଗ କରିଥିଲେ।

ମହିଳାଙ୍କ ଅଭିଯୋଗ ଆଧାରରେ ପୋଲିସ ଆଇପିସିର ଧାରା ୩୭୬ (ବଳତ୍କାର) ଓ ୪୧୭ରେ ମୋକଦ୍ଦମା ରୁଜୁ କରିବା ସହ ଯୁବକକୁ ଗିରଫ କରିଥିଲା। ତେବେ କୋର୍ଟରେ ମାମଲାର ଶୁଣାଣି କାଳରେ ଅଭିଯୁକ୍ତ ତାଙ୍କ ବିରୋଧରେ ଆଗତ ସମସ୍ତ ଅଭିଯୋଗକୁ ଅସ୍ୱୀକାର କରିଥିଲେ। ଦୀର୍ଘ ୩ ବର୍ଷ କାଳ ମାମଲାର ଶୁଣାଣି ପରେ ନିମ୍ନ ଅଦାଲତ ପାଲଘରର କାଶୀନାଥ ଧରାତଙ୍କୁ ଆଇପିସିର ଧାରା ୪୧୭ରେ ଦୋଷୀ ସାବ୍ୟସ୍ତ କରିବା ସଗ ୧ ବର୍ଷର କାରାଣ୍ଡାଦେଶ କରିଥିଲେ।

Spread the love