କାର୍ତ୍ତିକ ମାସରେ ରାଜ୍ୟରେ ପନିପରିବା ଦର ଆକାଶଛୁଆଁ
ଭୁବନେଶ୍ୱର: ଧର୍ମ ମାସ କାର୍ତ୍ତିକରେ ରାଜ୍ୟରେ ପନିପରିବା ଦର ଆକାଶଛୁଆଁ ହେବାରେ ଲାଗିଛି। ବିଶେଷ କରି କଞ୍ଚା ପରିବା ଏବଂ ପିଆଜ ମୂଲ୍ୟ ସାଧାରଣ ଲୋକଙ୍କୁ ସମସ୍ୟାରେ ପକାଇଛି। ଅଧିକାଂଶ ପନିପରିବାର ମୂଲ୍ୟ କିଲୋଗ୍ରାମ୍ ପିଛା ୬୦ ଟଙ୍କା ଅତିକ୍ରମ କରିଛି।
ରାଜଧାନୀରେ ଆଜି ଖୁଚୁରା ବଜାରରେ ଆଳୁ କିଲୋଗ୍ରାମ୍ ପିଛା ୩୦ ଟଙ୍କା, ଏବଂ ପିଆଜ ଦର ୬୦ ଟଙ୍କା ରହିଛି। ଖୁଚୁରା ବଜାରରେ ଅଦା କିଲୋଗ୍ରାମ୍ ପିଛା ୨୦୦ରୁ ୨୪୦ ଟଙ୍କାରେ ବିକ୍ରି ହେଉଥିବାବେଳେ ରସୁଣ କିଲୋଗ୍ରାମ୍ ପିଛା ୨୨୦ରୁ ୨୪୦ଟଙ୍କାରେ ବିକ୍ରି ହେଉଛି।
ସେହିପରି ପୋଟଳ କିଲୋଗ୍ରାମ ପିଛା ୮୦ ଟଙ୍କା, କାଙ୍କଡ଼ କିଲୋଗ୍ରାମ ପିଛା ୬୦ରୁ ୮୦ ଟଙ୍କା, ଜହ୍ନି କିଲୋଗ୍ରାମ୍ ପିଛା ୪୦ରୁ ୬୦, ଭେଣ୍ଡି କିଲୋଗ୍ରାମ୍ ପିଛା ୬୦ରୁ ୮୦ ଟଙ୍କାରେ ବିକ୍ରି ହେଉଛି। ଏହା ସହିତ କଲରା କିଲୋଗ୍ରାମ୍ ପିଛା ୭୦ ଟଙ୍କାରେ ବିକ୍ରି ହେଉଛି। ଏଣେ ବାଇଗଣ ଓ କାକୁଡ଼ି କିଲୋଗ୍ରାମ୍ ପିଛା ୬୦ ଟଙ୍କା, କଖାରୁ କିଲୋଗ୍ରାମ୍ ପିଛା ୪୦ ଟଙ୍କାରେ ବିକ୍ରି ହେଉଛି। ଏଣେ ସାରୁ ଓ ବନ୍ଧାକୋବି କିଲୋଗ୍ରାମ୍ ପିଛା ୬୦ ଟଙ୍କାରେ ବିକ୍ରି ହେଉଥିବା ଦେଖିବାକୁ ମିଳୁଛି।
ତେବେ ଟମାଟୋ ଦର ସାଧାରଣ ଲୋକଙ୍କୁ ସମସ୍ୟାରେ ପକାଇଛି। ଟମାଟୋ ଦର କିଲୋଗ୍ରାମ୍ ପିଛା ୬୦ରୁ ୮୦ ଟଙ୍କାରେ ବିକ୍ରି ହେଉଛି। ଟମାଟୋ ଦର ପ୍ରତିଦିନ ଭିନ୍ନ ଭିନ୍ନ ରହୁଛି। ପନିପରିବା ଦର ବୃଦ୍ଧି ଯୋଗୁ ସାଧାରଣ ଖାଉଟି ଅଧା କିଲୋଗ୍ରାମ ଅବା ଏହାଠାରୁ କମ୍ କିଣିବାକୁ ବାଧ୍ୟ ହେଉଛନ୍ତି।
ଏହି ସାଧାରଣ ଘରୋଇ ପନିପରିବାଗୁଡିକର ଆକାଶଛୁଆଁ ମୂଲ୍ୟରେ ଗ୍ରାହକମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଯେଉଁମାନଙ୍କର ଆୟ କମ୍ ଏବଂ ମଧ୍ୟବିତ୍ତ ପରିବାର ପନିପରିବା ଦର ବୃଦ୍ଧି ଯୋଗୁ ଅଧିକ ପ୍ରଭାବିତ ହେଉଛନ୍ତି।