ଜେଲର ଚାରିକାନ୍ଥ ଭିତରେ ୩ଦିନ ବିତାଇଲାଣି ଗୋପାଳ ଦାସ: ତିନିଟି ସିଫ୍‌ଟରେ ୮ଜଣ ଲେଖାଏଁ ଜେଲ କର୍ମଚାରୀ ଜଗୁଛନ୍ତି

ଚୌଦ୍ୱାର ସର୍କଲ ଜେଲର ସେଲ ନଂ ୩ । କଡ଼ା ସୁରକ୍ଷା ବଳୟରେ ଗୋପାଳ ଦାସ। ମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାର ଅଭିଯୁକ୍ତ ଗୋପାଳ ଚୌଦ୍ୱାର ଜେଲର ଚାରିକାନ୍ଥ ଭିତରେ ବିତାଇଲାଣି ୩ଦିନ। ତା ଉପରେ ରହିଛି ୨୪ ଘଣ୍ଟିଆ କଡ଼ା ନଜର। ଗୋପାଳର କାର୍ଯ୍ୟକଳାପ, ଆଚରଣ ଆଦି ଉପରେ ନଜର ରଖିଛି ସିସିଟିଭି କ୍ୟାମେରା। ଜେଲ୍‌ରେ କେତେବେଳେ ଗୋପାଳ ଗୁମସୁମ ତ ଆଉ କେତେବେଳେ ସ୍ୱାଭାବିକ । କେତେବେଳେ ଗୀତ ଗୁଣୁଗୁଣାଉଛି ତ ପୁଣି କେତେବେଳେ ହସୁଥିବା ଦେଖାଯାଇଛି। । ସକାଳ ୬ଟାରୁ ଉଠିବା ପରେ ନିତ୍ୟକର୍ମ ପାଇଁ ସେଲ ବାହାରକୁ ଆସୁଛି। ପରେ ଜେଲ ମାନୁଆଲ ଅନୁଯାୟୀ ତାକୁ ଜଳଖିଆ ଦିଆଯାଉଛି। ସକାଳ ଜଳଖିଆ ପରେ ଖବରକାଗଜ ପଢୁଛି। ପଢିବା ପାଇଁ ୨ଟି ଖବରକାଗଜ ଓ ପତ୍ରିକା ଜେଲ କର୍ତ୍ତୃପକ୍ଷଙ୍କ ଠାରୁ ମାଗିଥିବା ଜଣାପଡ଼ିଛି। ମଧ୍ୟାହ୍ନ ଭୋଜନ, ରାତ୍ରି ଭୋଜନ ସମୟ ଅନୁସାରେ ଖାଉଥିବା ଜଣାପଡ଼ିଛି। ଅନ୍ୟ ବିଚାରାଧୀନ କଏଦୀଙ୍କ ପରେ ତଳେ ଚଟାଣରେ ଶୋଉଛି। ଜେଲ ପକ୍ଷରୁ ତାକୁ କମ୍ବଳ ଯୋଗାଇ ଦିଆଯାଇଛି।

ଗୋପାଳକୁ ଦେଖିବାକୁ ଓ ତା ସହ କଥା ହେବାକୁ ଜେଲର ଅନ୍ୟ କଏଦୀଙ୍କ ମଧ୍ୟରେ ଆଗ୍ରହ ମଧ୍ୟ ଦେଖିବାକୁ ମିଳିଛି। ତେବେ ସୁରକ୍ଷା ଦୃଷ୍ଟିରୁ ତା ପାଖକୁ କାହାକୁ ଛଡ଼ାଯାଉନାହିଁ। ସମୟ ବିତାଇବାକୁ ଅନ୍ୟ କଏଦୀମାନଙ୍କ ସହିତ ମିଶିବାକୁ ହାତ ଠାରି ଚେଷ୍ଟା କରୁଥିବା ବେଳେ ସୁରକ୍ଷା ଦୃଷ୍ଟିରୁ ତାକୁ ଅନୁମତି ଦିଆଯାଉ ନାହିଁ।ନିୟମିତ ଭାବେ ଜଣେ ମେଡିସିନ ସ୍ପେଶାଲିଷ୍ଟ, ଜଣେ ସାଇକିଆଟ୍ରିଷ୍ଟ ଓ ଜଣେ ସର୍ଜନ ନିୟମିତ ଭାବେ ଗୋପାଳର ମାନସିକ ସ୍ଥିତି ଏବଂ ସ୍ୱାସ୍ଥ୍ୟ ପରୀକ୍ଷା କରୁଛନ୍ତି। ତାର ସ୍ୱାସ୍ଥ୍ୟାବସ୍ଥା ଠିକ ଥିବା ଜଣାପଡ଼ିଛି। ଗୋପାଳ ସୁରକ୍ଷାରେ ତିନିଟି ସିଫ୍‌ଟରେ ୮ଜଣ ଲେଖାଏଁ ଜେଲ କର୍ମଚାରୀ ନିୟୋଜିତ ହୋଇଛନ୍ତି। ପ୍ରତି ସିଫ୍‌ଟରେ ଗୋପାଳର ଆଚରଣ ନେଇ ଜେଲ ଅଧୀକ୍ଷକଙ୍କୁ ରିପୋର୍ଟ ପ୍ରଦାନ କରାଯିବ। ଜେଲ ଅଧିକ୍ଷକ ନିୟମିତ ବ୍ୟବଧାନରେ ଜେଲ ଡିଜିଙ୍କୁ ସୁରକ୍ଷା ଓ ଗୋପାଳର ଗତିବିଧି ନେଇ ରିପୋର୍ଟ ପ୍ରଦାନ କରିବେ।

ଜାନୁଆରୀ ୨୯ ତାରିଖରେ ନବ ଦାସଙ୍କୁ ହତ୍ୟା ପରେ ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ଦିଆଯାଇଥିଲା। ତିନିଟି ପର୍ଯ୍ୟାୟରେ ୧୩ଦିନିଆ ରିମାଣ୍ଡରେ ନେଇ ତାକୁ ମାରାଥନ ଜେରା କରି ବହୁ ତଥ୍ୟ ପ୍ରମାଣ ହାସଲ କରିଛି ତଦନ୍ତକାରୀ ଦଳ। ଗୁଜରାଟ ଗାନ୍ଧିନଗର ଡିଏଫଏସଏସରେ ତାର ନାର୍କୋ ଓ ପଲିଗ୍ରାଫ ଟେଷ୍ଟ ପରେ ତାକୁ ଝାରସୁଗୁଡ଼ା ଅଣାଯାଇଥିଲା। ଦୁଇ-ତିନି ଦିନ ମଧ୍ୟରେ ବନ୍ଦ ଲଫାପାରେ ଝାରସୁଗୁଡ଼ା ଜେଏମଏଫସି କୋର୍ଟରେ ଦାଖଲ ହେବ ରିପୋର୍ଟ। ସୁରକ୍ଷା ଦୃଷ୍ଟିରୁ ତାକୁ ଫେବୃଆରୀ ୧୪ତାରିଖରେ ଝାରସୁଗୁ଼ଡା ଜେଲରୁ ଚୌଦ୍ୱାର ସର୍କଲ ଜେଲକୁ ସ୍ଥାନାନ୍ତର କରାଯାଇଛି। ଝାରସୁଗୁଡ଼ା ଜେଏମଏଫସି କୋର୍ଟରେ ତାର ମାମଲା ବିଚାରାଧୀନ ଥିବାରୁ ଶୁଣାଣୀ ବେଳେ ଚୌଦ୍ୱାର ଜେଲ୍‌ରୁ ଗୋପାଳକୁ ଭିସି ମାଧ୍ୟମରେ ହାଜର କରାଯିବ।

Spread the love