ଯୌନାକାଙକ୍ଷା ବିନା ନାବାଳିକା ଗାଲତରେ ହାତ ମାରିବା ଉତ୍ପିଡ଼ନ ନୁହେଁ : ବମ୍ବେ ହାଇକୋର୍ଟ

ମୁମ୍ବାଇ ୨୯।୮: ବିନା ଯୌନାକାଙକ୍ଷାରେ ନାବାଳିକା ଗାଲରେ ହାତ ମାରିବା ଯୌନଉତ୍ପିଡ଼ନ ନୁହେଁ। ବମ୍ବେ ହାଇକୋର୍ଟ ଏହି ତର୍କରେ ଅଭିଯୁକ୍ତଙ୍କୁ ଜାମିନ ମଞ୍ଜୁର କରିଛନ୍ତି। ଅଭିଯୁକ୍ତଙ୍କ ବିରୋଧରେ ‘ପକ୍‌ସୋ’ ଆକ୍ଟରେ ମୋକଦ୍ଦମା ରୁଜୁ ହୋଇଥିବା ବେଳେ ପୋଲିସ ଚାର୍ଜସିଟ୍ ମଧ୍ୟ ଦାଖଲ କରିଛି। ଅଭିଯୁକ୍ତ ଜାମିନ ଆବେଦନ କରିଥିବା ବେଳେ ବମ୍ବେ ହାଇକୋର୍ଟଙ୍କ ଜଷ୍ଟିସ୍ ସନ୍ଦୀପ କୁମାର ସିନ୍ଦେ ଶୁଣାଣି କରି ଏହି ନିଷ୍ପତ୍ତି ନେଇଛନ୍ତି। ଫଳରେ ୨୦ ଜୁଲାଇ ୨୦୨୦ରୁ ହାଜତରେ ଥିବା ଅଭିଯୁକ୍ତ ଜାମିନରେ ମୁକୁଳିଛି।

ଅଭିଯୁକ୍ତଙ୍କ ବୟସ ୪୬ ବର୍ଷ ଓ ତାଙ୍କର ଏକ ଚିକେନ୍ ଦୋକାନ ଅଛି। ଯେଉଁ ନାବାଳିକାକୁ ନେଇ ଅଭିଯୋଗ ହୋଇଛି ସେତେବେଳେ ତାଙ୍କର ବୟସ ୮ ବର୍ଷ ଥିଲା। ମାମଲାରେ ନାବାଳିକାଙ୍କ ମା ଠାଣେ ଜିଲ୍ଲା ରେବାଡୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ମାମଲାରେ କୋର୍ଟ ଜାମିନ ନିବେଦନର ଶୁଣାଣି କରି ଏପର୍ଯ୍ୟନ୍ତ ତଦନ୍ତରେ ଅଭିଯୁକ୍ତ ଯୌନକାଙକ୍ଷା ରଖି ନାବାଳିକାଙ୍କ ଗାଲରେ ହାତ ଲଗାଇଥିଲେ କି ନା ତାହା ସ୍ପଷ୍ଟ ହୋଇ ନାହିଁ ବୋଲିକହିଛନ୍ତି।

ତେବେ ଚିକେନ ଦୋକାନ ମାଲିକଙ୍କ ବିରୋଧରେ ତାଙ୍କ ମା ଦେଇଥିବା ଏତଲାରେ ଦୋକାନ ବାହାରେ ଖେଳୁଥିବା ପିଲାଙ୍କ ମଧ୍ୟରୁ ତାଙ୍କ ଝିଅକୁ ଦୋକାନୀ ଇସାରା କରି ଦୋକାନ ଭିତରକୁ ଡାକି ସଟର ପକାଇଥିଲା। ଏହା ଦେଖି ମହିଳା ଘରୁ ଆସି ନିଜେ ସଟର ଉଠାଇବା ବେଳକୁ ଅଭିଯୁକ୍ତ ପୋଷାକ ବଦଳୁଥିବାର ଦେଖିଥିଲେ। ତେବେ ଝିଅକୁ ପଚାରିବାକୁ ସେ ତାଙ୍କ ଗାଲକୁ ଚୁମା ଦେଇଥିବାର କହିଥିଲା ବୋଲି ଏତଲାରେ ଉଲ୍ଲେଖ କରିଛନ୍ତି।

ଅନ୍ୟପକ୍ଷରେ ଅଭିଯୁକ୍ତଙ୍କ ପକ୍ଷର ଓକିଲ ଅସଲରେ ମାମଲା ବ୍ୟବସାୟୀକ ଶତ୍ରୁତାକୁ ନେଇ ବୋଲି କୋର୍ଟକୁ କହିଛନ୍ତି। ପୋଲିସ ମାମଲାର ତଦନ୍ତ ଶେଷ କରିସାରିଥିବା ବେଳେ ଅଭିଯୋଗ ଫର୍ଦ୍ଦ ମଧ୍ୟ କୋର୍ଟରେ ଦାଖଲ କରିସାରିଛନ୍ତି। ତେବେ ଜଷ୍ଟିସ୍‌ ସିନ୍ଦେ ତାଙ୍କର ଏହି ତର୍କ କେବଳ ଜାମିନ ପ୍ରସଙ୍ଗରେ ବୋଲି ସ୍ପଷ୍ଟ କରିଦେଇଛନ୍ତି। ମାମଲାର ଶୁଣାଣି ଅଥବା ଅନ୍ୟ କାର୍ଯ୍ୟାନୁଷ୍ଠାନରେ ତର୍କକୁ ଉଦାହରଣ କରାଯାଇପାରିବନି ବୋଲି ଜଷ୍ଟିସ୍ ସିନ୍ଦେ କହିଛନ୍ତି।

Spread the love