ଦମ୍ପତିଙ୍କ ବ୍ୟକ୍ତିଗତ ସମ୍ପର୍କରେ ସାମାଜିକ ସ୍ବୀକୃତି ଆବଶ୍ୟକ ନୁହେଁ ହାଇକୋର୍ଟ

ପାଟନା  : ଦମ୍ପତିଙ୍କ ବ୍ୟକ୍ତିଗତ ସମ୍ପର୍କରେ ସାମାଜିକ ସ୍ବୀକୃତିର ଆବଶ୍ୟକତା ନାହିଁ। ପାଟନା ହାଇକୋର୍ଟ ଏକ ମାମଲାର ବିଚାର କରି ଏଭଳି କହିଛନ୍ତି। ବିଚାରପତି ଅହସାନୁଦ୍ଦିନ ଅମାନୁଲାହ ଏବଂ ପୂର୍ଣ୍ଣେନ୍ଦୁ ସିଂଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏକ ଦାମ୍ପତ୍ୟ ମାମଲାର ଶୁଣାଣି କରି କହିଛନ୍ତି ଯେ ସାବାଳକଙ୍କର ନିଜ ପସନ୍ଦର ଜୀବନ ସାଥୀ ଚୟନ କରିବା ଏକ ସାମ୍ବିଧାନିକ ଅଧିକାର।ସମ୍ବିଧାନର ଅନୁଚ୍ଛେଦ ୧୯ ଏବଂ ୨୧ ଦ୍ୱାରା ଦେଶର ନାଗରିକଙ୍କୁ ଏହି ଅଧିକାର ପ୍ରଦାନ କରାଯାଇଛି। ଏହାର ଉଲ୍ଲଂଘନ କରାଯାଇ ପାରିବ ନାହିଁ। ବିବାହ କ୍ଷେତ୍ରରେ ବ୍ୟକ୍ତିଗତ ଚୟନ ଅଧିକାରକୁ ସୀମିତ କରାଯାଇ ପାରିବନି। ଏହା ସହିତ ବ୍ୟକ୍ତିଗତ ସମ୍ପର୍କ କ୍ଷେତ୍ରରେ ସାମାଜିକ ସ୍ବୀକୃତି ଆଇନ ଦୃଷ୍ଟିରେ ଠିକ୍‌ ନୁହେଁ ବୋଲି ଖଣ୍ଡପୀଠ କହିଛନ୍ତି।ଏହା ସହିତ ଖଣ୍ଡପୀଠ କୋର୍ଟରେ ଉପସ୍ଥିତ ଥିବା ମହିଳାଙ୍କୁ ତାଙ୍କ ସ୍ବାମୀଙ୍କ ସମ୍ପର୍କରେ ପଚାରିଥିଲେ। ମହିଳା ଜଣକ ସେମାନେ ନିଜ ଇଛାରେ ବିବାହ କରିଥିବା ସୂଚନା ପ୍ରଦାନ କରିଥିଲେ। ଏହାପରେ ଖଣ୍ଡପୀଠ ମହିଳାଙ୍କ ପିତାଙ୍କ ପକ୍ଷରୁ କରାଯାଇଥିବା ଝିଅଙ୍କ ସୁରକ୍ଷା ସମ୍ପର୍କିତ ଆବେଦନ ବିଷୟରେ କହିଛନ୍ତି ଯେ, ଏକ୍ଷେତ୍ରରେ ବିବାହିତା ନିଜ ସ୍ବାମୀଙ୍କ ଘରକୁ ଯିବା ଆଇନଗତ।ଖଣ୍ଡପୀଠ ମହିଳାଙ୍କୁ ତାଙ୍କ ସ୍ବାମୀଙ୍କ ସହିତ ଯିବାକୁ ଅନୁମତି ପ୍ରଦାନ କରିଛନ୍ତି। ଏହା ସହିତ ମହିଳାଙ୍କ ବିବାହକୁ ବେଆଇନ ଘୋଷଣା ଲାଗି ତାଙ୍କ ପିତାଙ୍କ ପକ୍ଷରୁ କରାଯାଇଥିବା ଆବେଦନକୁ ଖାରଜ କରି ଦେଇଛନ୍ତି।

Spread the love